ରାୟଗଡ ଜିଲ୍ଳାରେ କଲ୍ୟାଣ ବିଭାଗର ନିଜ ଶିକ୍ଷକ ପଦବୀ କେବେ ପୂରଣ ହେବ?

ରାୟଗଡ, (ଶିବ ନାରାୟଣ ଗୈାଡ) : ଓଡିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ (ଏସଏସଡି) ବିଭାଗ ଦ୍ୱାରା ପରିଚାଳିତ ରାୟଗଡ ଜିଲ୍ଳା ସଦର ବ୍ଳକରେ ଥିବା ପୀତାମହଲ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସରଗ୍ରହଣ ପରେ ଜଣେ ସହକାରୀ ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀର ଦାୟିତ୍ୱ ପ୍ରଦାନ କରାଯାଇଥିବା ନେଇ ଜିଲ୍ଳା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି ସୂଚନା ପ୍ରଦାନ କରିଛନ୍ତି । ଏଥିସହ ଉକ୍ତ ବିଦ୍ୟାଳୟରେ ଖାଲି ପଡିଥିବା ଅନ୍ୟ ମଂଜୁରୀ ପଦବୀଗୁଡିକରେ ସ୍କୁଲ ଖୋଲିବା ପୂର୍ବରୁ ପୂରଣ କରାଯିବ ବୋଲି ମଧ୍ୟ କହିଛନ୍ତି । ପ୍ରକାଶ ଥାଉ କି, ପୀତାମହଲ ଆଶ୍ରମ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୨୮୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ରହିଥିବା ବେଳେ ବିଦ୍ୟାଳୟରେ ପ୍ରଧାନଶିକ୍ଷୟତ୍ରୀଙ୍କ ସମେତ ଆଉ ୫ଜଣ ମୋଟ ୬ଜଣ ଶିକ୍ଷକଶିକ୍ଷୟତ୍ରୀ ଶିକ୍ଷାଦାନ କରୁଥିଲେ । ତେବେ ଗତ ଜୁଲାଇ ୩୧ ତାରିଖରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତି ଶାରଦା ମହାନ୍ତି ନିଜ ଚାକିରି କାଳରୁ ଅବସର ଗ୍ରହଣ କରିଥିବା ବେଳେ ଗତ ଜୁଲାଇ ୨୩ ତାରିଖରେ ଉକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆଉ ୫ଜଣ ଶିକ୍ଷକଶିକ୍ଷୟତ୍ରୀ ନିଜ ମୂଳ ବିଦ୍ୟାଳୟକୁ ଫେରିଯାଇଛନ୍ତି । ଫଳରେ ପୀତାମହଲ ଆଶ୍ରମ ବିଦ୍ୟାଳୟରେ ସମସ୍ତ ଶିକ୍ଷକ ପଦବୀ ଖାଲି ପଡୁଥିବାରୁ ଜିଲ୍ଳା ମଙ୍ଗଳ ବିଭାଗ ପକ୍ଷରୁ ତାଡମା ସରକାରୀ (ଏସଏସଡି) ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ସହକାରୀ ଶିକ୍ଷୟତ୍ରୀ ଶ୍ରୀମତି ସଂଗୀତା ପଟ୍ଟନାୟକଙ୍କୁ ପୀତାମହଲ ଆଶ୍ରମ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ପଦବୀରେ ଅବସ୍ଥାପିତ କରଛନ୍ତି ।


ବର୍ତମାନ ସ୍କୁଲ ଖୋଲା ଯାଇ ନ ଥିବାରୁ ହଷ୍ଟେଲ ପରିଚାଳନା ଓ ଶିକ୍ଷାଦାନ ଭଳି କୈାଣସି ସମସ୍ୟା ରହି ନ ଥିବା ବେଳେ ସ୍କୁଲ ଖୋଲିବା ନେଇ ସରକାରଙ୍କ ପକ୍ଷରୁ ଘୋଷଣା ହେଲେ ଉକ୍ତ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତିରେ ବିଳମ୍ବ ଯଦି ହୁଏ ତେବେ ନିଶ୍ଚିତ ଭାବେ ସମସ୍ୟା ଦେଖାଦେବ ବୋଲି ଅଭିଭାବକ ମହଲରେ ଚର୍ଚ୍ଚା ହେଉଛି । ଅପରପକ୍ଷେ କଲ୍ୟାଣ ବିଭାଗରେ ନିଜ ଶିକ୍ଷକ ପଦବୀ ସୃଷ୍ଟି ହେଉ ନ ଥିବାରୁ ଶିକ୍ଷା ବିଭାଗ ଉପରେ ନିର୍ଭରଶୀଳ ହୋଇପଡିଛି ଜିଲ୍ଳା ମଙ୍ଗଳ ବିଭାଗ । ପ୍ରକାଶ ଥାଉ କି, ଓଡିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗରେ ରାୟଗଡ ଜିଲ୍ଳାର ୩ଜଣ ନେତା ଆଦିବାସୀ କଲ୍ୟାଣ ମନ୍ତ୍ରୀ ହୋଇସାରିଲେଣି । ତେବେ ସ୍ୱାଧୀନତା ପରଠାରୁ ଜିଲ୍ଳାର ଆଶ୍ରମ, ସେବାଶ୍ରମମାନଙ୍କରେ ଯେଉଁ ଶିକ୍ଷକ ପଦବୀ ରହିଥିଲା ତାହା ହିଁ ଆଜି ପର୍ଯ୍ୟନ୍ତ ପ୍ରଯ୍ୟୁଜ୍ୟ ହୋଇ ରହିଛି । ଏ ସମୟ ଭିତରେ ପିଲା ସଂଖ୍ୟା ହଷ୍ଟେଲମାନଙ୍କ ପୂର୍ବ ତୁଳନାରେ ୫ରୁ ୮ଗୁଣ ବୃଦ୍ଧି ପାଇସାରିଛି । କିନ୍ତୁ ଉକ୍ତ ବିଭାଗ ପକ୍ଷରୁ ନିଜ ଶିକ୍ଷକ ପଦବୀ ସୃଷ୍ଟି କରିବା ପାଇଁ କେବେ ହେଲେ ମଧ୍ୟ ପ୍ରଚେଷ୍ଠା କରା ନ ଯାଇଥିବା ବିଡମ୍ବନାର ବିଷୟ ପାଲଟିଛି । ଅପରପକ୍ଷେ ବିଭାଗୀୟ ମନ୍ତ୍ରୀ ମଧ୍ୟ ଏ ନେଇ କୈାଣସି ସମୀକ୍ଷା ନ କରିବା ପରିତାପର ବିଷୟ ହୋଇଛି ।

ରାୟଗଡ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଳାରେ କଲ୍ୟାଣ ବିଭାଗର ୧୪୫ରୁ ଉର୍ଦ୍ଧ ଆଶ୍ରମ, ସେବାଶ୍ରମ ଓ ହାଇସ୍କୁଲ ରହିଥିବା ବେଳେ ଏଥିରେ ୬୦ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନେ ଅଧ୍ୟୟନରତ ଅଛନ୍ତି । ତେବେ ଛାତ୍ରଛାତ୍ରୀ ଓ ଶିକ୍ଷକ ଅନୁପାତ ୪୦:୧ ଅନୁଯାୟୀ ଜିଲ୍ଳାରେ ମାତ୍ର ୫୦୦ରୁ ୬୦୦ମଧ୍ୟରେ ଶିକ୍ଷକଶିକ୍ଷୟତ୍ରୀ ରହିଥିବା ଜଣାପଡିଛି । ସୂଚନା ପ୍ରକାରେ ୨୦୧୬ ଶିକ୍ଷାବର୍ଷରେ ଯେଉଁ ଶିକ୍ଷା ସହାୟକ ପଦବୀ କେବଳ ଆଶ୍ରମ ବିଦ୍ୟାଳୟ ପାଇଁ ମଂଜୁର ହୋଇଥିଲା ତାହାକୁ ତତ୍କାଳୀନ ମଙ୍ଗଳ ଅଧିକାରୀ ହାଇସ୍କୁଲମାନଙ୍କରେ ପୋଷ୍ଟିଂ କରିଦେଇଥିଲେ । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା କିନ୍ତୁ କେହି ହେଲେ କର୍ଣ୍ଡପାତ କରି ନ ଥିଲେ । ବର୍ତମାନ ଦୀର୍ଘ ୧୦ବର୍ଷ ଧରି ଶିକ୍ଷା ବିଭାଗର ୨୧୧ଜଣ ଶିକ୍ଷକମାନେ କଲ୍ୟାଣ ବିଭାଗରେ ରହିବା ପରେ ଟିଚର ପ୍ରୋଫାଇଲ ପ୍ରସ୍ତୁତ ନିମନ୍ତେ ନିଜ ମୂଳ ବିଭାଗକୁ ଫେରାଇ ଅଣାଯିବା ପରେ ପୁଣି ସେମାନଙ୍କୁ କଲ୍ୟାଣ ବିଭାଗକୁ ଡେପୁଟେସନରେ ଅଣାଯିବା ପାଇଁ ଜିଲ୍ଳା ମଙ୍ଗଳ ବିଭାଗ ଉଦ୍ୟମ କରୁଥିବା ଜଣାପଡିବା ପରେ ରାୟଗଡ ଜିଲ୍ଳା ମଙ୍ଗଳ ବିଭାଗରେ ନିଜ ଶିକ୍ଷକ ପଦବୀ ସୃଷ୍ଟି କରିବା ପାଇଁ ଆଉ କେତେ ବର୍ଷ ସମୟ ଲାଗିବ ଏବଂ ଜିଲ୍ଳାରେ ଥିବା ଏହି ସମସ୍ୟା ନେଇ ରାଜ୍ୟ ସରକାରଙ୍କ କଲ୍ୟାଣ ବିଭାଗ ଅବଗତ ଅଛନ୍ତି କି ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.