କବିତା: ତୁମେ ଆସିବ ବୋଲି

✍🏼ଡା ଇପ୍‌ସିତା ପ୍ରଧାନ

ତୁମେ ଆସିବ ବୋଲି,
ସମୟ ପାଖରୁ –
ମୁଁ ଧାର ଆଣିଥିଲି କିଛି ସମୟ!
ପାଞ୍ଚ ଦିନ ଯାଏ,
ଅଫିସରୁ ଫେରି –
ଥାକ ଅଣ୍ଡାଳୁ ଥିଲି ଡ୍ରେସଟେ ପାଇଁ,
ସଫା କରୁଥିଲି,
ମଣ୍ଡ ଦେଉଥିଲି,
ଇସ୍ତ୍ରୀ କରି ଚଉତୁ ଥିଲି,
ଆଉ ପୁଣି ଧନ୍ଦି ହେଉଥିଲି!
ମୋ’ ହାତ ରନ୍ଧା ପସନ୍ଦ ବୋଲି,
ନିଇତି ମେନୁ ବନଉଥିଲି,
ଆଉ ପରସିବା ପାଖରୁ
ମନ ବଦଳଉଥିଲି।
ତୁମେ ଆସିବ ବୋଲି,
ରୋଜ କିଛିକିଛି ସମୟ ଧାରରେ-
ଯୋଗାଡ କରୁଥିଲି।
ବହି, ସିନେମା, ଏକ୍ଜିବିସନ୍,
ଗୀତ, ବିଅର, ଡ୍ରାଇଭ୍ –
ସବୁର ତାଲିକା ବନଉଥିଲି,
ତୁମେ ଆସିବ ବୋଲି-
ଧାର ମଗା ସମୟ ତକକୁ
ମୁଁ ଥାକଥାକ କରି ସଜାଡୁଥିଲି।
ଜହ୍ନ, ବାଦଲ, ପବନ, ମଲ୍ଲି –
ଏ ସହସ୍ତଙ୍କୁ ମୁଁ ତାଗିଦ କରୁଥିଲି,
ଦାୟିତ୍ୱ ବାଣ୍ଟୁଥିଲି,
ତୁମେ ଆସିବ ବୋଲି –
ଏମାନଙ୍କ ସମୟରେ ଗଣ୍ଠି ମାରୁଥିଲି,
ମୁଁ ରୋଜ କିଛି ସମୟ –
ଧାରରେ ଯୋଗାଡ କରୁଥିଲି।
ତୁମେ ଆସିବ ବୋଲି –
ମୁଁ ଆଉ ମେନଗେଟରେ ତାଲା ଦେଉ ନଥିଲି,
କଲି° ବେଲ୍ ସଜାଡି ନେଇଥିଲି,
ମୋବାଇଲକୁ ସାଇଲେଣ୍ଟ୍ କରିଦେଉଥିଲି,
ଧାରକରା ସମୟତକକୁ –
ଝାଡିଝୁଡି ରଖୁଥିଲି,
ତୁମେ ଆସିବ ବୋଲି –
ମୁଁ ସମୟ ପାଖରୁ,
କିଛି ସମୟ ଧାର ଆଣିଥିଲି!

ଭୁବନେଶ୍ୱର
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.