ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି/ କେସିଙ୍ଗା (ଗଜିନ୍ଦ୍ର ସାହୁ/ ମଧୁସୂଦନ ଠାକୁର): ଦୀର୍ଘ ପାଞ୍ଚ ବର୍ଷ ଧରି ନିଚ୍ଛକ ଖବର ପରିବେଷଣ କରି ଓଡ଼ିଶାବାସୀଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ‘ଓଡ଼ିଆ ବାର୍ତ୍ତା’ର ସାପ୍ତାହିକ ଇ-ଖବରକାଗଜ ସଂସ୍କରଣ ଅଗଷ୍ଟ ୭ରୁ ଆରମ୍ଭ ହୋଇଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ଓଡିଆ ବାର୍ତ୍ତା କାର୍ଯ୍ୟାଳୟ ଠାରେ ଆଜି ଅପରାହ୍ନରେ ଏହାର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ବାର୍ତ୍ତା ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, କାଉନସିଲର ରୋହିତ ଜୈନ ଓ ପ୍ରକାଶ ବନଛୋର, ଓଡ଼ିଆ ବାର୍ତ୍ତା ମୁଖ୍ୟ ପରିଚାଳନା ନିର୍ଦ୍ଦେଶିକା ସଂଯୁକ୍ତା ନାଗ ଯାଦବ, ପରିଚାଳନା ନିର୍ଦ୍ଦେଶିକ ଗୋବିନ୍ଦ ବାନଛୋର, ସୁନୀଲ କୁମାର ଅଗ୍ରୱାଲ ଓ ବିଜୟ ଧଙ୍ଗଡାମାଝୀ, ଡାକେଶ୍ବର ଲହଜଲ ପ୍ରମୁଖ ମଞ୍ଚାସୀନ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଓଡ଼ିଆ ବାର୍ତ୍ତା ନିର୍ଭିକ ଓ ନିରପେକ୍ଷ ଭାବରେ ଖବର ପ୍ରସାରଣ କରି ଆସୁଛି। ଓଡିଆ ବାର୍ତ୍ତା ପ୍ରତିନିଧି ଓ ସଂପାଦନା ମଣ୍ଡଳୀର ଅକ୍ଲାନ୍ତ ପରିଶ୍ରମ ସହ ପାଠକମାନଙ୍କ ଅନାବିଳ ଭଳ ପାଇବା ଯୋଗୁଁ ଏହା ପ୍ରତିଟି ଓଡିଆର ସ୍ବର ହୋଇପାରିଛି। ତେଣୁ ଏହି ଅବସରରେ ଓଡିଆ ବାର୍ତ୍ତାର ଅଗଣିତ ପାଠକ ପାଠିକା ଓ ଶୁଭେଚ୍ଛୁ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ। ଅତିଥିମାନେ ଓଡ଼ିଆ ବାର୍ତ୍ତାର ଖବର ପରିବେଷଣ ଶୈଳୀକୁ ପ୍ରଶଂସା କରିବାସହ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଓଡ଼ିଆ ବାର୍ତ୍ତା ପରିଚାଳନା ସଂପାଦକ ସଞ୍ଜୟ କୁମାର ଧଙ୍ଗଡାମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶେଷରେ ସହସଂପାଦକ ସଲିଲ କୁମାର ଧଙ୍ଗଡାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଓଡିଆ ବାର୍ତ୍ତା ପରିବାରର ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।