ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ମାଲକାନଗିରି ଜିଲ୍ଲାର ପ୍ରତିଷ୍ଠିତ ଅନୁଷ୍ଠାନ ସାହିତ୍ୟିକ ଲକ୍ଷ୍ମଣ ନାୟକ ସାହିତ୍ୟ ସଂସଦ ଏବଂ ଭଦ୍ରକ ଜିଲ୍ଲାର ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ଜାତୀୟ କବି ଲେଖକ ସଂଗଠନ ପକ୍ଷରୁ ରାଜ୍ୟସ୍ତରୀୟ ସାହିତ୍ୟିକ କବି କଳାକାର ସମାବେଶ-୨୦୨୨ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ତଥା ବରିଷ୍ଠ କବି ଦୀନବନ୍ଧୁ ବେଜ୍ ଏବଂ ସଭାପତି ଯଜ୍ଞେଶ୍ବର ପଣ୍ଡାଙ୍କ ସଭାପତିତ୍ୱରେ ସଂସଦର ପ୍ରଥମ ଅଧିବେଶନରେ ମାଲକାନଗିରିର, ବରିଷ୍ଠ ଶିକ୍ଷାବିତ ପଣ୍ଡିତ ଶରତ ଚନ୍ଦ୍ର ଦାସ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଏନେଇ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ମାଥିଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ମହେଶ ବାକା, ମୁଖ୍ୟ ବକ୍ତା ଭାବେ ନବରଙ୍ଗପୁରର ଓଡିଶା ସାହିତ୍ୟ ସାଧାରଣ ପରିଷଦ ସଦସ୍ୟ ବଲ୍ଲଭ ରାଉତ, ସମ୍ମାନିତ ଅତିଥି ଭାବେ ଲକ୍ଷ୍ମଣ ନାୟକ ସାହିତ୍ୟ ସଂସଦର ସଭାପତି ମାନଗୋବିନ୍ଦ ସ୍ୱାଇଁ, ଲକ୍ଷ୍ମୀପୁରର ବରିଷ୍ଠ କବି ମହାଦେବ ଶତପଥି, ମାଲକାନଗିରିର ବିଶିଷ୍ଠ ସାହିତ୍ୟିକ କେଶବ ଚନ୍ଦ୍ର ନାୟକ, ପ୍ରତିଷ୍ଠାତା ତଥା ସମ୍ପାଦକ ବରିଷ୍ଠ କବି ସାହିତ୍ୟିକ ସଂଗଠକ ଦୀନବନ୍ଧୁ ବେଜ୍ ଉପସ୍ଥିତ ଥିଲେ । ନବରଙ୍ଗପୁରର ଯୁବ ସାହିତ୍ୟିକ ସାଗର କୁମାର ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଯୁବ କବି ଲୋକେଶ କୁମାର ଜେନା ଶାନ୍ତିପାଠ କରିଥିଲେ । ସଂସଦର ଦ୍ଵିତୀୟ ଅଧିବେଶନରେ ମାଥିଲି ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ଅତିଥି ପରିଚୟ ସଂଗ୍ରାମ କେଶରୀ ପରିଡା ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ବିଶିଷ୍ଟ ଅତିଥି ଭାବେ ମାଥିଲି ବ୍ଲକ ଉନ୍ନୟନ ଅଧିକାରୀ ଆଶୀଷ କୁମାର ଭୋଇ, ମୁଖ୍ୟ ବକ୍ତା ଭାବେ ମାଲକାନଗିରି କୁଡୁମୁଲୁଗୁମ୍ମା ମହା ବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ନିରଞ୍ଜନ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ମାଲକାନଗିରିର କୁଡୁମୁଲୁଗୁମ୍ମାର ବରିଷ୍ଠ କବି ବଳରାମ ପୂଜାରୀ, ମାଲକାନଗିରି ଗୋପବନ୍ଧୁ ଡିଗ୍ରୀ କଲେଜ ବାଲିମେଳାର ଇଂରାଜୀ ବିଭାଗ ମୁଖ୍ୟ ଡ଼. ପଦ୍ମଲୋଚନ ରାଉତ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏହି କବିତା ଆସରେ ପ୍ରାୟ ୫୦ରୁ ଉର୍ଦ୍ଧ କବି ଏବଂ କବୟିତ୍ରୀ ଯୋଗ ଦେଇଥିଲେ । ଏହି କବିତା ଆସରକୁ ନବରଙ୍ଗପୁରର କବୟିତ୍ରୀ ତଥା ଅଧ୍ୟାପିକା ସ୍ୱପ୍ନା ମହାନ୍ତି, କୋରାପୁଟର କବୟିତ୍ରୀ ଶୋଭାଗିନୀ ନନ୍ଦ ଏବଂ ମାଲକାନଗିରି ବାଲିମେଳାର ସୁସାହିତ୍ୟିକ ପଣ୍ଡିତ ଭାବଗ୍ରାହୀ ତ୍ରିପାଠୀ ସଂଯୋଜନା କରିଥିଲେ । ଏହି ଅବସରରେ ଅନେକ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହି କ୍ରମରେ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।