ଭୁବନେଶ୍ୱର: ସ୍ୱାମୀ ବିବେକାନନ୍ଦଙ୍କ ଦୂରଦୃଷ୍ଟି ସ୍ବର୍ଣ୍ଣିମ ଭାରତ ପାଇଁ ପଥ ପ୍ରସ୍ତୁତ କରିଆସୁଛି। ତାଙ୍କର ପ୍ରତିଟି ଶବ୍ଦ ଓ ଉଦବୋଧନ ଦେଶର ବିକାଶ ଓ ପ୍ରଗତି ପାଇଁ ଏକ ଅମୂଲ୍ୟ ଦସ୍ତାବିଜ। ଏ ଦିଗରେ ଯୁବପିଢି ଅଗ୍ରଣୀ ଭୂମିକା ନେଇ ଆତ୍ମନିର୍ଭର ଭାରତ ଓ ସ୍ୱଚ୍ଛ ଭାରତ ଗଢିବାର ସମୟ ଆସିଛି ବୋଲି ଜାତୀୟ ଯୁବଦିବସ ପାଳନ ଅବସରରେ ଆଲୋଚକ ମାନେ ମତବ୍ୟକ୍ତ କରିଛନ୍ତି। ଭାରତ ସରକାରଙ୍କ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ଓ ପ୍ରେସ ଇନଫରମେସନ ବ୍ୟୁରୋ, ଭୁବନେଶ୍ୱର ଦ୍ୱାରା ଡିଜିଟାଲ ପ୍ଲାଟଫର୍ମ ଗୁଗୁଲମିଟରେ ‘ ସ୍ଵାମୀ ବିବେକାନନ୍ଦଙ୍କ ସ୍ୱପ୍ନର ଭାରତ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଆଲୋଚକ ଭାବେ ପ୍ରଧାନମନ୍ତ୍ରୀ ଯୁବା ମେଣ୍ଟରସିପ ପ୍ରାପ୍ତ ଯୁବଲେଖକ ଡିଲେଶ୍ବର ରଣା, କବି ସର୍ବାଣୀ ଦାସ, କବି ପ୍ରଶାନ୍ତ ଦାଶ ଓ କବି ସିପୁନୁ ଜେନା ଆଲୋଚକ ଭାବେ ଯୋଗ ଦେଇଥିଲେ। ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ଅତିରିକ୍ତ ନିର୍ଦ୍ଦେଶକ ଅଖିଳ ମିଶ୍ର ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ। ସଭା ପରିଚାଳନା ଓ ଧନ୍ୟବାଦ ଦେଇଥିଲେ ଆକାଶବାଣୀ କଟକର ବାର୍ତ୍ତା ସମ୍ପାଦିକା ଇତିଶ୍ରୀ ସିଂ ରାଠୋର। ଏହି ପରିପ୍ରେକ୍ଷୀରେ ଉପସ୍ଥିତ ଶ୍ରୋତା ଓ ଆଲୋଚକ ମାନଙ୍କ ମଧ୍ୟରେ ସ୍ୱାମୀଜୀଙ୍କ ଜୀବନ ସମ୍ପର୍କିତ ପ୍ରଶ୍ନୋତ୍ତର ହୋଇଥିଲା।