ପ୍ରାଚୀନ ପରଂପରା ଓ ସାମାଜିକ ସଂହତିର ସୁନ୍ଦର ନିଦର୍ଶନ : ସୁବର୍ଣ୍ଣପୁର ର ଦଣ୍ଡଯାତ୍ରା

କୃଷି ଭିତ୍ତିକ ଜିଲ୍ଲା ସୁବର୍ଣ୍ଣପୁରରେ ପାଳିତ ହୋଇ ଆସୁଥିବା ବିଭିନ୍ନ ପର୍ବ ପର୍ବାଣୀ ମଧ୍ୟରେ ଦଣ୍ଡ ଯାତ୍ରା ଅନ୍ୟତମ । ଏହା ଏକ ଭିନ୍ନ ପରମ୍ପରାର ସ୍ବାକ୍ଷର ବହନ କରି ତା’ର ଜୟ ଯାତ୍ରା ଜାରି ରଖିଛି । ସାଧାରଣ ମଣିଷର ଜୀବନଯାତ୍ରାର ନିଛକ ଚିତ୍ର, ଜାତି ପରମ୍ପରା ଓ ସାମାଜିକ ଶିକ୍ଷାର ବାର୍ତ୍ତା ପହନ କରିଥାଏ ପଶ୍ଚିମ ଓଡ଼ିଶାର ଏହି ନିଆରା ଦଣ୍ଡଯାତ୍ରା । ଚୈତ୍ର ମାସର ଟାଣ ଖରାରେ ନିଷ୍ଠାର ସହିତ ବ୍ରତୀମାନଙ୍କ ଦ୍ୱାରା ଦଣ୍ଡ ପର୍ବ ପାଳିତ ହୋଇଥାଏ । ସମାଜ ଯେତେ ଆଧୁନିକତା ଆଡକୁ ଗତି କରୁଥିଲେ ସୁଦ୍ଧା ସୁବର୍ଣ୍ଣପୁର ସମେତ ପଶ୍ଚିମ ଓ ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲାରେ ଆଜି ମଧ୍ୟ ଏହି ପୁରୁଣା ପରମ୍ପରା ଦଣ୍ଡ ଯାତ୍ରାକୁ ବହୁ ଗ୍ରାମ ଗୁଡିକ ଜୀବିତ ରଖିପାରିଛନ୍ତି । କେଉଁଠି ଏହି ପର୍ବକୁ ୨୧ ଦିନ ଧରି ପାଳନ କରାଯାଉଥିବା ବେଳେ ଆଉ କେଉଁଠି ୧୭ ଦିନ ଧରି ପାଳନ କରାଯାଇ ମେରୁ ସଂକ୍ରାନ୍ତିରେ ଶେଷ ହୋଇଥାଏ ।

ଏହି ଯାତ୍ରାରେ ଦଣ୍ଡ ବ୍ରତଧାରୀମାନେ ଭଗବାନ ଶିବ ଓ ମା କାଳୀଙ୍କ ଉପାସନା କରିବା ସହିତ ଗ୍ରାମକୁ ଗ୍ରାମ ଭ୍ରମଣ କରିଥାଆନ୍ତି । ଗ୍ରାମ ପରିଭ୍ରମଣ ସମୟରେ ଦଣ୍ଡ ବ୍ରତ ଧାରି ଭକ୍ତମାନେ ଖାଲି ପାଦରେ ଚାଲି ଚାଲି ଯିବା ସହ ହାତରେ ଛତର, ବାନା , ବୈରଖ ଧରି ବାଜା ଓ ଘଣ୍ଟ ବଜାଇ ଯାଇଥାନ୍ତି । ଗ୍ରାମକୁ ଦଣ୍ଡ ଦଳ ଆସିବା କ୍ଷଣି ସେହି ଗ୍ରାମର ମୁଖିଆ ବା ଗାଁ ଗଉଁତିଆ ଠାକୁରଙ୍କୁ ବନ୍ଦାଣ କରିଥାନ୍ତି ଓ ଗ୍ରାମରେ ରହିବା ପାଇଁ ଆବାହନ କରିଥାନ୍ତି । ବନ୍ଦାଣ ପୂଜା ପରେ ଦଣ୍ଡ ଦଳ ଗାଁର ଆମ୍ବାତୋଟା କିମ୍ବା ଗ୍ରାମ ମଣ୍ଡପରେ ରହିଥାଆନ୍ତି ।

ଦଣ୍ଡ ଯାତ୍ରାର ଭକ୍ତ ମାନେ ଦିନରେ ଉପବାସରେ ରହିବା ସହ ପଣା ପାଣି ପିଇବା ସହ କେବଳ ରାତିରେ ଅରୁଆ ଅନ୍ନ ପ୍ରସାଦ ସେବନ କରିଥାଆନ୍ତି । ଠିକ ଟାଣ ଖରା ଅର୍ଥାତ ସମୟ ଅପରାହ୍ନ ୩ଟା ସମୟରେ ବ୍ରତୀ ମାନେ ପ୍ରଭୁଙ୍କୁ ଧରି ଗାଁକୁ ଆସି ଧୂଳି ସେବା ବା ପାଣି ସେବା କରନ୍ତି । ଏହି ଧୂଳି
ସେବା ବା ପାଣି ସେବା ସମୟରେ ଭକ୍ତମାନେ ବା ମାନସିକଧାରିମାନେ ଟାଣ ଖରାକୁ ଖାତିର ନ କରି ବିଭିନ୍ନ ପ୍ରକାରରେ ଦେହକୁ କଷ୍ଟ ଦେଇ ମହାଦେବଙ୍କ ଉଦ୍ଦେଶ୍ୟରେ ସମାଜକୁ ଶୃଙ୍ଖଳିତ ଓ ଚାଷ କାର୍ଯ୍ୟର ବିଧି ବିଧାନ ଉପରେ ଲୋକମାନଙ୍କୁ ଚାଷ କାର୍ଯ୍ୟ ଉପରେ ସୂଚନା ଦେଇ ଥାଆନ୍ତି । ଏହି ସମୟରେ ଭକ୍ତ ମାନେ ବିଭିନ୍ନ ଧ୍ୱନି ଦେଇ ଭଗବାନଙ୍କୁ ଡାକି ଥାଆନ୍ତି । ଏହା ଦ୍ୱାରା ମାନସିକଧାରିଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବ୍ରତଧାରୀମାନଙ୍କ ବିଶ୍ୱାସ ରହିଥାଏ ।

ଧୂଳି ସେବା ବା ପାଣି ସେବା ସମୟରେ ବିଲକୁ ଚାଷ ସମୟରେ କିରି ପ୍ରସ୍ତୁତ କରିବ, ଧାନ କେମିତି ବୁଣିବ ସେ ସଂପର୍କରେ ବାର୍ତ୍ତା ପ୍ରଦାନ କରିଥାନ୍ତି । ଧୂଳି ସେବା ପରେ ଭକ୍ତ ମାନେ ପ୍ରଭୁ ମହାଦେବଙ୍କ ଚଳନ୍ତି ପ୍ରତିମାଙ୍କୁ ନେଇ ସନ୍ଧ୍ୟା ନଇଁ ଆସୁଥିବା ସମୟରେ ଗାଁ ପୋଖରୀ କିମ୍ବା ନାଳ କୂଳକୁ ଯାଇ ପୂଜାର୍ଚ୍ଚନା ବା ପାଣିସେବା କରିଥାଆନ୍ତି ଏହି ସମୟରେ ମୁଖ୍ୟ ପୂଜକ ପାଟ ଭୁକୁତା ଓ ୧୩ ଭୁକୁତା ସାଙ୍ଗରେ ଆଣିଥିବା ମା କାଳୀଙ୍କ ଆବାହନ ପୂଜା କରିଥାଆନ୍ତିା ଏହି ପୂଜାକୁ କାଳୀକା ପୂଜା କୁହାଯାଏ । ପୂଜାବିଧି ସରିଲା ପରେ ଭକ୍ତ ମାନେ ପ୍ରସାଦ ଖାଇ କିଛି ସମୟ ବିଶ୍ରାମ କରିଥାନ୍ତି । ପୁନଶ୍ଚ ବ୍ରତୀମାନେ ରାତି ୧୨ଟାରେ ଠାକୁରଙ୍କ ଚଳନ୍ତି ପ୍ରତିମା ସହ ଛତିଛତର ନେଇ ଦଣ୍ଡଯାତ୍ରା ପାଇଁ ମାନସିକଧାରୀଙ୍କ ଦୂଆରରେ ପହଞ୍ଚଥାନ୍ତି ।

ଗାଁ ମୁଣ୍ଡରୁ ଦଣ୍ଡଧାରୀ ମାନେ ବିଭିନ୍ନ ବେଶ ଧାରଣ କରି ନାଚି ନାଚି ପ୍ରଭୁଙ୍କୁ ଆଣିଥାନ୍ତି । ଗ୍ରାମକୁ ଆସିବା ସମୟରେ ଆକର୍ଷଣୀୟ ଝୁଣାଖେଳ ହୋଇଥାଏ । ମାଟିରେ ନିର୍ମିତ ୪ଟି ଦଣ୍ଡ ମୁହଁରେ ପାଳ ଦ୍ୱାରା ଅଗ୍ନି ସଂଯୋଗ କରି ତହିଁରେ ଝୁଣା ପକାଇ ନିଆଁ ଗୋଳା ସବୁ ଆକାଶମାର୍ଗକୁ ନିକ୍ଷେପ କରାଯାଇଥାଏ । ଏହି ମାଟି ଦଣ୍ଡ ୨ଟି ଶିବଙ୍କର ଓ ୨ଟି ମା କାଳୀଙ୍କ ପାଇଁ ଉଦ୍ଦିଷ୍ଟ । ଅଗ୍ନି ଦ୍ୱାରା ଝୁଣା ଖେଳ ଯୋଗୁଁ ଗ୍ରାମର ମଙ୍ଗଳ ହୋଇଥାଏ ବୋଲି ଆବାହମାନ କାଳରୁ ଲୋକଙ୍କ ବିଶ୍ୱାସ ରହିଛି । ଏହା ପରେ ଦଣ୍ଡଧାରିମାନେ ବିଭିନ୍ନ ପ୍ରକାର ନାଚ କରି ସମାଜକୁ ଦିଗଦର୍ଶନ ଦେବା ପରି ଓ ସୁସ୍ଥ ସମାଜ ଗଠନ ପାଇଁ ନାଚ ମାଧ୍ୟମରେ ବାର୍ତ୍ତା ପ୍ରଦାନ କରିଥାନ୍ତି । ଯାହାକି ମେହେନ୍ତର ମେହେନ୍ତରିଆଣୀ, ଶିବ ପାର୍ବତୀ, ଦିଅର ଭାଉଜ, ଶାଳୀ ଭିଣୋଇ, ଚଢେୟା, ଚଢ଼େୟାଣୀ, ଶବର ଶବରାଣୀ ଓ ବିଣା କାରିଆ ଗୀତ ଓ ନାଚ ମାଧ୍ୟମରେ କିଛି ଶିକ୍ଷଣୀୟ ବାର୍ତ୍ତା ଦେଇଥାନ୍ତି । ମେରୁସଂକ୍ରାନ୍ତି ଅବସରରେ ଝାମୁ ଯାତ୍ରା ମାଧ୍ୟମରେ ଏହି ଯାତ୍ରା ସମାପନ ହୋଇଥାଏ ।

ପ୍ରସ୍ତୁତି ଓ ଉପସ୍ଥାପନା :
ସୁଶାନ୍ତ କୁମାର ସାହୁ
ଜିଲ୍ଲା ପ୍ରତିନିଧି, ସୋନପୁର

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.