● ସଙ୍କଟରେ ବାଉଁଶ କାରିଗରୀଙ୍କ ଜୀବନ ଜୀବିକା
କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ସଭ୍ୟତା ଯେତେ ଯେତେ ଉନ୍ନତି କରୁଛି ସଭ୍ୟ ସମାଜ ପ୍ରାକୃତିକ ଖାଦ୍ୟ ପେୟ ପ୍ରତି ସେତେ ଆକୃଷ୍ଟ ହେବାରେ ଲାଗିଛି । ହର୍ବାଲ ଜିନିଷ ପ୍ରତି ଏବେ ମାନବ ସମାଜ ବେସ୍ ସଚେତନ । ପ୍ରକୃତି ଦତ୍ତ ଖାଦ୍ୟ ମଧ୍ୟରେ କଳାହାଣ୍ଡି ଜିଲ୍ଲାରେ ଗରୀବ ରୁ ଧନୀ ସମସ୍ତଙ୍କ ନିକଟରେ କରିଡ (କର୍ଡି ବା କରେଲ୍) ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରି ପାରିଛି । କେବଳ କଳାହାଣ୍ଡି ଜିଲ୍ଲା ବୋଲି ନୁହଁ ପଶ୍ଚିମ ଓଡିଶାର କଳାହାଣ୍ଡି, ବଲାଙ୍ଗୀର, ବରଗଡ, ସମ୍ବଲପୁର, ସୋନପୁର, ଫୁଲବାଣୀ, କନ୍ଧମାଳ ପ୍ରଭୃତି ଜିଲ୍ଲାରେ କରିଡ ତରକାରୀର ସ୍ୱତନ୍ତ୍ରତା ରହିଛି । ଜୁନ୍ ମାସ ମଧ୍ୟ ଭାଗରୁ ବର୍ଷା ଆରମ୍ଭ ହୋଇଯିବା ପରେ ବାଉଁଶ ବୁଦାରେ ବାଉଁଶ ପିଲ ଦେବା ଆରମ୍ଭ କରିଥାଏ । ଏହି ବାଉଁଶ ପିଲକୁ ଭାଙ୍ଗି ଆଣି ତାକୁ ଚୁନା ଚୁନା ଭାବରେ କାଟି ତରକାରୀ ଭାବରେ ଖିଆଯାଇଥାଏ । ପିଲ ବାଉଁଶ ବା ବାଉଁଶ ଗଜାକୁ ଚୁନା ଚୁନା କାଟି ଦେଲାପରେ ତାକୁ ହିଁ କରିଡ ବୋଲି କୁହାଯାଇଥାଏ । ବାଉଁଶ ପିଲକୁ ଚୁନା ଚୁନା କାଟି କିମ୍ବା ଚକି ଚକି ଭାବରେ କାଟି ସେଥିରେ ସୁସ୍ୱାଦୁ କରିଡ ତରକାରୀ ପ୍ରସ୍ତୁତ କରାଯାଇଥାଏ । କଳାହାଣ୍ଡି ଜିଲ୍ଲା ସମେତ ପଶ୍ଚିମ ଓଡିଶାର ପ୍ରାୟ ସମସ୍ତ ଜିଲ୍ଲାରେ ଏହି ସିଜନ ରେ ଗରୀବରୁ ଧନୀ ସମସ୍ତ ବର୍ଗର ପରିବାର ଗୁଡିକ ମଧ୍ୟରେ କରିଡ ତରକାରୀର ବେଶ୍ ପସନ୍ଦ ରହିଛି । କଳାହାଣ୍ଡି ଜିଲ୍ଲା ନର୍ଲା, ମ.ରାମପୁର, ଥୁଆମୂଳ ରାମପୁର, ଭବାନୀପାଟଣା, କେସିଙ୍ଗା, କୋକସରା, ଲାଞ୍ଜିଗଡ, ଧର୍ମଗଡ, ଜୁନାଗଡ ପ୍ରଭୃତି ଅଞ୍ଚଳରେ ଏହି କରିଡର ସ୍ଥାନେ ସ୍ଥାନେ ସ୍ୱତନ୍ତ୍ର ବଜାର ବସିଥିବା ଦେଖିବାକୁ ମିଳିଥାଏ । ଭବାନୀପାଟଣାରୁ ନର୍ଲା ଆସିବା ବେଳେ ରାଜରାସ୍ତାର କଡେ କଡେ ଦେପୁର ଠାରୁ ଛତିକୁଡା ମଧ୍ୟରେ ଏହି କରିଡ ବଜାର ଦୀର୍ଘ ୧୫ ବର୍ଷରୁ ଉଦ୍ଧ୍ୱର୍ ହୋଇଗଲାଣି ବସି ଆସୁଛି । ଏହି ରାସ୍ତା ଦେଇ ଯାଉଥିବା ପ୍ରତ୍ୟେକ ଭିଆପି ଗାଡି ଗୁଡିକ ଏହି ରାସ୍ତା କଡର ଡୁଙ୍ଗୁରିଗୁଡା, ସିନାଙ୍ଗଭଟା ପ୍ରଭୃତି ସ୍ଥାନରେ ଅଟକି କରିଡ, ଛତୁ, କାଙ୍କଡ ଓ ସପୁରୀ କିଣୁଥିବା ଦୃଶ୍ୟ ବେଶ ମନୋରମ ଅଟେ । ମାଳ ମାଳ ଭିଆପି ଗାଡି ଧାଡିବାନ୍ଧି ଅଟକି ରହିଥାନ୍ତି କେବଳ କରିଡ ଓ ହଣ୍ଡୁଆ କିଣିବା ପାଇଁ । ଜୁନ୍ ମାସ ଶେଷରୁ ସେପ୍ଟେମ୍ବର ମାସ ମଧ୍ୟରେ କରିଡ ଉପଲବ୍ଧ ହୋଇଥାଏ । ଏହାପରେ କରିଡକୁ କପଡାରେ ବାନ୍ଧି ତା ଉପରେ ବଡ ଶିଳାଖଣ୍ଡ ଚପଦେଇ ପାଣି ନିଗାଡି ଦିଆଯାଇଥାଏ । ତିନି ଚାରିଦିନ ଏପରି ଭାବରେ ଚପାଇ ରଖି ତାକୁ ସୁଖାଇ ଗୁଣ୍ଡକରି ସେଥିରୁ ପ୍ରସ୍ତୁତ କରାଯାଇଥାଏ ହଣ୍ଡୁଆ । ଏହି ହଣ୍ଡୁଆ ପଖାଳ ଭାତ ସହିତ ଖାଇବାରେ ସ୍ୱତନ୍ତ୍ର ମଜା ରହିଥିବା କୁହାଯାଇଛି । ସମ୍ବଲପୁର, ବଲାଙ୍ଗୀର, ବରଗଡ ଓ ସୋନପୁର ଜିଲ୍ଲାରେ କରିଡ ଉତ୍ପାଦନ ହେଉନଥିଲେ ମଧ୍ୟ ଏହି ଜିଲ୍ଲାବାସୀଙ୍କ କରିଡ ପ୍ରତି ସ୍ୱତନ୍ତ୍ର ଋଚି କୁ ଆଖି ଆଗରେ ରଖି କଳାହାଣ୍ଡି ଜିଲ୍ଲାରୁ ବିଶେଷ କରି ନର୍ଲା, କେସିଙ୍ଗା ଓ ଲାଞ୍ଜିଗଡରୁ କରିଡ ଏବଂ ହଣ୍ଡୁଆ ରପ୍ତାନୀ ହୋଇଥାଏ । ସେଠାରେ ଚଢାଦରରେ କରିଡ ଓ ହଣ୍ଡୁଆ ବିକ୍ରୟ କରି ବେଶ୍ ଭଲ ଦୁଇପଇସା ପାଇଥାନ୍ତି କରିଡ ବ୍ୟବସାୟୀ ମାନେ । ଆଗରୁ ବସ୍ ଓ ଟ୍ରେନ୍ ଯୋଗେ କରିଡ ଓ ହଣ୍ଡୁଆ ରପ୍ତାନୀ ପ୍ରତି ବିଶେଷ କଟକଣା ରହିଥିଲା । କେନ୍ଦ୍ର ସରକାର ବାଉଁଶକୁ ଟ୍ୟାକ୍ସ୍ ଫ୍ରି କରିଦେବା ପରେ ଏବେ ଆଉ ବନ ବିଭାଗ ତରଫରୁ କରିଡ ଓ ହଣ୍ଡୁଆ ରପ୍ତାନୀ ପ୍ରତି ସେତେଟା କଟକଣା ରହୁନି । ସମ୍ବଲପୁର, ବଲାଙ୍ଗୀର, ସୋନପୁର ଓ ବରଗଡ ରେ କରିଡ ଓ ହଣ୍ଡୁଆ ତରକାରୀ କରିକି ଖାଇବା ସହ କରିଡକୁ ସ୍ୱତନ୍ତ୍ର ଢଙ୍ଗରେ ଗଚ୍ଛିତ ରଖି ବର୍ଷ ତମାମ ତରକାରୀ ଭାବରେ ବ୍ୟବହାର କରି ଖାଇଥାନ୍ତି । ତରକାରୀ ବ୍ୟତୀତ କରିଡରୁ ଖୁବ୍ ସୁନ୍ଦର ଓ ସୁମିଷ୍ଟ କରିଡ ଆମ୍ବିଲ ପ୍ରସ୍ତୁତ କରାଯାଇଥାଏ । ଏହାବାଦ୍ ଏହି ସବୁ ଜିଲ୍ଲାର ଲୋକେ କରିଡରେ ସୁମିଷ୍ଟ ଆଚାର ପ୍ରସ୍ତୁତ କରି ମଧ୍ୟ ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ ।
ହେଲେ କରିଡ ତରକାରୀ ଓ କରିଡ ତଥା ହଣ୍ଡୁଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରତି ଧିରେ ଧିରେ ଲୋକଙ୍କ ଚାହିଦା ବଢିବା ଯୋଗୁଁ ଏବେ ନିକଟସ୍ଥ ଜଙ୍ଗଲ ଗୁଡିକରେ ବାଉଁଶ ଉତ୍ପାଦନ କମିବା ଯୋଗୁଁ ବାଉଁଶ କାରୀଗର ମାନଙ୍କୁ ଚିନ୍ତା ଘାରିବାରେ ଲାଗିଛି । ବାଉଁଶ ବଢିବା ଆଗରୁ କରିଡ ବ୍ୟବସାୟୀ ମାନେ ବାଉଁଶ ପିଲକୁ କାଟିନେଇ କରିଡ ଓ ହଣ୍ଡୁଆ ପ୍ରସ୍ତୁତ କରୁଥିବାରୁ ବାଉଁଶ କ୍ରମଶଃ ଲୋପ ପାଇବାକୁ ବସିଲାଣି । ବିଶେଷଜ୍ଞ ମାନଙ୍କ ମତାନୁଯାୟୀ ଏଭଳି ଯଦି ଲଗାତାର ଆଉକିଛି ବର୍ଷ ଏହି ପରିମାଣରେ କରିଡ ଓ ହଣ୍ଡୁଆର ବ୍ୟବହାର ·ଲେ ତାହେଲେ ବାଉଁଶ ଯେ ସମ୍ପୂର୍ଣ୍ଣ ଲୋପ ପାଇଯିବ ଏଥିରେ ତିଳେହେଲେ ସନେ୍ଦହ ନାହିଁ । ଏଣୁ ସରକାର ବାଉଁଶ ର ସୁରକ୍ଷା ପାଇଁ ଏବଂ ବାଉଁଶ କାରିଗର ମାନଙ୍କ ଜୀବନ ଜୀବିକା ପାଇଁ ବେଳହୁଁ ସଜାଗ ହେବା ବାଞ୍ଛନୀୟ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି ।