ମକର ସଂକ୍ରାନ୍ତି ଦିନ ପ୍ରକୃତିରେ କ୍ରାନ୍ତିର ପ୍ରାରମ୍ଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । ପ୍ରକୃତିରେ ଦିବ୍ୟ ବାତାବରଣ ସୃଷ୍ଟି ହେବା ସହିତ ଜନଜୀବନରେ ନୂତନ ଉନ୍ମାଦନା ଓ ଆଶାର ସଂଚାର ହୋଇଥାଏ । ମକର ସଂକ୍ରାନ୍ତି ଭଳି ଏକ ମହାନ୍ ପର୍ବରେ ପ୍ରୟାଗ ସଙ୍ଗମ, ଗଙ୍ଗା ଓ ଅନ୍ୟ ପବିତ୍ର ନଦୀରେ ଗାଧୋଇଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ମାନ୍ୟତା ରହିଛି । ସ୍ନାନ ସାରିବା ପରେ ଘୃତଅର୍ଘ୍ୟ ଦେଇ ସୂର୍ଯ୍ୟ ସହସ୍ର ନାମ ପାଠ କରିବା ସହିତ ବିଧିବଦ୍ଧ ଭାବେ ସୂର୍ଯ୍ୟପୂଜା ଓ ଆଦିତ୍ୟ ହୃଦୟସ୍ତୋତ୍ରମ୍ ପାଠ କରିବାର ବିଧି ରହିଛି । ଏହାସହିତ ଗାୟତ୍ରୀ ମନ୍ତ୍ର ପାଠ କରିବା ସୂର୍ଯ୍ୟ ପୂଜାର ଆଉ ଏକ ଅଂଶବିଶେଷ । ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ ଏହି ପର୍ବରେ ସ୍ନାନାଦି କର୍ମ ଓ ଦାନଧର୍ମ କରିବାରେ ବିଶେଷ ଫଳପ୍ରାପ୍ତିର ଯୋଗ ରହିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ ଚଳନ କରୁଥିବାରୁ, ତାହା ମକର ସଂକ୍ରାନ୍ତି ଭାବେ ଖ୍ୟାତ । ବେଦ ଓ ଜ୍ୟୋତିଷ ଶାସ୍ତ୍ରର ଆଧାର ସୂର୍ଯ୍ୟଙ୍କୁ ଏହି ଦିନ ଉପାସନା କରିବା ଦ୍ୱାରା ଶାରୀରିକ, ଭୌତିକ ଓ ମାନସିକ ସମସ୍ୟାରୁ ମୁକ୍ତି ମିଳେ । ପୌରାଣିକ ମତାନୁଯାୟୀ, ମକର ସଂକ୍ରାନ୍ତି ଦିନ ଗଙ୍ଗା ଭଗୀରଥଙ୍କ ପଛେ ପଛେ ଯାଇ ସାଗରରେ ମିଶିଥିଲେ । ସୂର୍ଯ୍ୟ କର୍କଟ କ୍ରାନ୍ତିରେ ଥିବା ବେଳେ ମହାଭାରତ ଯୁଦ୍ଧ ଆରମ୍ଭ ହୋଇଥିଲା । ଇଚ୍ଛାମୃତ୍ୟୁ ବରଦାନ ପାଇଥିବାରୁ ଭୀଷ୍ମ ଶରଶଯ୍ୟାରେ ଶୋଇ ଶରୀର ତ୍ୟାଗ ପାଇଁ ସୂର୍ଯ୍ୟଙ୍କର ଉତ୍ତରାୟଣ ବା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ଏହି ଦିନ ଠାରୁ ସୂର୍ଯ୍ୟ ଉତ୍ତରାୟଣ ହୁଅନ୍ତି । ଭୌଗୋଳିକ ମତାନୁଯାୟୀ ସୂର୍ଯ୍ୟ କର୍କଟ କ୍ରାନ୍ତିରୁ ମକର କ୍ରାନ୍ତିକୁ ଗମନ କରନ୍ତି । ତେଣୁ ଏହି ସମୟରୁ ଦିନ ବଡ଼ ଓ ରାତି ସାନ ହେବା ଆରମ୍ଭ ହୁଏ । ତେଣୁ ଭାରତର କେତେକାଂଶରେ ଏହି ପର୍ବକୁ ଉତ୍ତରାୟଣୀ ମଧ୍ୟ କୁହାଯାଏ । ଦେବତାଙ୍କ ପାଇଁ ଉତ୍ତରାୟଣକୁ ଦିନ ଓ ଦକ୍ଷିଣାୟନକୁ ରାତି ଭାବେ ବିଶ୍ୱାସ କରାଯାଏ । ତେଣୁ ଉତ୍ତରାୟଣରେ ପବିତ୍ର କାମ ଆରମ୍ଭ ହୁଏ । ଏହି ଦିନ ପ୍ରକୃତିକୁ କୃତଜ୍ଞତା ଜ୍ଞାପନ କରାଯାଏ ।