● ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କୋଠା କାମ ନିମ୍ନମାନର ଅଭିଯୋଗ: ଖସୁଛି ସିମେଣ୍ଟ ଖଣ୍ଡ, ଝରୁଛି ପାଣି
ଲାଞ୍ଜିଗଡ଼: ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କୋଠା ମରାମତି କାମ ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଛି। ଯାହା ଫଳରେ ମେଡ଼ିକାଲର ଛାତରୁ ସିମେଣ୍ଟ ଖଣ୍ଡ ପଡିଯାଉଛି। ଛାତରୁ ପାଣି ଝରି ବିଭିନ୍ନ କୋଠରୀରେ ପାଣି ଜମି ରହୁଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ପ୍ରସୂତି ମହିଳା ଏପରି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଶିଶୁକୁ ଜନ୍ମ ଦେଉଛନ୍ତି। ପ୍ରସବ ବେଦନାରେ ଛଟପଟ ହୋଇ ମା’ ବହୁ କଷ୍ଟରେ ସ୍ବାସ୍ଥ୍ୟକେନ୍ଦ୍ରରେ ବିପଦ ସଂକୁଳ କୋଠରୀରେ ଶିଶୁଟିକୁ ଜନ୍ମ ଦେଉଥିବା ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତିି ଅଞ୍ଚଳବାସୀ।
ସୂଚନା ଅନୁସାରେ ଲାଞ୍ଜିଗଡ଼ ବ୍ଳକର ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଦୂର୍ଗମ ଅଞ୍ଚଳର ୧୨ ଗୋଟି ପଞ୍ଚାୟତ ନିର୍ଭର କରୁଥିବା ବେଳେ ସୀମାନ୍ତରେ ଥିବା ରାୟଗଡା ଜିଲ୍ଲାର ମଧ୍ୟ ୬ ଗୋଟି ପଞ୍ଚାୟତ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ସ୍ୱାସ୍ଥ୍ୟକେନ୍ଦ୍ରଟି ବହୁ ଦିନ ଧରି ମରାମତି ହୋଇନଥିବା ଯୋଗୁଁ ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଝରୁ ଥିବାବେଳେ ମେଡ଼ିକାଲର ପ୍ରସୂତି ୱାର୍ଡ, ରୋଗୀ ୱାର୍ଡ, ଅଫିସ ରୁମ, ମିଟିଙ୍ଗ ହଲ ଓ ଓ୍ବାଟିଙ୍ଗହଲ ସାନିଟାଇଜର ବକ୍ସରେ ବର୍ଷା ପାଣି ପଚପଚ ହୋଇ ରହୁଥିବା ବେଳେ ପ୍ରସୂତି ମହିଳା ଓ ଗୁରୁତର ରୋଗୀଙ୍କୁ ନେବା ଆଣିବାରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଜିଲ୍ଲା ତଥା ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ମେଡ଼ିକାଲର ତଦନ୍ତ କରି ଅତିଶୀଘ୍ର ଏହି ମେଡ଼ିକାଲର ମରାମତି କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଚଳିତ ବର୍ଷ ବର୍ଷା ମାସ ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ୫ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ମେଡ଼ିକାଲର ଏହି ମରାମତି କାମ ଆରମ୍ଭ ହୋଇଥିଲା।
ବର୍ଷା ଦିନ ପୂର୍ବରୁ କାମ ମଧ୍ୟ ଶୀଘ୍ର ଶେଷ ହୋଇଥିଲା। କିନ୍ତୁ ଠିକାଦାର ଓ ଦାଇତ୍ୱରେ ଥିବା ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ନବନିର୍ମିତ ମରାମତି କାମ ପୂର୍ବରୁ ଅଧିକ ପରିମାଣରେ ସାମାନ୍ୟ ବର୍ଷାରେ ପାଣି ଝରିବା ଯୋଗୁଁ ମେଡ଼ିକାଲ କର୍ମଚାରୀ, ରୋଗୀଙ୍କ ସହିତ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ବ୍ଳକ ପ୍ରଶାସନର ନାକତଳେ ଥିବା ଏହି ମେଡ଼ିକାଲରେ ନିମ୍ନ ମାନର କାମରେ ବ୍ୟାପକ ଦୁର୍ନୀତି ହେଉଥିବା ବେଳେ ବାରମ୍ବାର ବ୍ଳକ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଉଥିଲେ ମଧ୍ୟ ଏଭଳି ନିମ୍ନ ମାନର କାମକୁ ଦେଖି ସାଧାରଣ ଲୋକଙ୍କୁ ସନ୍ଦେହ ସୃଷ୍ଟି କରୁଛି। ବର୍ଷ ବର୍ଷ ଧରି ଲାଞ୍ଜିଗଡ଼ ବ୍ଳକର ବିଭିନ୍ନ ସ୍ଥାନରେ ନିମ୍ନ ମାନର କାମ ଯୋଗୁଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡୁଥିବା ବେଳେ ଠିକାଦାର ଓ ତଦାରଖ କରୁଥିବା ଯନ୍ତ୍ରୀଙ୍କୁ ସରକାରଙ୍କ ପକ୍ଷରୁ କୌଣସି କଟକଣା ନାହିଁ। ନିମ୍ନ ମାନର କାମକୁ ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୁଣି ସେହି ଠିକାଦାର ମାନେ କାମ କରୁଥିବା ଓ ଦାଇତ୍ୱରେ ଥିବା ଅଧିକାରୀଙ୍କୁ ପଇସା ରୋଜଗାର ପାଇଁ ବାଟ ଖୋଲିଥାଏ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ତେଣୁ ବିଶ୍ୱନାଥପୁର ମେଡ଼ିକାଲର ନିମ୍ନ ମାନର ମରାମତି କାମକୁ ଜିଲ୍ଲା ସ୍ତରୀୟ ଉଚ୍ଚ ଅଧିକାରୀ ତଦନ୍ତ କରିବା ସହିତ ଏଥିପ୍ରତି ଦୃଷ୍ଟି ଦେବାକୁ ଲାଞ୍ଜିଗଡ଼ ଅଞ୍ଚଳବାସୀଙ୍କ ସମେତ ବ୍ଳକ କଂଗ୍ରେସ ସଭାପତି ହରିହର କୁମାର ଦାବି କରିଛନ୍ତି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in