ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରଠାରେ ଘଟିଛି ଗୋଷ୍ଠୀ ସଂଘର୍ଷ । ଏହି ସଂଘର୍ଷରେ ୭ ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଥିବା ବେଳେ ନ୍ୟାୟ ଦାବି କରି ଜେକେପୁରଠାରେ ଗୋଟିଏ ଗୋଷ୍ଠି ତରଫରୁ କିଛି ସମୟ ପାଇଁ ରାସ୍ତାରୋକୋ କରାଯାଇଥିଲା। ଫଳରେ ୩୨୬ ନମ୍ବର ଜାତୀୟ ରାଜପଥ ଜେକେପୁର- ରାୟଗଡା ମଧ୍ୟରେ ଗାଡି ଚଳାଚଳ ପ୍ରଭାବିତ ହୋଇଥିଲା । ଘଟଣାରୁ ପ୍ରକାଶ ଯେ,ସାମାନ୍ୟ ବଚସା ତଥା ଛୋଟ ଛୋଟ ପିଲାଙ୍କ ଝଗଡାକୁ କେନ୍ଦ୍ର କରି ରବିବାର ରାତିରେ ଦେବଦଳା ଓ ଚାନ୍ଦିଲିର କିଛି ଯୁବକ ନୂଆପଡ଼ାକୁ ଯାଇ ଘଟଣା ସଂପର୍କରେ ପଚାରି ବୁଝିବା ବେଳେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରାଯାଇଥିଲା । ଫଳରେ ୭ଜଣଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ତେବେ ଆଜି ସକାଳେ ଘଟଣାର ପ୍ରତିହିଂସା ସ୍ୱରୂପ ଦେବଦଳା, ଚାନ୍ଦିଲି ସମେତ ନିକଟସ୍ଥ ଅନ୍ୟ ଗାଁର ଯୁବକମାନେ ମିଳିତ ଭାବେ ନୂଆପଡାକୁ ଯାଇ କିଛି ଲୋକଙ୍କ ଘର ଭଙ୍ଗାରୁଜା କରିଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ପୋଲିସ ଫୋର୍ସ ପଂହଚି ସ୍ଥିତିକୁ ନିୟନ୍ତ୍ରଣାଧୀନ କରିଥିଲେ । କିନ୍ତୁ ଘଟଣାରେ ପୋଲିସ ନୂଆପଡାର କାହାକୁ ଗିରଫ କରି ନ ଥିବା ତଥା ଦେବଦଳା ଯୁବକଙ୍କୁ ଲାଠିରେ ମାଡ ମାରିଥିବା ନେଇ ଅଭିଯୋଗ କରି ନ୍ୟାୟ ପ୍ରଦାନ ଦାବିରେ ଜେକେପୁର ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ଯାନବାହନ ଚଳାଚଳ କିଛି ସମୟ ପାଇଁ ବନ୍ଦ ରହିଥିଲା । ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଚାନ୍ଦିଲି ଥାନାରେ ଉଭୟ ପକ୍ଷରୁ ଅଭିଯୋଗ ଦିଆଯାଇଛି । ଏହି ଗୋଷ୍ଠୀ ସଂଘର୍ଷ ପରେ ଦେବଦଳା, ନୂଆପଡ଼ା ଓ ଜେକେପୁରଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଏକ ଶାନ୍ତି କମିଟି ଗଠନ କରି ଘଟଣାର ସମାଧାନ କରାଯିବ ବୋଲି ଅତିରିକ୍ତ ଏସ୍ପି ରାମ ପ୍ରସାଦ ସାହୁ ପ୍ରକାଶ କରିଛନ୍ତି। ତେବେ ଘଟଣାରେ ୩ ଜଣ ଆହତ ହୋଇଥିବା ସେ ସୂଚନା ଦେଇଛନ୍ତି। ହେଲେ ଉତକ୍ତ୍ୟ ଲୋକଙ୍କ ଉପରେ ଲାଠିଚାର୍ଜ ଘଟଣାକୁ ପୋଲିସ ଖଣ୍ଡନ କରିଛି। ଏହି ଗୋଷ୍ଠୀ ସଂଘର୍ଷ ଏକ ବଡ ଧରଣର ସଂଘର୍ଷ ଆଡ଼କୁ ଗତି କରୁଥିବା ବେଳେ ନିୟନ୍ତ୍ରଣ କରିବା ଜରୁରୀ ହୋଇପଡିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବିମାନେ ଆଲୋଚନା କରୁଛନ୍ତି । ଶେଷରେ ପୋଲିସ ଡିଏସ୍ପି ସୁଶାନ୍ତ ତାଉଡିଆ, ଏସ୍ଡିପିଓ ଦିବ୍ୟଜ୍ୟୋତି ଦାଶ, ଚାନ୍ଦିଲି ଥାନା ଅଧିକାରୀ ସୀମା ପ୍ରଧାନ, ରାୟଗଡା ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନ ଏବଂ ଅନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି ।





