ପ୍ରସିଦ୍ଧ ଗାୟିକା ସୀତା ଯୋଶୀଙ୍କ ରାମାୟଣ ଗାନରେ ତଲ୍ଲିନ ଶ୍ରୋତା ମଣ୍ଡଳୀ
ପ୍ରବଳ ଭକ୍ତ ସମାଗମ ମଧ୍ୟରେ ଚାଲିଛି ପାରାୟଣ, ପ୍ରବଚନ ଓ ହୋମ ଯଜ୍ଞ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏକ ଭକ୍ତିମୟ ପରିବେଶ ମଧ୍ୟରେ ନର୍ଲା ବ୍ଲକ ଅଧିନସ୍ଥ ଶ୍ରୀପୁର ଗ୍ରାମ ଠାରେ “ରାମାୟଣ ପାରାୟଣ” କାର୍ଯ୍ୟକ୍ରମ ଚାଲିଛି । ୯ ଦିନ ଧରି ଆୟୋଜିତ ହୋଇଥିବା ଉକ୍ତ ଧାର୍ମିକ ଅନୁଷ୍ଠାନରେ ପାରାୟଣ, ପ୍ରବଚନ ସହିତ ପ୍ରତ୍ୟହ ହୋମ, ଯଜ୍ଞ ଚାଲିଛି । ଗତ ମାର୍ଚ୍ଚ ୩ରେ ଶୁଭସ୍ତମ୍ଭ ସ୍ଥାପନ ହୋଇ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ହୋଇଥିବା ବେଳେ ୪ ମାର୍ଚ୍ଚରୁ ପାରାୟଣ କାର୍ଯ୍ୟକ୍ରମ ବିଧିବଦ୍ଧ ଭାବରେ ସମୟ ନିର୍ଘଣ୍ଟ ଅନୁଯାୟୀ ପ୍ରତ୍ୟହ ଚାଲି ଆସୁଛି ।
ଏହି “ରାମାୟଣ ପାରାୟଣ” କାର୍ଯ୍ୟକ୍ରମ ୧୩ ମାର୍ଚ୍ଚରେ ପୂର୍ଣ୍ଣାହୂତି ପଡିବ ବୋଲି ଜଣାପଡିଛି । ସକାଳୁ ସଂଧ୍ୟା ଯାଏଁ ଭାଗବତ ପ୍ରେମୀ ଭକ୍ତଙ୍କ ସମାଗମରେ କାର୍ଯ୍ୟସ୍ଥଳି ପୁରି ଉଠୁଥିବା ଦେଖିବାକୁ ମିଳୁଛି । ପ୍ରସିଦ୍ଧ ଗାୟୀକା ବଲାଙ୍ଗୀର ଜିଲ୍ଲା ଚାଣ୍ଟିପଦରର ଶ୍ରୀମତୀ ସୀତା ଯୋଶୀଙ୍କ ଦ୍ୱାରା ରାମାୟଣ ଗାନ ସମେତ ପ୍ରବଚନ ହେଉଥିବା ବେଳେ କର୍ତ୍ତା ଭାବରେ ଉଦ୍ୟୋକ୍ତା ଅନାଦି ଚରଣ ପଧାନ ଓ ତାଙ୍କ ଧର୍ମପତ୍ନୀ ତିଳୋତ୍ତମା ପଧାନ ଦାଇତ୍ୱ ନିର୍ବାହନ କରୁଛନ୍ତି ।
ପୂଜକ ଭାବରେ କଳାହାଣ୍ଡି ସିର୍ଜାପାଲିର ବ୍ରହ୍ମା ପଣ୍ଡିତ ପ୍ରମୋଦ କୁମାର ଦାସ ପୂଜନ କାର୍ଯ୍ୟ ପରିଚାଳନା କରୁଛନ୍ତି । ସକାଳ ୭ ଘଣ୍ଟା ସମୟରୁ ପାରାୟଣ ଆରମ୍ଭ ହେଉଥିବା ବେଳେ ଅପରାହ୍ନ ୩ ଘଣ୍ଟା ସମୟରେ ପୁଷ୍ପାଞ୍ଜଳୀ ଅର୍ପଣ ଓ ୩.୩୦ ରେ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଜଣାପଡିଛି । ପାରାୟଣ ଓ ପ୍ରବଚନ ଶୁଣିବା ନିମନ୍ତେ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ ଦୃଶ୍ୟମାନ ହେଉଛି । ପୂଜା ସହିତ ପ୍ରତ୍ୟହ ହୋମ ଯଜ୍ଞ ହେଉଥିବା ଜଣାପଡିଛି ।
ଶ୍ରୀପୁର ପଧାନ ପରିବାରର ଉଦ୍ୟୋଗ କ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଶ୍ରୀପୁର ଗ୍ରାମବାସୀ ଓ ଆଜାଦ୍ ୟଙ୍ଗ୍ କ୍ଲବ୍ ଶ୍ରୀପୁରର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଜଣାପଡିଛି ।
କାର୍ଯ୍ୟକ୍ରମର ଉଦ୍ୟୋକ୍ତା ଅନାଦୀ ପଧାନ କାର୍ଯ୍ୟକ୍ରମ ଆୟୋଜନର ଉଦେଶ୍ୟ ବିଷୟରେ କୁହନ୍ତି ଯେ, ଦିନକୁ ଦିନ ସମାଜରେ ହିଂସା ବଢୁଛି, ଯୁବ ପିଢୀ ମାନେ ନିଶାଖୋର ହୋଇ ପଥଭ୍ରଷ୍ଟ ହେଉଛନ୍ତି । ଧର୍ଷଣ, ଲୁଣ୍ଠନ ବଢୁଛି । ସମାଜ ବିପଥଗାମୀ ହେବାରେ ଲାଗିଛି । ଏଣୁ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା, ଭଗବତ ପ୍ରେମୀ ସୃଷ୍ଟି, ଆଧ୍ୟାତ୍ମିକ ଚିନ୍ତାର ପ୍ରସାର, ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ଭଳି ପିତୃସତ୍ୟ ପାଳନ ଓ ଭରତଙ୍କ ଭଳି ଭାତୃଭକ୍ତି, ଭାତୃଭାବ ସୃଷ୍ଟି ହେଉଛି “ରାମାୟଣ ପାରାୟଣ” କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।