ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଶିଷ୍ଟ ସାହିତ୍ୟିକ, ବାଗ୍ମୀ ତଥା ପ୍ରଶାସକ ଡ. ନୃପରାଜ ସାହୁ ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅବସରରେ ଦେବଗିରି ସାହିତ୍ୟ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ତରୁଣ ବୟସରୁ ସାହିତ୍ୟ ସାଧନାରେ ନିମଜ୍ଜିତ ଥିବା ଡ. ସାହୁ ଗଳ୍ପ, କବିତା, ଅନୁବାଦ ଆଦି କ୍ଷେତ୍ରରେ ନିଜର ଉତ୍କର୍ଷତା ପ୍ରତିପାଦନ କରିସାରିଛନ୍ତି। ଏଯାବତ ତାଙ୍କର ଦୁଇଟି ଗଳ୍ପ ସଂକଳନ ‘ପ୍ରୀତିଲଗ୍ନା ଓ ଅନ୍ୟାନ୍ୟ ଗଳ୍ପ’, ‘ପ୍ରୀତିପଦ୍ମା ଓ ଅନ୍ୟାନ୍ୟ ଗଳ୍ପ’, ଗୋଟିଏ କବିତା ସଂକଳନ ‘ସମର୍ପିତ ସ୍ୱପ୍ନ’ ପ୍ରକାଶିତ ହୋଇଥିବା ବେଳେ ସେ କଳାହାଣ୍ଡି ମହାରାଜ ପ୍ରତାପ କେଶରୀ ଦେଓଙ୍କ ପୁସ୍ତକ ‘ମେମୋଇର୍ସ ଅଫ୍ ଏ ବାଏଗନ୍ ଏରା’ର ଅନୁବାଦ କରିଛନ୍ତି, ଯାହାକି ଏବେ ପ୍ରକାଶ ଅପେକ୍ଷାରେ ରହିଛି। ଜଣେ ପ୍ରବୀଣ ବାଗ୍ମୀ ଓ ପ୍ରଶାସକ ଭାବରେ ସାରା ରାଜ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଡ. ସାହୁ ସଂପ୍ରତି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କୁଳସଚିବ ଭାବେ କାର୍ଯ୍ୟରତ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୦ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବର ଉଦଜାପନି ସନ୍ଧ୍ୟାର ମୁଖ୍ୟ ଅତିଥି ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କ ସମେତ ମହୋତ୍ସବର ବିଶିଷ୍ଟ ଅତିଥି ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜୟନ୍ତ ବେହେରା, ସ୍ବତନ୍ତ୍ର ଅତିଥି କଳାହାଣ୍ଡି ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ସତପଥି, ମୁଖ୍ୟ ବକ୍ତା କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ପିଜି କାଉନସିଲ ଚେୟାରମେନ ମେଜର୍ ଡ. ଜୟଦେବ ସାହୁ, ସମ୍ମାନିତ ଅତିଥି ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ ଧ୍ୟାନାନନ୍ଦ ପଣ୍ଡା, ବିଶିଷ୍ଟ ଉଦ୍ୟୋଗପତି ସୁମିତ କୁମାର ଅଗ୍ରୱାଲ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡାମାଝୀ, ଯୁଗ୍ମ ସମ୍ପାଦକ ସୁଧୀର ଧଙ୍ଗଡ଼ାମାଝୀ ପ୍ରମୁଖ ଉପସ୍ଥିତ ରହି ଡ଼. ସାହୁଙ୍କୁ ସମ୍ମାନୀତ କରିଥିଲେ।