● ଆଦିତ୍ୟ ଆଲୁମିନା ରିଫାଇନାରୀ କମ୍ପାନୀ ନାହିଁ ତ ବକ୍ସାଇଟ୍ ନାହିଁ -ସାଂସଦ ସପ୍ତଗିରି ଉଲାକା
ରାୟଗଡ, (ଶିବ ନାରାୟଣ ଗୈାଡ): କଂସାରୀଗୁଡାରେ ଆଦିତ୍ୟ ଆଲୁମିନା ରିଫାଇନାରୀ କମ୍ପାନୀ କର ନଚେତ୍ ୧୭ବର୍ଷର କ୍ଷତିପୂରଣ ପ୍ରଦାନ ସହ ଅଧିଗ୍ରହଣ କରି ରଖିଥିବା ଆମ ଜମି ଆମକୁ ଫେରାଇ ଦିଅ ବୋଲି ଦାବି ନେଇ ରାୟଗଡା-କୋରାପୁଟ ୩୨୬ନମ୍ବର ଜାତୀୟ ରାଜପଥର ରାଫକଣା ଛକ ଠାରେ ଦୀର୍ଘ ୬ଘଂଟାରୁ ଉର୍ଦ୍ଧ ସମୟ ଧରି ରାଜରାସ୍ତାକୁ ଅବରୋଧ କରିଥିଲେ କଂସାରୀଗୁଡା, ଆଦିତ୍ୟ ଆଲୁମିନା ବିସ୍ଥାପିତ, ପ୍ରଭାବିତ ଏବଂ ଅଂଚଳବାସୀ । ଫଳରେ ଉଭୟ ପଟରେ ଶତାଧିକ ଯାନବାହନ ରାସ୍ତା ଉପରେ ଠିଆ ହେବା ଯୋଗୁଁ ଟ୍ରାଫିକ୍ ସମସ୍ୟା ଗୁରୁତର ହୋଇଥିଲା ।
ରାସ୍ତାରୋକକୁ ଦୃଷ୍ଟିରେ ରଖି ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଲଲିତ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ୪ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖାଯାଇଥିଲା । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ରାୟଗଡା ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଡେପୁଟି କଲେକ୍ଟର ନାରାୟଣ ମିଶ୍ର, ଅତିରିକ୍ତ ତହସିଲଦାର ସୁନୀଲ ଖରା, ଏସଡିପିଓ ଦିବ୍ୟଜ୍ୟୋତି ଦାସ, ରାୟଗଡା ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ସକାଳ ସମୟରେ ଆନ୍ଦୋଳନକାରୀମାନଙ୍କୁ ରାସ୍ତା ଅବରୋଧରୁ ହଟାଯାଇଥିବା ବେଳେ ପୋଲିସ ୪ଜଣ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇ କୁମ୍ଭିକୋଟା ଫାଣ୍ଡିରେ ଅଟକ ରଖିଥିଲେ । ଯାହାକୁ ନେଇ ଆନ୍ଦୋଳନକାରୀଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ପରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା,ଜିଲ୍ଳା କଂଗ୍ରେସ କମିଟି ସଭାପତି ଦୁର୍ଗାପ୍ରସାଦ ପଣ୍ଡା, ରାୟଗଡା କଂଗ୍ରେସ ବିଧାୟକ ପ୍ରାର୍ଥୀ ଆପାଲାସ୍ୱାମୀ କାଡ୍ରକା ପ୍ରମୁଖ ପଂହଚିବା ପରେ ପୁଣି ଥରେ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କଂସାରୀଗୁଡା ଠାରେ କମ୍ପାନୀ ପ୍ରତିଷ୍ଠା ହେଲେ ଅଂଚଳରେ ନିଯୁକ୍ତି ସୁଯୋଗ ଓ ପରିବାରର ଉଜ୍ୱଳ ଭବିଷ୍ୟତର ସ୍ୱପ୍ନ ନେଇ ନିଜ ଚାଷଜମିଗୁଡିକୁ ପ୍ରଶାସନର ପ୍ରତିଶୃତିକୁ ବିଶ୍ୱାସ କରି ଆଦିତ୍ୟ ଆଲୁମିନା କମ୍ପାନୀ ହାତକୁ ଟେକି ଦେଇ ସର୍ବହରା ହୋଇଥିବା ଜମିହରା, ବିସ୍ଥାପିତ ଓ ଅଂଚଳବାସୀ ଏବେ ବହୁ ଅସୁବିଧାରେ ଜୀବନ ବିତାଉଛନ୍ତି । ଜମି ଅଧିଗ୍ରହଣ ବେଳେ କମ୍ପାନୀ ପକ୍ଷରୁ ମିଳିଥିବା ସ୍ୱଳ୍ପ ଟଙ୍କା ପ୍ରଦାନର ଏକବର୍ଷରେ ଖର୍ଚ୍ଚ ହୋଇଥିବା ବେଳେ ବର୍ତମାନ ଜମିହାରା ପରିବାର ଲୋକେ କୈାଣସି ରୋଜଗାରପନ୍ଥା ନ ପାଇଁ ଦୟନୀୟ ଅବସ୍ଥାରେ ରହିଛନ୍ତି ।
ଅଂଚଳବାସୀଙ୍କ ଦୀର୍ଘ ଦିନର ଦାବିକୁ ନେଇ ଗତବର୍ଷ ଅକ୍ଟୋବର ମାସରେ ପୁଣି ସରକାରଙ୍କ ପକ୍ଷରୁ ଏକ ଜନଶୁଣାଣୀ କରାଯାଇଥିଲା । ଅଂଚଳବାସୀଙ୍କ ସମର୍ଥନରେ କମ୍ପାନୀ ପ୍ରତିଷ୍ଠା ପାଇଁ ପୁଣିଥରେ ସବୁଜ ସଙ୍କେତ ଦିଆଗଲା । ତେବେ ୩ମାସ ବିତିଯାଇଥିଲେ ମଧ୍ୟ କମ୍ପାନୀ ପକ୍ଷରୁ କୈାଣସି କାର୍ଯ୍ୟାରମ୍ଭ ନ ହେବାରୁ ପୁଣିଥରେ ଡିସେମ୍ବର ୧୮ତାରିଖରେ କାର୍ଯ୍ୟାରମ୍ଭ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳଙ୍କ ଜରିଆରେ ସାଂସଦ ଓ ଅଂଚଳବାସୀଙ୍କ ପକ୍ଷରୁ ଗୋଟିଏ ଗୋଟିଏ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ୧୫ଦିନରେ ପଦକ୍ଷେପ ଗ୍ରହଣ ନ କଲେ ଦାବି ପୂରଣ ପାଇଁ ରାସ୍ତାରୋକ ନିଷ୍ପତି ନିଆଯିବାରୁ ନିଷ୍ପତି ପ୍ରକାରେ ଆଜି ରାସ୍ତାରୋକରେ ବସିଥିଲୁ ବୋଲି ସାଂସଦ ଶ୍ରୀ ଉଲାକା ପ୍ରକାଶ କରିବା ସହ ପୁଣି ଆଗାମୀ ୧୫ଦିନ ସରକାରଙ୍କୁ ସମୟ ଦିଆଯାଇଛି ଯଦି ଉକ୍ତ ସମୟସୀମା ମଧ୍ୟରେ ଆମକୁ କିଛି ପଦକ୍ଷେପ ବିଷୟରେ ଅବଗତ ନ କରାଗଲେ ସିଙ୍ଗାରାମ ରେଳ ଷ୍ଟେସନରେ ରେଳରୋକ ସହ ଉତ୍କଳ ଆଲୁମିନା କମ୍ପାନୀ ଗେଟ୍ ଓ ଲକ୍ଷ୍ମୀପୁରର କୋଡିଙ୍ଗାମାଳି ଖଣି ଉତୋଳନ କରୁଥିବା ଜିରୋ ପଂଏଟ ସ୍ଥାନକୁ ମଧ୍ୟ ବନ୍ଦ କରିଦିଆଯିବ ଏବଂ କମ୍ପାନୀ ନାହିଁ ତ ବକ୍ସାଇଟ୍ ନାହିଁ ବୋଲି ଚେତାବନୀ ଦେଇଛନ୍ତି । କମ୍ପାନୀ କର ନଚେତ ୧୭ବର୍ଷର କ୍ଷତିପୂରଣ ପ୍ରଦାନ ସହ ଜମିକୁ ଫେରାଇ ଦିଅ ବୋଲି ଜମିହରା ଅଂଚଳବାସୀ ଡଉଲ ଚୈାଧୁରୀଙ୍କ ସମେତ ଅଗଷ୍ଟି ହାଲୁଆ, ବିପିନ ଚନ୍ଦ୍ର ମାଣ୍ଡିଙ୍ଗା, ଦାମୋଦର ବିଡିକା, ପୂର୍ଣ୍ଣଚନ୍ଦ୍ର ମାଣ୍ଡିଙ୍ଗା, ରାଜେନ୍ଦ୍ର ଦୂରିଆ, ମହେଶ୍ୱର ଝୋଡିଆ, ଦୀନବନ୍ଧୁ ଝୋଡିଆ, ସହଦେବ ବିଡିକା, ନାଥ ମିଣିଆକା, ମଂଟୁ ସାହାଣୀଙ୍କ ସମେତ ଅନ୍ୟମାନେ ପ୍ରକାଶ କରିଛନ୍ତି । ସେହିପରି ଅଂଚଳବାସୀଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଦାବିପତ୍ରକୁ ରାଜ୍ୟ ସରକାରଙ୍କ ନିକଟକୁ ପ୍ରେରଣ କରାଯାଇ ନିର୍ଦ୍ଦେଶନାମା ପ୍ରକାରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଳାପାଳ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।