ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତର କାଣ୍ଡମା ଗାଁରେ ଦୋରା ସମ୍ପ୍ରଦାୟର ବାର୍ଷିକ ପର୍ବ ଠାକୁରାଣୀ ଯାତ୍ରା ମହାଆଡମ୍ବର ସହିତ ପାଳିତ ହୋଇଯାଇଛି। ଏହି ପର୍ବ ଦୀର୍ଘ ୧୨ ବର୍ଷ ପରେ ପାଳନ ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା ।ଗ୍ରାମ ଦେବୀ ଠାକୁରାଣୀ ହେଉଛନ୍ତି କାଣ୍ଡାମା ଗାଁର ଆରାଧ୍ୟ ଦେବୀ ।ଦୋରା ସମ୍ପ୍ରଦାୟର ପର୍ବ ହୋଇଥିଲେ ହେଁ ଗାଁର ସମସ୍ତ ସମ୍ପ୍ରଦାୟର ଲୋକେ ଏହି ପର୍ବକୁ ମିଶି ପାଳନ କରିଥାନ୍ତି । ଏହି ପର୍ବକୁ ତିନି ଦିନ ଧରି ପାଳନ କରିଥାନ୍ତି ଗ୍ରାମବାସୀ । ତିନି ଦିନ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଉଥିବ ବେଳେ ଯାତ୍ରା ପୂର୍ବରୁ ପ୍ରଥମେ ଶୁଭଖମ୍ବ ସ୍ଥାପନ କରାଯିବା ସହ ଲୋକଙ୍କ ଦେହରେ କାଲିସି ଆବିର୍ଭାବ ହୋଇଥାନ୍ତି । ଗାଁର ପୁଜାରି ମନ୍ତ୍ର ଉଚ୍ଚାରଣ କରି ସମସ୍ତ ଦେବଦେବୀଙ୍କୁ ଆହ୍ୱାନ କଲାପରେ ପୂଜାର୍ଚ୍ଚନା ଆରମ୍ବ ହୋଇଥାଏ । ଆଦୀମାତା ଠାକୁରାଣୀକୁ ସନ୍ତୁଷ୍ଟ କରିବା ପାଇଁ ଘୁଷୁରୀ, ବୋଦା, କୁକୁଡ଼ା, ପାରା ଆଦି ବଳି ଦେଇଥାନ୍ତିି । ଏହି ପର୍ବର ଦ୍ଵିତୀୟ ସନ୍ଧ୍ୟାରେ ଲାଞ୍ଜିଗଡ ପ୍ରେସ କ୍ଲବ ସଭାପତି କୈଳାସ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଧର୍ମେନ୍ଦ୍ର ପଣ୍ଡା, ମୁକୁନ୍ଦ ଦୋରା, ଲାଞ୍ଜି ସରପଞ୍ଚ ଯମୁନା ମାଝୀ, ମିନିକେତନ ପରିଚ୍ଛା, ମୁରଲୀ ସାହୁ, ଗଗନ ସାହୁ ପ୍ରମୁଖ ଯୋଗଦେଇଥିଲେ । କଣ୍ଡାମା ଗାଁର ମା ଗୌରୀ ସାଂସ୍କୃତିକ ଅନୁଷ୍ଠାନ ସଭାପତି ଦିଲୀପ ପରିଛା ସ୍ୱାଗତ ଭାଷଣ ଦେଇଥିବା ବେଳେ ରାହାସ ବିହାରୀ ପରିଛା, ମନୋଜ ଧଙ୍ଗଡା ମାଝୀ ଓ ଜିତେନ୍ଦ୍ର ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ । ମା ଗୌରୀ ସାଂସ୍କୃତିକ ଅନୁଷ୍ଠାନର ସମ୍ପାଦକ ଅଭିମନ୍ୟୁ ଦୋରା ଓ ସମସ୍ତ ସଦସ୍ୟ ଏହି ଯାତ୍ରାକୁ ସଫଳ କରିବା ଦିଗରେ ସହଯୋଗ କରିଥିଲେ ।