ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବ୍ରାହ୍ମଣ ସମାଜ କଳାହାଣ୍ଡିର ମହିଳା ଶାଖା ପ୍ରଜ୍ଞା ବାହିନୀ ପକ୍ଷରୁ ଭବାନୀପାଟଣା ସ୍ଥିତ କଳାହାଣ୍ଡି ଲେଖକ କଳା ପରିଷଦ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଜ୍ଞା ବାହିନୀ ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡ, ଉପସଭାପତି ଜନାର୍ଦ୍ଦନ ପଣ୍ଡା, ସାଧାରଣ ସମ୍ପାଦକ ସତ୍ୟନାରାୟଣ ମହାପାତ୍ର, ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା, ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା ଅତିଥି ଭାବରେ ଯୋଗଦେଇଥିଲେ। ଆସନ୍ତା ୧୧ ତାରିଖ ଅପରାହ୍ନ ୪ଟାରେ ଲେଖକ କଳା ପରିଷଦ ପରିଷରରେ ପ୍ରଜ୍ଞା ବାହିନୀ ପକ୍ଷରୁ ସାମୂହିକ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ବୈଠକରେ ସ୍ଥିରୀକୃତ ହୋଇଛି। ଏଥିରେ ପ୍ରଜ୍ଞା ବାହିନୀର ସଦସ୍ୟା ମାନେ ଉପସ୍ଥିତ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧିବେ ଓ ଏହି ଅବସରରେ ଏକ ସମାବେଶ ଆୟୋଜିତ ହେବ। ଏଥିରେ ମହିଳା ଓ ଯୁବତୀ ସଦସ୍ୟା ମାନଙ୍କ ଦ୍ଵାରା କବିତା ଆବୃତ୍ତି, ଗଳ୍ପ କଥନ, ଭଜନ ପରିବେଷଣ, ସ୍ତୋସ୍ତ୍ର ପାଠ ଆଦି ପରିବେଷିତ ହେବ। ଏହି ବୈଠକ ଅବସରରେ ପ୍ରଜ୍ଞା ବାହିନୀର ଏକ ସାତ ଜଣିଆ ଭବାନୀପାଟଣା ନଗର ସଂଯୋଜିକା ମଣ୍ଡଳୀ ଗଠିତ ହୋଇଥିଲା। ପ୍ରମିଳା ମିଶ୍ର, ସୁଦେସ୍ନା ପଣ୍ଡା, ସୁରମା ପଣ୍ଡା, ଅନୁପମା ମହାପାତ୍ର, କବିତା ମୁଣ୍ଡ, ସୁରଲତା ପାତ୍ର ଓ ନମିତା ପାଣିଗ୍ରାହୀଙ୍କୁ ପ୍ରଜ୍ଞା ବାହିନୀ ଭବାନୀପାଟଣା ନଗର ସଂଯୋଜିକା ମଣ୍ଡଳୀର ସଦସ୍ୟା ଭାବରେ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସଦସ୍ୟା ସୁଦେସ୍ନା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।