ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡିଶା ହିନ୍ଦୁ ଦେବୋତ୍ତର ବିଭାଗ ଅଧିନ ଦେବଗିରି ମଠ ବୁଢିପଦର ଠାରେ ଗଣେଶ ମନ୍ଦିର ନିର୍ମାଣ ପାଇଁ ଆଜି ଭୂମି ପୂଜନ ହୋଇଛି । ନର୍ଲା ବ୍ଲକ ବୁଢିପଦର ସ୍ଥିତ ଦେବଗିରି ମଠ ଠାରେ ଏନେଇ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ରାମ ନବମୀର ଶୁଭ ଅବସରରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସାମ୍ବାଦିକ ରଞ୍ଜନ କୁମାର ମହାନ୍ତି ଏବଂ ତାଙ୍କ ଧର୍ମପତ୍ନୀ ଜ୍ୟୋତି ମହାନ୍ତି କର୍ତ୍ତା ଦାଇତ୍ୱ ନିର୍ବାହ କରି ଭୂମି ପୂଜନ କରିଥିଲେ । ଏଠାରେ ପ୍ରସ୍ତାବିତ ସୁଦୃଶ୍ୟ ଗଣେଶ ମନ୍ଦିର ନିର୍ମାଣ ପାଇଁ ସମସ୍ତ ସହଯୋଗ ରଞ୍ଜନ ମହାନ୍ତି କରିବେ ବୋଲି ଜଣାପଡିଛି । ମଠର ପୂଜକ ସନ୍ତୋଷ ପାଢି ପୂଜନ କାର୍ଯ୍ୟ ସଂପାଦନା କରିଥିବାବେଳେ ସେବାୟତ ତପିମଣି ଦାସ ସହଯୋଗ କରିଥିଲେ । ଏଥିରେ ଦେବଗିରି ମଠ ଟ୍ରଷ୍ଟ ବୋର୍ଡର ବିଜୟ କୁମାର ଧଙ୍ଗଡାମାଝୀ, ସୁନୀଲ କୁମାର ଧଙ୍ଗଡାମାଝୀ, ସତ୍ରୁଘନ ଧଙ୍ଗଡାମାଝୀ, ସଞ୍ଜୟ ଧଙ୍ଗଡାମାଝୀଙ୍କ ସମେତ ଶିକ୍ଷାବିତ ଗୁଣନିଧି ଧଙ୍ଗଡାମାଝୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଓଡିଶା ହିନ୍ଦୁ ଦେବୋତ୍ତର ବିଭାଗ ଅଧୀନରେ ଥିବା ଦେବଗିରି ମଠର ଗୁମ୍ଫା ମଧ୍ୟରେ ଦେବଦେବ ମହାଦେବଙ୍କ ସହ ଗଣେଶ, କାର୍ତ୍ତିକେୟ, ମହାମାୟା ଚଣ୍ଡି ପୂଜା ପାଉଥିବା ବେଳେ ମୁଖ୍ୟ ମନ୍ଦିରରେ ଦଧିବାମନ ଜୀଉ ପୂଜା ପାଉଛନ୍ତି । ଏହି ମନ୍ଦିରର ଦକ୍ଷିଣ ପାର୍ଶ୍ଵରେ ଗଣେଶ ମନ୍ଦିର ନିର୍ମାଣ କରିଦେବା ପାଇଁ ଶ୍ରୀଯୁକ୍ତ ମହାନ୍ତିଙ୍କ ମାନସିକ ଥିଲା, ଯାହା ଆଜି ଭୂମି ପୂଜନ ସହ ବାସ୍ତବ ଋପ ନେଇଛି ।