ଲାଞ୍ଜିଗଡ: ପ୍ରାଚୀନ ଧର୍ମଧାରାର ଅଅନ୍ୟ ପ୍ରତୀକ ବେତାଳ ଭୈରବଙ୍କ ବାଲିଯାତ୍ରା ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ସ୍ଥିତ ବେତାଳ ଭୈରବଙ୍କ ପୀଠ ଏନେଇ ଉତ୍ସବ ମୁଖର ହୋଇଉଠିଛି। ରାଜା ରାଜୁଡା ଅମଳରୁ ଭାଦ୍ରବ ଦ୍ଵାଦଶୀ ତିଥିରେ ଏହି ଯାତ୍ରା ପାଳିତ ହୋଇ ଆସୁଛି। ଏହି ଯାତ୍ରା ଉପଳକ୍ଷେ ବିଶ୍ବନାଥପୁର ଭୈରବ ମନ୍ଦିରରୁ ଯାଇ ନିକଟସ୍ଥ ନଦୀରୁ ବାଲି କଢାଯାଇଥିଲା। ପରେ ୭ଟି ନୂଆଁ ଚାଙ୍ଗୁଡିରେ ନଦୀରୁ ବାଲି ଆଣି ଗାଁରୁ ସଂଗ୍ରୃହୀତ ବିଭିନ୍ନ ପ୍ରକାରର ଶସ୍ୟ ଧାନ, ମକା, ବିରି, କୋଳଥ ଇତ୍ୟାଦି ବିହୀନ ଗଜା ହେବାପାଇଁ ଚିଙ୍ଗୁଡ଼ିରେ ଥିବା ବାଲିରେ ପକାଯାଇଥିଲା। ଗଜା ହୋଇଥିବା ବିହନ ସପ୍ତମ ଦିନ ପର୍ଯ୍ୟନ୍ତ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା ଓ କଞ୍ଚା ମାଟିରେ ସେଦିନ ବସି ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଦେବତା। ସପ୍ତମ ଦିନ ନିକଟସ୍ଥ କୁମାରବାରୁ ଜଙ୍ଗଲକୁ ଯାଇ ପୂଜକ ମାନେ ଝାମେରା କଣ୍ଟା ଆଣି ଦୋଲି ପ୍ରସ୍ତୁତ କରିଥିଲେ।
୭ମ ଦିନରେ ପାଟଖଣ୍ଡା ଓ ବେତାଲୀ ଭୈରବ ନିଆଁରେ ତିଆରି ଖନ୍ଦା (ଝାମି ) କୁ ତିନି ଥର ପ୍ରଦକ୍ଷିଣ କରିବା ପରେ ଝାମେରା କଣ୍ଟାରେ ତିଆରି ଦୋଳିରେ ବସି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। କାଳୀସି ନିଆଁ ଉପରେ ଚାଲି ଭକ୍ତଙ୍କୁ ତାଙ୍କ ଶକ୍ତିର ପରିଚୟ ଦେଇଥିଲେ। ଗାଁର ଗୈାନ୍ତିଆ ତଥା ଦେବତାଙ୍କ ମୁଖ୍ୟ ସେବାୟତ ପ୍ରଦିପ ଘଡେ଼ଇ ସମସ୍ତ ଦେବନୀତି ସମୟରେ ଉପସ୍ଥିତ ରହିଥିଲେ। ଯାତ୍ରା ସରିବା ପରେ ମାନସିକ କରିଥିବା ଲୋକଙ୍କ ଦ୍ବାରା ପାରା, କୁକୁଡ଼ା ଓ ଛେଳି ଆଦି ବଳି ଦିଆଯାଇଥିଲା। ଏଥିରେ ଭୈରବୀ ପୂଜାରୀ ନଳିନୀ କାନ୍ତ ପ୍ରଧାନୀ, ପାଟଖଣ୍ଡା ପୂଜାରୀ ଯାଦବ ପ୍ରଧାନୀ, ବାହୁକ ଫାଲଗୁନି ପ୍ରଧାନୀଙ୍କ ଦ୍ବାରା ପୂଜା ସମ୍ପନ୍ନ ହୋଇଥିଲା। ଏହି ବାଲିଯାତ୍ରାକୁ ସଫଳ କରିବା ପାଇଁ ମାଁ ଭୈରବୀ ଯୁବ କେନ୍ଦ୍ର ସଂଘ ଏବଂ ଜୟ ଜଗନ୍ନାଥ ଯୁବକ ସଂଘ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।
ସେହିପରି ଲାଞ୍ଜିଗଡ଼ରେ ମଧ୍ୟ ଝାମୁଯାତ୍ରା ବିଧିରକ୍ଷା ପୂର୍ବକ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ବନ୍ଧପାରି ଓ ବଳଭଦ୍ରପୁରଠାରେ ମଧ୍ୟ ଝାମୁଯାତ୍ରା ପାଳିତ ହୋଇଯାଇଛି। ତେବେ କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଭକ୍ତଙ୍କ ସମାଗମ ବେଶ ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in