କଳାହାଣ୍ଡି ମେଡିକାଲ କଲେଜକୁ ସହିଦ ରେଣ୍ଡୋ ମାଝୀ ଓ ବିଶ୍ବବିଦ୍ୟାଳୟକୁ ଆମ୍ବେଦକରଙ୍କ ନାମରେ ନାମକରଣ ଦାବି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ସ୍ଥାପିତ ହେବାକୁ ଯାଉଥିବା କଳାହାଣ୍ଡି ମେଡିକାଲ କଲେଜକୁ ଜିଲ୍ଲାର ବୀର ସହିଦ ରେଣ୍ଡୋ ମାଝୀଙ୍କ ନାମରେ ନାମିତ କରିବା ସହିତ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ବିଶ୍ବରତ୍ନ ଡ. ବିଆର୍ ଆମ୍ବେଦକରଙ୍କ ନାମରେ ନାମିତ କରିବା ପାଇଁ ଏବେ ଜିଲ୍ଲାରେ ଦାବି ଜୋରଦାର ହେବାରେ ଲାଗିଛି। ଜିଲ୍ଲାର ଏଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନକୁ ଦୁଇ ମହାପୁରୁଷଙ୍କ ନାମରେ ନାମିତ କରିବା ସେମାନଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଓ ପ୍ରକ୍ରୁତ ସମ୍ମାନ ପ୍ରଦର୍ଶନ ହେବ ବୋଲି ଜିଲ୍ଲାବ୍ୟାପି ମତ ପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲାବାସୀଙ୍କ ଏଇ ଦାବିକୁ ନେଇ ଆଜି ଓଡ଼ିଶାର ଅଗ୍ରଣୀ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ଓ ଓଡ଼ିଶା ଦଳିତ ଆଦିବାସୀ ମହାସଂଘର କର୍ମକର୍ତ୍ତା ମାନେ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏ, ବଲାଙ୍ଗିରରେ ସନ୍ଥକବି ଭୀମଭୋଇ, କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକଙ୍କ ନାମରେ ମେଡିକାଲ କଲେଜ ନାମିତ ହୋଇଥିବାବେଳେ ଜିଲ୍ଲାର ସହିଦ ରେଣ୍ଡୋ ମାଝୀଙ୍କ ନାମରେ କଳାହାଣ୍ଡି ମେଡିକାଲ୍ କଲେଜକୁ ନାମିତ କରାଯିବା ସହ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ବିଶ୍ବରେ ଅଦ୍ବିତୀୟ ଶିକ୍ଷାର ଆଲୋକ ବିତରଣ କରିଥିବା ତଥା ପରମ ଧୀଶକ୍ତିସଂପନ୍ନ ବିଶ୍ବରତ୍ନ ଡ. ବାବା ସାହେବ ବିଆର୍ ଆମ୍ବେଦକରଙ୍କ ନାମରେ ନାମିତ କରିବାକୁ ସେମାନେ ଦାବି କରିଛନ୍ତି।

ଏଥିପାଇଁ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡ଼େରେସନ କଳାହାଣ୍ଡିର ସଭାପତି ଧନଞ୍ଜୟ ଦୀପ, ଫେଡେରେସନର ଉପଦେଷ୍ଟା ଧର୍ମେନ୍ଦ୍ର ନାଏକ, ଦଳିତ ଆଦିବାସୀ ମହାସଂଘର ସଭାପତି ପରମାନନ୍ଦ ମାଝୀ, ଆଦିବାସୀ ନେତା ସୁରେଶ ମାଝୀ, ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ଉପ ସଭାପତି ବିନ୍ଦୁ ମହାନନ୍ଦ, ସାଧାରଣ ସଂପାଦକ ଯତୀନ୍ଦ୍ର କର, ଟାଉନ ସଭାପତି ଋଷିସୂଦନ ଛତ୍ରପାଲ, ସକ୍ରିୟ ସଦସ୍ୟ ଯୁଗଳକିଶୋର ଦୀପ, ଲକ୍ଷ୍ୟଜ୍ୟୋତି ଜାଲ, ଆକାଶ କୁମାର ଜଗତ, ସୁଶୀଲ କୁମାର ବାଗ, ବଳରାମ ଦୁର୍ଗା, ଅଭିଜିତ କର, ଛାତ୍ର ଜିଲ୍ଲା ସଂଯୋଜକ ଢଗମାଳିଆ ନାଏକ ପ୍ରମୁଖ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.