କଳାହାଣ୍ଡି, (ନରୋତ୍ତମ ସେଲମା): ରିଷିଡା ସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରାଷ୍ଟ୍ରୀୟ ସେବା ଯୋଜନା ଶାଖା ଆନୁକୂଲ୍ୟରେ ସ୍ୱାମୀ ବିବେକାନନ୍ଦଙ୍କ ୧୬୦ତମ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜୁନିଅର କଲେଜ ପରିସରରେ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ସ୍ବେଛାସେବୀ ବୃନ୍ଦ ରାଷ୍ଟ୍ର ନିର୍ମାଣରେ ନିଜକୁ ନିୟୋଜିତ କରିବା ପାଇଁ ସଂକଳ୍ପ ନେଇଥିଲେ । ପରେ ଏକ ସଂକ୍ଷିପ୍ତ ସଭାରେ ସ୍ୱାମୀଜୀଙ୍କ ସ୍ମୃତିଚାରଣ ପୂର୍ବକ ରାଷ୍ଟ୍ରୀୟ ଯୁବ ଦିବସର ଗୁରୁତ୍ୱ ସମ୍ପର୍କରେ ଉପସ୍ଥିତ ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ଆଲୋଚନା କରି ଭାରତର ପୁନଃନିର୍ମାଣରେ ଏକ ସଶକ୍ତ ପ୍ରତିବଦ୍ଧ ଏବଂ ନିଷ୍ଠାପର ଯୁବ ଶକ୍ତି ର ଆବଶ୍ୟକତା ଅଛି ବୋଲି ମତ ଦେଇଥିଲେ । ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନୀଳାମ୍ବର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ସ୍ବେଛାସେବୀ ମାନଙ୍କୁ ଶପଥ ପାଠ କରାଇଥିଲେ ଓ ରେଡ଼କ୍ରସ ଅଫିସର ଅଧ୍ୟାପକ ଗିରିରାଜ ଗହିର ଧନ୍ୟବାଦ ଅର୍ପଣ କରିଥିଲେ । ଗ୍ରନ୍ଥପାଳ ଚିନ୍ମୟ ରଣା, କ୍ରୀଡା ଶିକ୍ଷକ ଲଳିତ ଦାସ, କିରାଣୀ ଚନ୍ଦନ ରଣା, ପାଣ୍ଡଵ ହରିଜନ, ରେଡ ରିବନ କ୍ଲବର ଛାତ୍ରୀ ବୃନ୍ଦ ତଥା ଅନ୍ୟାନ୍ୟ କର୍ମଚାରୀ ସହାୟତା କରିଥିଲେ ।