ପହିଲି ବର୍ଷାରେ ଚାଷୀ ତତ୍ପର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଚଳିତ ବର୍ଷ ଓଡିଶାରେ ମୌଷୁମୀ ପହଞ୍ଚି ସାରିଥିବା ଜଣାପଡିଛି । ଜୁନ ୧୫ରେ ସାଧାରଣତ ବର୍ଷା ଆରମ୍ଭ ହୋଇଯାଇଥାଏ । ହେଲେ ଗତ ୩ ବର୍ଷ ଧରି ଜୁଲାଇ ଆରମ୍ଭରୁ ବର୍ଷା ହେଉଥିବା ଦେଖିବାକୁ ମିଳୁଛି । ପାଣିପାଗ ବିଭାଗ ସ୍କାଏମେଟ ଘୋଷଣା କରିସାରିଲାଣି ଯେ, ଆସନ୍ତା ୨୦ ଜୁନରୁ ତିନିଦିନ ଧରି ପ୍ରବଳ ବର୍ଷା ହେବ । ମୌଷୁମୀ ରାଜ୍ୟକୁ ଛୁଇଁଛି । ପାଗରେ ପରିବର୍ତ୍ତନ ହୋଇଛି । ଚାରିଆଡେ ଆକାଶ ମେଘାଚ୍ଛନ୍ନ । ଗୁଳୁଗୁଳି ହେଉଛି ହେଲେ ଆଗଭଳି ଆଉ ଖରାର ପ୍ରାଦୁର୍ଭାବ ନାହିଁ । ଅଞ୍ଚଳର ଚାଷୀକୂଳ ଆଶା ବାନ୍ଧି ବସିଛନ୍ତି ମୌଷୁମୀ ପହଞ୍ଚି ସାରିଛି । ଚଳିତ ବର୍ଷ ଭଲ ବର୍ଷା ହେବ । ପୂର୍ବରୁ ପ୍ରାକ୍ ମୌଷୁମୀ ବର୍ଷାକୁ ନେଇ ଚାଷୀକୂଳ ଆତ୍ମ ବିଭୋର ହୋଇପଡିଛନ୍ତି । ପହିଲି ବର୍ଷା ପରଶରେ ମାଟି ନରମ ହେବା ଫଳରେ ଜମିରେ ହଳ କରିବା ଆରମ୍ଭ କରିଦେଇଛନ୍ତି । କେତେକ ଚାଷୀ ଧାନ ମଧ୍ୟ ନିଜ ଜମିରେ ବୁଣିବା ଆରମ୍ଭ କରିଦେଲେଣି । ଏବେ ଚାଷ ପାଇଁ ତତ୍ପର ହୋଇପଡିଛନ୍ତି ଚାଷୀ । କଳାହାଣ୍ଡି ଜିଲ୍ଲା ନର୍ଲା ଏକ ଅଣ ଜଳସେଚିତ ଅଞ୍ଚଳ ହୋଇଥିବା ବେଳେ ଏଠିକାର ଚାଷୀ ଚାଷ କାର୍ଯ୍ୟ ପାଇଁ ବର୍ଷାପାଣି ଉପରେ ସମ୍ପୁର୍ଣ୍ଣ ଭାବରେ ନିର୍ଭର କରିଥାନ୍ତି । ଆଉ ଭଲ ବର୍ଷା ହେଲେ ତ ଠିକ୍ । ନହେଲେ ମରୁଡିର କଷାଘାତରେ ଚାଷୀଙ୍କ ମେରୁଦଣ୍ଡ ଦୋହଲି ପଡିଥାଏ । ନର୍ଲାରେ ୨୦୧୬ ରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ପୂର୍ବବର୍ଷ ୨୦୧୭ ଓ ଗତବର୍ଷ ୨୦୧୮ ମସିହାରେ ବର୍ଷା ଠିକ୍ ଅନୁପାତରେ ହୋଇଥିଲା । ହେଲେ ବାରମ୍ବାର ଲଘୁଚାପ ଜନିତ ବନ୍ୟା ଓ ଚକଡା ରୋଗ ଯୋଗୁଁ ଅନେକ ଚାଷୀ ନୟାନ୍ତ ହୋଇପଡିଥିଲେ । ଗତ ଦୁଇବର୍ଷ ଧରି ଭଲ ବର୍ଷା ନହେବାରୁ ମରୁଡି ପରଡି ପରିସ୍ଥିତି ଦେଖା ଦେଇଥିଲା । ଗତ ବର୍ଷ ଜଳସେଚନ ସୁବିଧା ନଥିବା ଅଞ୍ଚଳର ଚାଷୀକୂଳ ମରୁଡି ଯୋଗୁଁ ସର୍ବସ୍ୱାନ୍ତ ହୋଇ ପଡିଥିଲେ । ସରକାର ମରୁଡି ବୋଲି ଘୋଷଣା କରିଥିଲେ ମଧ୍ୟ ଏଯାଏଁ କୌଣସୀ ଚାଷୀଙ୍କୁ ବୀମା ଟଙ୍କା କିମ୍ବା ସରକାରଙ୍କ ତରଫରୁ କୌଣସୀ ପୟାକେଜ ମିଳିନାହିଁ । ଏବର୍ଷ ବର୍ଷା ଭଲ ହେବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନରେ ଅଞ୍ଚଳର ଚାଷୀ ଖୁସି ଅଛନ୍ତି । ଗତ ତିନି ମାସ ଧରି ପ୍ରଚଣ୍ଡ ରୌଦ୍ର ତାପରେ ମାଟି ଶୁଖିଲା ପଡି ସଂପୁର୍ଣ୍ଣ ଆଣ୍ଟ ହୋଇଯାଇଛି । ଅନ୍ୟ ବର୍ଷ ଗୁଡିକରେ ଖରାଦିନରେ ମଧ୍ୟ ଯେପରି ଲଘୁଚାପ ବର୍ଷା ଓ କାଳ ବୈଶାଖିରେ ଯାହା କିଛି ବର୍ଷା ହେଉଥିଲା । ଏବର୍ଷ ତା’ ମଧ୍ୟ ନର୍ଲା ଅଞ୍ଚଳରେ ହୋଇ ନାହିଁ । ଗତ ଦୁଇଦିନ ହେଲା ଆରମ୍ଭ ହୋଇଯାଇଛି ବର୍ଷର ପ୍ରଥମ ମୌଷୁମୀ ବର୍ଷା । ଦୀର୍ଘ ଦୁଇମାସ ଧରି ପ୍ରଚଣ୍ଡ ରୌଦ୍ର ତାପରେ ଶୁସ୍କ ହୋଇପଡିଥିବା ମାଟିରେ ମଉଳି ଯାଇଥିଲେ ଗଛଲତା । ପହିଲି ମୌଷୁମୀ ବର୍ଷାର କୋମଳ ପରଶରେ ସତେ ଯେମିତି ଜୀବନ୍ତ ହୋଇ ପଡିଛନ୍ତି । ଛୋଟଛୋଟ ଗୁଳ୍ମରାଜିର ମଧ୍ୟ ଅଙ୍କୁରୋଦ୍ଗମ ହୋଇଯାଇଛି । ବେଶୀ ନହେଲେ ମଧ୍ୟ ପ୍ରତ୍ୟହ ଅସରାଏ ଲେଖାଏଁ ବର୍ଷା ପଡୁଛି । ଏବେ ବାପୁଡା ଚାଷୀପୁଅ ପୁରା ତତ୍ପର ହୋଇ ପଡିଛି ଚାଷ କାମରେ । ସବୁଆଡେ ଜମିକୁ ହଳ କରୁଥିବାର ଦୃଶ୍ୟମାନ ହେଉଛି । କେଉଁଚାଷୀ ହଳ ଲଙ୍ଗଳ ଯୋଗେ ଜମିକୁ ଚଷୁଥିବା ବେଳେ ସକ୍ଷମ ଚାଷୀ ଟ୍ରାକ୍ଟର ଯୋଗେ ଜମିକୁ ଚଷୁଥିବାର ଦେଖିବାକୁ ମିଳୁଛି । ଏହି ପହିଲି ବର୍ଷାରେ ଜମିକୁ ଭଲଭାବରେ ହଳକରି ମାଟିକୁ ହାଲୁକା କରିଥିଲେ ବିହନ ଗଣ୍ଡାକ ବୁଣିବ, ନତୁବା ଧାନ ରୋଇବ । ଅକ୍ଷୟ ତୃତୀୟା ରେ ଆଗରୁ ଅକ୍ଷିମୁଠି ନିୟମ ମୁତାବକ ଅନୁକୁଳ କରି ସାରିଥିଲେ ମଧ୍ୟ ପହିଲି ମୌଷୁମୀ ବର୍ଷାରୁ ଆରମ୍ଭ ହୋଇଥାଏ ପ୍ରକୃତ ଚାଷକାର୍ଯ୍ୟ । ଜମିକୁ ଚଷି ମାଟିକୁ ହାଲୁକା କରିବା ପରେ ପିଡିଆ ଖତ, ଗୋବର ଖତର ପ୍ରୟୋଗ ଫଳରେ ମାଟି ଉର୍ବର ହୋଇ ଭଲ ଫସଲ ଅମଳ ହୋଇଥାଏ । ଚାଷୀ ହୁଡିଲେ ବରଷେ । ଏଣୁ ପହିଲି ବର୍ଷାରୁ ଚାଷୀ ତତ୍ପର ହୋଇ ଉଠିଛି ଚଳିତ ବର୍ଷ ମଧ୍ୟ କିଭଳି ଭଲ ଫସଲ ଅମଳ କରିବ ସେଇ ଲକ୍ଷ୍ୟ ନେଇ । ଜମିକୁ ଭଲ ଭାବରେ ଚଷି ହାଲୁକା କରି ସାରିଲେ ବିହନ ଗଣ୍ଡାକ ବୁଣିବ । ମୌଷୁମୀ ବର୍ଷାତ ଆରମ୍ଭ ହୋଇଛି । ହେଲେ ଆବଶ୍ୟକ ପରିମାଣର ବର୍ଷା ହୋଇନାହିଁ । ଫଳରେ ଜମିକୁ ଗଭୀର ଭାବରେ ଚଷି ହେଉନଥିବା ଚାଷୀମାନେ ମତବ୍ୟକ୍ତ କରୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.