ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପତି ପତ୍ନୀ ହୋଇ ଦୁହେଁ ରହୁଥିଲେ ଖୁସିରେ । ତେବେ ନିଜର ବୋଲି ଘର ଖଣ୍ଡିଏ ନଥିବାରୁ ପତ୍ନୀ ତାଙ୍କୁ ବାହାର ରାଜ୍ୟକୁ ଯାଇ କାମ କରି ଦୁଇପଇସା ଅଧିକ ରୋଜଗାର କରିବାକୁ ମନାଇଥିଲେ । ପତ୍ନୀଙ୍କ ସହିତ ପରାମର୍ଶ କରି ଦାଦନ ଖଟିବାକୁ ଯାଇଥିଲେ ସ୍ୱାମୀ । ତେବେ ସ୍ୱାମୀ ଘର ଛାଡି ଯିବାର ସପ୍ତାହେ ବିତିଛି କି ନାହିଁ । କାହାକୁ କିଛି ନକହି ଘର ଛାଡି କୁଆଡେ ଚାଲିଯାଇଛନ୍ତି ସ୍ତ୍ରୀ । ବାରମ୍ବାର ଫୋନ୍ କଲେ ବି ତାଙ୍କ ଫୋନ୍ କେହି ଉଠାଉନାହାନ୍ତି । ଫଳରେ ଅନ୍ୟ ଉପାୟ ନପାଇ ଥାନାର ଦ୍ୱାରସ୍ତ ହୋଇଛନ୍ତି ହତାଶ ସ୍ୱାମୀ । ନିଜ ପତ୍ନୀ ନିଜ ଇଛାରେ କୁଆଡେ ଯାଇଛନ୍ତି ନା କେହି ତାଙ୍କୁ ଅପହରଣ କରି ନେଇଛନ୍ତି ଏ ନେଇ ପୁଲିସକୁ ଗୁହାରି କରିଛନ୍ତି । ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ତଥା ନର୍ଲା ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତର ପାଣିମୁଣ୍ଡାଠାରେ । ଏହି ଗାଁର ବୀର ଗଉଡ ନାମ ଜଣେ ଯୁବକ ଚାରିବର୍ଷ ତଳେ ଜଣେ ଆଦିବାସୀ ସଂପ୍ରଦାୟର ଯୁବତୀ କ୍ଷିତିସୂତା ମାଝୀଙ୍କୁ ପ୍ରେମ ବିବାହ କରିଥିଲେ । ଚାରିବର୍ଷ ପର୍ଯ୍ୟନ୍ତ ଦୁହେଁ ଅତ୍ୟନ୍ତ ହସଖୁସିରେ କାଳ କାଟୁଥିବାବେଳେ ଗତ ପନ୍ଦର ଦିନ ତଳେ ସ୍ୱାମୀ-ସ୍ତ୍ରୀ କଥା ହୋଇ ବୀର ସିକନ୍ଦରାବାଦକୁ ଦାଦନ ଖଟିବାକୁ ଯାଇଥିଲେ । ଏହି ସମୟରେ ଘରେ ଥିଲେ ତାଙ୍କ ପତ୍ନୀ କ୍ଷିତିସୂତା ।
ତେବେ ବୀର ସିକନ୍ଦରାବାଦ ଯିବାର କିଛିଦିନ ଦୁହେଁ ଫୋନରେ କଥା ହେଉଥିଲେ । କିନ୍ତୁ ୧୦ ତାରିଖ ଶୁକ୍ରବାର ରାତି ନଅଟା ପରେ ତାଙ୍କ ଫୋନ୍ ରିଙ୍ଗ ହେଲେ ବି କେହି ଉଠାଇନଥିଲେ । ବାରମ୍ବାର ଫୋନ୍ କରିବା ପରେ ତାଙ୍କ ଘର ସାମ୍ନାରେ ଥିବା ନିଜ ବଡଭଉଣୀଙ୍କୁ ଘରକୁ ଯାଇ ଦେଖିବାକୁ କହିଥିଲେ । ବଡଭଉଣୀ ଯାଇ ଦେଖିବାବେଳେ ଘରେ ତାଲା ପଡିଥିଲା, କ୍ଷିତିସୂତା ନଥିଲେ । ଏହାପରଠାରୁ ଆଜିଯାଏଁ ବୀର ଫୋନ୍ କରୁଥିଲେ ହେଁ କ୍ଷିତିସୂତାଙ୍କ ଫୋନ୍ ଲାଗୁନାହିଁ । ପାଖପଡୋଶୀ, ପରିବାର ଓ ସଂପର୍କୀୟଙ୍କ ସହିତ ଯୋଗାଯୋଗ କରିଥିଲେ ହେଁ କ୍ଷିତିସୂତାଙ୍କ ଖୋଜଖବର ମିଳିନି । ଏନେଇ ବୀର ନର୍ଲା ଥାନାର ଦ୍ୱାରସ୍ତ ହୋଇଥିବାବେଳେ ନର୍ଲା ପୁଲିସ କେସ୍ ନଂ ୨୪/୨୦୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅପରପକ୍ଷରେ ପତ୍ନୀ କ୍ଷିତିସୂତାଙ୍କ ଏକ ଫଟୋ ଧରି ବୀର ତାଙ୍କୁ ଖୋଜି ବୁଲୁଛନ୍ତି, ଯାହାକୁ ଦେଖୁଛନ୍ତି, ନିଜ ସ୍ତ୍ରୀଙ୍କ ସଂପର୍କରେ ପଚାରୁଛନ୍ତି । ଯେଉଁଠି ଅଛୁ, ତୁ ଫେରିଆ । ଆମେ ଆଗ ପରି ରହିବା । ଘର ସଂସାର କରିବା ବୋଲି ସେ କହିବା ଭାବାନ୍ତର ସୃଷ୍ଟି କରିଛି ।