କଳାହାଣ୍ଡି,(ସୁଶାନ୍ତ କୁମାର ଦଳେଇ): ଆଜି ସକାଳ ସମୟରେ ଚପ୍ରିଆ ଗ୍ରାମର ଜଣେ ମହିଳାଙ୍କୁ ଏକ ଭାଲୁ ଆକ୍ରମଣ କରିବାରୁ ଗୁରୁତର ଆହାତ ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚପ୍ରିଆ ଗ୍ରାମର କେତେକ ମହିଳା ସ୍ଥାନୀୟ ବିଶି ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିବା ସମୟରେ କୁନି ପୁଟେଲ ନାମକ ଜଣେ ମହିଳାଙ୍କୁ ଭାଲୁ ଆକ୍ରମଣ କରିଥିଲା । ଭାଲୁଠାରୁ କୌଣସି ମତେ ସେ ଖସି ଆସିବାରେ ସକ୍ଷମ ହୋଇଥିବା ବେଳେ ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଚପ୍ରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ । ଡକ୍ତର ତାଙ୍କୁ ସେଠାରେ ପ୍ରଥମିକ ଚିକିତ୍ସା କରିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ଅଧିକ ଚିକିତ୍ସା ପାଇଁ ପଠାଇଥିବା ଜଣାଯାଏ । ସୂଚନାଯୋଗ୍ୟ ଯେ ବିଗତ ବର୍ଷମାନଙ୍କରେ ଗୋଲାମୁଣ୍ଡା ବ୍ଲକରେ ଭାଲୁ ଆକ୍ରମଣରେ ଅନେକ ଲୋକ ଗୁରୁତର ଆହାତ ହେଉଥିବା ନଜିର ରହିଛି । ବିଶେଷ କରି ଧାନ ଅମଳ ସମୟରେ ଭାଲୁଙ୍କ ପ୍ରଦୁର୍ଭାବ ବଢୁଛି । ଏଣୁ ଜଙ୍ଗଲ ବିଭାଗ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।