ଚାଷ ଜମିରୁ ହାତୀ ଛୁଆର ମୃତଦେହ ଉଦ୍ଧାର

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅଧୀନରେ ଥିବା କମର୍ଦ୍ଧା ସେକ୍ସନର ମୁଣ୍ଡାଗାଁ ନିକଟରେ ଥିବା ଚାଷ ଜମିରୁ ଆଜି ଏକ ହାତୀ ଛୁଆର ମୃତ୍ୟୁ ଦେହ ଉଦ୍ଧାର କରିଛି ବନ ବିଭାଗ। ପ୍ରାପ୍ତ ସୂଚନା ଆଧାରରେ ଗତ ରାତିରେ ନର୍ଲା ରେଞ୍ଜ ଅଧୀନରେ ଥିବା କମର୍ଦ୍ଧା ସେକ୍ସନର ମୁଣ୍ଡାଗାଁ ନିକଟରେ ଥିବା ବରଗେଲ ଜଙ୍ଗଲରୁ ବଣୁଆ ହାତୀପଲ ମୁଣ୍ଡାଗାଁକୁ ଲାଗି ରହିଥିବା ଚାଷ ଜମିକୁ ଆସିଥିଲେ। ମୁଣ୍ଡାଗାଁ ଗୈାନ୍ତିଆ ବନମାଳୀ ବୁଦ୍ଧିଆଙ୍କ ଦୁଇ ଦିନ ତଳେ ଧାନ ଲଗାଇ ଥିବା ଜମିରେ ଗର୍ଭବତୀ ମା’ ହାତୀଟି କୌଣସି କାରଣରୁ ଖସି ପଡ଼ିଥିଲା।ମା’ ହାତୀଟି ପ୍ରସବ ବେଦନାରେ ଛଟପଟ ହୋଇ ଜମିର କାଦୁଅରେ ଛୁଆଟିକୁ ଜନ୍ମ ଦେଇଥିଲା। ଜନ୍ମ ପରେ ହାତୀ ଛୁଆଟି କାଦୁଅରେ ପଡିଯାଇଥିବା ବେଳେ ହାତୀପଲ ସହିତ ମା’ ହାତୀଟି ଛୁଆକୁ ଜଗି ରହିଥିଲେ। ଆଜି ଭୋର ସକାଳେ ମା’ ହାତୀର ଭୀଷଣ ଗର୍ଜ୍ଜନ ଶୁଣି ମୁଣ୍ଡାଗାଁରେ ଥିବା ଏଲିଫେଣ୍ଟ ସ୍କୁଆର୍ଡ ନୀଳମଣି ଚନ୍ଦନ, ମନୋଜ ଗୌଡ଼, ସନଜ ଗୌଡ଼, ବିମଲ ଶବର, ନବୀନ ମାଝୀ, ଲବ ବଗର୍ତ୍ତିଙ୍କ ସହ ମୁଣ୍ଡାଗାଁର କେତେକ ଲୋକ ଘଟଣା ସ୍ଥଳକୁ ଯାଇଥିଲେ। ଲୋକଙ୍କୁ ଦେଖି ହାତୀପଲ ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିବା ବେଳେ ମା’ ହାତୀଟି ଛୁଆର ପାଖ ଛାଡ଼ୁନଥିଲା। ପରେ ମା’ ହାତୀଟି ଛୁଆକୁ ଛାଡି ଦୌଡ଼ି ପଳେଇ ଥିଲା। ଏହାପରେ ସ୍କୁଆର୍ଡ ପିଲା ଓ ଗାଁ ଲୋକେ କାଦୁଅରୁ ହାତୀ ଛୁଆକୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ହାତୀ ଛୁଆଟିର ମୃତ୍ୟୁ ହୋଇଯାଇଥିଲା। ସ୍କୁଆର୍ଡ ପିଲାମାନେ କମର୍ଦ୍ଧା ଫରେଷ୍ଟର ନବୀନ କୁମାର ମାଝୀଙ୍କୁ ଖବର ଦେବା ପରେ ସେ ଘଟଣା ସ୍ଥଳେ ପହଞ୍ଚି ଥିଲେ। ଏହାପରେ କଳାହାଣ୍ଡି ଉତ୍ତର ବନଖଣ୍ଡ ଦାଇତ୍ୱରେ ଥିବା ଡିଏଫଓ ମଳୟ ରଞ୍ଜନ କାଳୁ, ଏସିଏଫ ଜିତେନ୍ଦ୍ର ସାହୁ, ନର୍ଲା ରେଞ୍ଜର ଗିରିଧାରୀ ନାଗ ଘଟଣା ସ୍ଥଳେ ପହଞ୍ଚି ଥିଲେ। ପରେ ନର୍ଲା ଭିଏସ, ବନ ବିଭାଗ କର୍ମଚାରୀ ଓ ମଣ୍ଡାଗାଁ ଅଞ୍ଚଳର ସର୍ବସାଧାରଣଙ୍କ ଉପସ୍ଥିତରେ ହାତୀ ଛୁଆଟିର ଶବ ବ୍ୟବଚ୍ଛେଦ ପରେ ସମ୍ମାନର ସହିତ ମାଟିତଳେ ପୋତି ଦିଆଯାଇଛି। ଅନ୍ୟପକ୍ଷରେ ଏହି ରେଞ୍ଜ ରେ ବନ୍ୟପ୍ରାଣୀ ସଂକଟରେ ରହୁଥିବା ତଥା ଅନେକ ସମୟରେ ସେମାନଙ୍କ ମୃତ୍ୟୁ ହେଉଥିବାରୁ ବନ୍ୟଜନ୍ତୁ ଓ ପରିବେଶ ପ୍ରେମୀମାନେ କ୍ଷୋଭ ପ୍ରକାଶ କରିବାସହ ସୁରକ୍ଷା ପାଇଁ ଦାବୀ କରିଛନ୍ତି।

Omkar Vasthu
Omkar Vasthu

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.