ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଫକୀରମୋହନ ଫାଉଣ୍ଡେସନ, ନୂଆଦିଲ୍ଲୀ ଓଡ଼ିଶା ଶାଖା ପକ୍ଷରୁ ଫକୀରମୋହନଙ୍କ ଶ୍ରାଦ୍ଧବାର୍ଷିକୀ ପାଳନୋତ୍ସବ କାର୍ଯ୍ୟକ୍ରମ ୨୧୭, ବସନ୍ତ ନିବାସ, କେଦାର ଗୌରୀ ରୋଡରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଫକୀରମୋହନ ସେନାପତିଙ୍କ ଅଣନାତୁଣୀ ତଥା ଫାଉଣ୍ଡେସନର ପ୍ରତିଷ୍ଠାତ୍ରି ମ୍ୟାନେଜିଂ ଟ୍ରଷ୍ଟି ଡ. ମନିକା ଦାସ ଫକୀରମୋହନ ଫାଉଣ୍ଡେସନ ସହିତ ଯୁବପିଢି ଏବଂ ଶିଶୁପିଢିର ପ୍ରତ୍ୟକ୍ଷ ସଂପୃକ୍ତିକୁ ଲୋକଲୋଚନକୁ ଆଣିବା ପାଇଁ ଚେଷ୍ଟା କରିଥିଲେ । ତା ସହିତ ଫାଉଣ୍ଡେସନ କିଭଳି ବିଭିନ୍ନ ପ୍ରକାର ଆଞ୍ଚଳିକ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟକ୍ରମ ଆୟୋଜନ କରି ଫକୀରମୋହନଙ୍କ ବିଶ୍ବଦୃଷ୍ଟିକୁ ସମ୍ମୁଖିକୃତ କରାଇବାରେ ସର୍ବଦା ତତ୍ପରତା ପ୍ରଦର୍ଶନ କରିଆସୁଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରଥମେ ଫାଉଣ୍ଡେସନର ଉପ ମହାନିର୍ଦ୍ଦେଶିକା ଅନିନ୍ଦିତା ଦାସ ଫକୀରମୋହନ ସେନାପତିଙ୍କ ଦ୍ଵାରା ରଚିତ କବିତାକୁ ସଙ୍ଗୀତରେ ଗାନକରିଥିଲେ । ଫକୀରମୋହନ ଫାଉଣ୍ଡେସନର ମହାନିର୍ଦ୍ଦେଶିକା ତଥା ଓଡ଼ିଶାର ବିଖ୍ୟାତ କଥାଶିଳ୍ପୀ ଡ. ହିରଣ୍ମୟୀ ମିଶ୍ର ଫକୀରମୋହନ ଫାଉଣ୍ଡେସନ କିଭଳି ବହୁବିଧ କାର୍ଯ୍ୟକ୍ରମ ମାଧ୍ୟମରେ ଫକୀରମୋହନଙ୍କ ସଂଦୃଷ୍ଟିକୁ ପ୍ରତିଷ୍ଠା କରାଇବା ପାଇଁ ଉଦ୍ୟମ ଜାରି ରଖିଛି ସେ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଫାଉଣ୍ଡେସନର ମହାସଚିବ ଡ. ରବୀନ୍ଦ୍ର କୁମାର ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଫକୀରମୋହନ କିଭଳି ଭାରତୀୟ ସାହିତ୍ୟର ମହାନାୟକ; ସେ କିଭଳି ଓଡ଼ିଆ ତୁଣ୍ଡର ଭାଷାକୁ ସାହିତ୍ୟିକ ରୂପ ଦେଇଥିଲେ ତଥା ବଙ୍ଗଳା ସାହିତ୍ୟର ଅନୁକରଣରେ ଓଡ଼ିଆ ସାହିତ୍ୟ ରଚନା ନକରି ମୌଳିକତା ପ୍ରଦର୍ଶନ କରିଛନ୍ତି ସେ ବିଷୟରେ ତଥ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ ପ୍ରଶାନ୍ତ ନନ୍ଦ ତାଙ୍କ ବକ୍ତବ୍ୟରେ ଫକୀରମୋହନ କିଭଳି ବିଶ୍ବନାଥ କର, ଗୌରୀ ଶଙ୍କର ରାୟ, ଗଙ୍ଗାଧର ମେହେର, ରାମଶଙ୍କର ରାୟଙ୍କ ସହିତ ଘନିଷ୍ଠ ଥିଲେ ଏବଂ ଫକୀରମୋହନଙ୍କ ମହାପ୍ରୟାଣ ପରେ କିଭଳି ତାଙ୍କ ସମ୍ପର୍କିତ ବିରଳ ସ୍ମୃତି ଚାରଣ କରିଥିଲେ ସେ ବିଷୟରେ ସବିଶେଷ ତଥ୍ୟଭିତ୍ତିକ ବକ୍ତବ୍ୟ ରଖିଥିଲେ । ଫକୀରମୋହନ ଓଡ଼ିଆ ଭାଷାକୁ ସୁରକ୍ଷା ଦେବା ଫଳରେ “ଆମେ ରାଜ୍ୟ ସଭାରେ ଗର୍ବର ସହିତ ବସି ନିଜକୁ ଓଡ଼ିଆ ବୋଲି ପରିଚିତ କରାଇ ପାରୁଛୁ” ଉକ୍ତିଟି ଶ୍ରୀ ନନ୍ଦଙ୍କର ଅତ୍ୟନ୍ତ ଅଭିନନ୍ଦନୀୟ ଥିଲା । ଫକୀରମୋହନଙ୍କ ରଚିତ କବିତା ଆବୃତ୍ତି ପ୍ରତିଯୋଗିତାରେ ଦ୍ବିତୀୟ ସ୍ତରରେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଆଶୁତୋଷ ପଟ୍ଟନାୟକ ଏବଂ ମୀରାଶ୍ରିତା ଦାସ; ତୃତୀୟ ସ୍ତରରେ ପ୍ରଥମ, ଦ୍ବିତୀୟ, ତୃତୀୟ ଓ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ସୌମ୍ୟରଞ୍ଜନ ଦୀକ୍ଷିତ, ବିକେଶ ସାହୁ, ବାବୁଲୁ ପଧାନ ଏବଂ ଅନୁଶିଖା ପାଣିଗ୍ରାହୀଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ସଭାକାର୍ଯ୍ୟକୁ ଆରମ୍ଭରୁ ଶେଷ ଯାଏ ବାଲେଶ୍ଵର ଉଇଟିକିରି ସ୍ଥିତ ଶାନ୍ତିଲତା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ମମତା ସାହୁ ସୁଚାରୁରୂପେ ସଂଯୋଜନା ତଥା ପରିଚାଳନା କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଫକୀରମୋହନଙ୍କ ରଚିତ ସଙ୍ଗୀତ ଗାନ କରିଥିଲେ ଶ୍ରୀମତୀ ଅନିନ୍ଦିତା ଦାସ ।