କଳାହାଣ୍ଡିର ଧାର୍ମିକ ଓ ସାଂସ୍କୃତିକ ପୃଷ୍ଠଭୂମିରେ ଲାଞ୍ଜିଗଡ଼ର ମା’ ଠାକୁରାଣୀଙ୍କ ଘଣ୍ଟଯାତ୍ରା 

ଲାଞ୍ଜିଗଡ,୧୫/୪ : କଳାହାଣ୍ଡିର ଐତିହ୍ୟ, ସଂସ୍କୃତି, ପରଂପରା ଯେପରି ପ୍ରାଚୀନ ଏହି ମାଟିରେ ଉପାସିତା ଦେବାଦେବୀଙ୍କ ଆରଧନାର ବିଧାନ ବି ସେତେ ପ୍ରାଚୀନ ସେତେ ଅନନ୍ୟ । ଅତିତରେ ଇନ୍ଦ୍ରବଣ, କାନ୍ତାର, ମହାକାନ୍ତାର, ଆଟବିକ ବିଦ୍ୟାଧର ରାଜ୍ୟ, କାରୁଣ୍ଡ ମଣ୍ଡଳ ଆଦି ବିଭିନ୍ନ ନାମରେ ନାମିତ କଳାହାଣ୍ଡି ଏକ ସମୃଦ୍ଧ ସଭ୍ୟତା ଓ ସଂସ୍କୃତିର ପୃଷ୍ଠ ଭୂମିରେ ଛିଡାହୋଇଛି । ସେହି କ୍ରମରେ ଲାଞ୍ଜିଗଡର ମା’ ଠାକୁରାଣୀଙ୍କ ଘଣ୍ଟ ଯାତ୍ରା କଳାହାଣ୍ଡିର ଧାର୍ମିକ ଚିନ୍ତାଚେତନାକୁ ପରିପୃଷ୍ଠ କରିପାରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡର ଇଷ୍ଟଦେବୀ ମା’ ଠାକୁରାଣୀ ବଡ ପ୍ରତ୍ୟକ୍ଷ ଦେବୀ । ପାରମ୍ପାରିକ ବିଧିବିଧାନ ଅନୁସାରେ ଦେବୀଙ୍କ ଉପାସନା କରାଯାଇଥାଏ । ଚୈତ୍ର ମାସରେ ଅନୁଷ୍ଠିତ ହେଉଥିବା ଘଣ୍ଟ ଯାତ୍ରା ହେଉଛି ଏହି ଠାକୁରାଣୀଙ୍କ ସର୍ବଶ୍ରେଷ୍ଠ ପର୍ବ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଦେବୀଙ୍କ ପର୍ବ ପାଇଁ ଉତ୍ସବ ମୂଖର ହୋଇ ଉଠିଥିଲା ଲାଞ୍ଜିଗଡ ଅଞ୍ଚଳ । ଅପ୍ରେଲ ୬ତାରିଖ ଦ୍ଵିତୀୟା ତିଥିରୁ ମା’ ଠାକୁରାଣୀଙ୍କ ଘଣ୍ଟଯାତ୍ରା ଆରମ୍ଭ ହୋଇ ଆଜି (୧୫ ତାରିଖ) ସମାପନ ହୋଇଯାଇଛି ।

Udyog Nursery
Udyogi Nursery

ଦ୍ବିତୀୟା ତିଥିରେ ଲାଞ୍ଜିଗଡ ରାଜ ଉଆସରୁ ମା’ଙ୍କ ଶୃଙ୍ଗାର କରି ଗାଁ ମଝିରେ ଥିବା ମନ୍ଦିରକୁ ଅଣାଯାଇ ପୂଜାର୍ଚନା କରି ପୂଜକ ମାନେ ଆହ୍ୱାନ କରିଥିଲେ। ପରେ ମା’ଙ୍କ ପୂଜକ ଚିତ୍ତରଞ୍ଜନ ପୂଜାରୀ ମା’ଙ୍କ ଘଣ୍ଟକୁ ମୁଣ୍ଡରେ ବହନ କରି ଅଞ୍ଚଳର ବିଭିନ୍ନ ଗାଁ ପରିକ୍ରମା କରିଥିଲେ। ଦୀର୍ଘ ୮ଦିନ କାଳ ବିଭିନ୍ନ ଗାଁକୁ ଯାଇ ଭକ୍ତମାନଙ୍କ ଘରେ ପୂଜା ପାଇବା ପରେ ନବମ ଦିନ ନିଜ ମନ୍ଦିରରେ ଗୋଟିଏ ଦିନ ପାଇଁ ବିଶ୍ରାମ ନେଇ ଥିଲେ। ପୁଣି ସେହିଦିନ ସନ୍ଧ୍ୟାରେ ଲାଞ୍ଜିଗଡ ରାଜାଙ୍କ ଘରକୁ ଯାଇ ପୂଜା ପାଇବା ପରେ ନବମ ଦିବସ ରାତି ସାରା ଲାଞ୍ଜିଗଡର ସମସ୍ତଙ୍କ ଘରକୁ ଯାଇ ଝୁଣା, ପଣାପାଣି, ଗଜାମୁହା ଇତ୍ୟାଦି ଭୋଗ ଗ୍ରହଣ କରିଥିଲେ। ଆଜି (ସୋମବାର) ଉଦଯାପନୀ ଦିବସରେ ମା’ଙ୍କ ସେବକ ପୁଝାରୀପଡାରୁ ଏକ ବିରାଟ ପଟୁଆରରେ ମା’ ଙ୍କୁ ମନ୍ଦିରକୁ ଆଣିଥିଲେ।

ଘଣ୍ଟ, ଶଙ୍ଖ, ଖୋଳତାଳ ବାଦ୍ୟରେ ମା’ଙ୍କୁ ସ୍ୱାଗତ କରି ନିଜ ଦ୍ଵାର ସାମ୍ନାକୁ ମୁରୁଜ ଓ ଚିତାରେ ସଜାଇ ଭକ୍ତି ସହକାରେ ଭୋଗ ଅର୍ପଣ କରୁଥିଲେ ପୁଝାରୀପଡ଼ାବାସୀ। ଯେଉଁମାନେ ମାନସିକ କରିଥିଲେ ସେମାନେ ଵୋଦା, କୁକୁଡ଼ା, ପାରା ବଳି ମଧ୍ୟ ଦେଇଥିବାର ଦେଖିବାକୁ ମିଳିଥିଲା। ଭକ୍ତ ଭାବରେ ବନ୍ଧା ଦେବୀ ଭକ୍ତମାନଙ୍କ ପିଠିରେ ଚଢି ନିଜ ଆସ୍ଥାନରେ ବିରାଜମାନ କରିଥିଲେ । ମା’ ପିଠି ଉପରେ ଚଢି ଆସିଲେ ବିଭିନ୍ନ ରୋଗଶୋକ ଦୂର ହେବା ସହ ଶାନ୍ତିମୟ ଜୀବନଯାପନ କରିବାର ବିଶ୍ୱାସ ରହିଛି।

ମନ୍ଦିରକୁ ଆସିଲା ପରେ ଗ୍ରାମରୁ ସମସ୍ତଙ୍କ ଘରୁ ଶସ୍ୟ ସଂଗ୍ରହ କରାଯାଇଥିଲା। ସେହି ଶସ୍ୟକୁ ମା’ଙ୍କ ଠାରେ ପୂଜାର୍ଚ୍ଚନା କଲାପରେ ଭକ୍ତମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ସେହି ଶସ୍ୟକୁ ଘରେ ରଖି ଅକ୍ଷୟ ତୃତୀୟାରେ ବାହାର କରି ଜମିରେ ଦେଲେ ଭଲ ଅମଳ ହୁଏ ବୋଲି ମଧ୍ୟ ବିଶ୍ୱାସ ରହିଛି। ୯ଦିନ ଧରି ଏହି ଘଣ୍ଟଯାତ୍ରା ମହା ଆଡମ୍ବର ସହିତ ପାଳନ ହୋଇଥିବା ବେଳେ ମନ୍ଦିରକୁ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଥିଲା। ଏହି ଯାତ୍ରାରେ ଭକ୍ତଙ୍କ ମନରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଯାତ୍ରାକୁ ଶାନ୍ତିଶୃଙ୍ଖଳା ସହିତ ପାଳନ କରିବା ପାଇଁ  ହରିହର ସାଂସ୍ମୃତିକ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ପ୍ରତାପ ସିଂହଦେଓ, ସମ୍ପାଦକ କାମରାଜ ଦଳବେହେରା, କୋଷାଧକ୍ଷ୍ୟ ଚନ୍ଦ୍ରଧ୍ୱଜ ପେସନିଆ ଓ କମିଟିର ସମସ୍ତ କର୍ମକର୍ତ୍ତା ବ୍ୟାପକ ବନ୍ଦୋବସ୍ତ କରିବା ସହ ପୂଜାରେ ସହଯୋଗ କରିଥିଲେ।

ଘଣ୍ଟ ପର୍ବ ଭକ୍ତ ଓ ଦେବୀ ମା’ ଠାକୁରାଣୀଙ୍କ ମିଳନର ପର୍ବ । ବର୍ଷକୁ ଥରେ ଦେବୀ ଭକ୍ତ ଜନଙ୍କ ପାପ ତାପ ହାରିବା ପାଇଁ ଗାଁ ଗାଁ ଘର ଘର ବୁଲି ସମସ୍ତଙ୍କୁ ଦର୍ଶନ ଦିଅନ୍ତି । ସାଧାରଣ ଜନତା ଦେବୀଙ୍କ ଦର୍ଶନ ଲାଭ କରି କୃତାର୍ଥ ମନେ କରନ୍ତି । ମା’ ଠାକୁରାଣୀଙ୍କ ଆଶିଷ ଲାଭ କରିବାସହ ତାଙ୍କ ଦ୍ବାରା ପ୍ରଦତ୍ତ ବିହନକୁ ଆଣି ଅକ୍ଷୟ ତୃତୀୟାରେ ଅଖି ମୁଠି ଅନୂକୁଳ କରିଥାଏ ଚାଷୀ । ଦେବୀଙ୍କ ପ୍ରତି ଅହେତୁକ ଭକ୍ତିର ନିଦର୍ଶନ ସ୍ବରୂପ ଏବର୍ଷ ଘଣ୍ଟ ଯାତ୍ରାରେ ପ୍ରବଳ ଜନସମାଗମ ପରିଳକ୍ଷିତ ହେଉଥିଲା ।

ରିପୋର୍ଟ: ଦୁଃଖିଶ୍ୟାମ ନାଗ (ନିଲେଶ)

ଲାଞ୍ଜିଗଡ ବ୍ଲକ ପ୍ରତିନିଧି, କଳାହାଣ୍ଡି

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.