ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଏବେ ଚାଲିଛି ସଜନା ଅମଳର ସମୟ । ବ୍ୟବସାୟୀ ମାନେ ଘର ଘର ବୁଲି କଷି ସଜନା ସବୁ ସଗ୍ରହ କରି ନେଉଥିବା ଦେଖିବାକୁ ମିଳୁଛି । କିଲୋ ପ୍ରତି ବ୍ୟବସାୟୀ ୮୦ ଟଙ୍କା ପ୍ରଦାନ କରୁଥିବା ଜାଣିବାକୁ ମିଳୁଛି । ସଜନା ଚାଷ ଏକ ଲାଭ ଦାୟକ ବ୍ୟବସାୟ । ସଜନା ଦୁଇ ପ୍ରକାରର ହୋଇଥାଏ । ଦେଶୀ ପ୍ରଜାତିର ଛୁଇଁକୁ ମୁନଙ୍ଗା ବା ମୁନିଙ୍ଗା ବୋଲି ମଧ୍ୟ ସ୍ଥାନୀୟ ଅଞ୍ଚଳରେ କୁହାଯାଉଥିବା ବେଳେ ହାଇବ୍ରିଡ ଛୁଇଁକୁ ସଜନା କୁହାଯାଇଥାଏ । ଅବଶ୍ୟ ଆଉ ୧୫ ଦିନ ପରେ ପରିପକ୍ୱ ସଜନା ବଜାରରେ ବିକ୍ରୟ ହେବ । ଏବେ ଅପରିପକ୍ୱ, ଅତି ଛୋଟ, ସରୁ ଓ ପତଳା ଛୁଇଁ କିଣୁଛନ୍ତି ବ୍ୟବସାୟୀ ମାନେ । ଗୋଟିଏ ସଜନା ଗଛରେ ୩୦ ରୁ ୫୦ କି.ଗ୍ରା. ଅମଳ ହେଉଥିବା ଚାଷୀ ପ୍ରକାଶ କରୁଛନ୍ତି ।
ବ୍ୟବସାୟୀଙ୍କ ମତାମତ ନେବାରୁ ଜଣାପଡିଛି ଯେ ରାୟପୁର ପଠାଯାଉଛି ଏହି ଅପରିପକ୍ୱ ଛୁଇଁ ସବୁ । ନର୍ଲାର ବିଭିନ୍ନ ଅଞ୍ଚଳ ଶାନ୍ତପୁର, ଗାଡେବନ୍ଧ, ଘଣ୍ଟମାଳ, ନିଶାଣପୁର, ଉଲିକୁପା, ରାକ୍ସି, ସରିଆଁ, ପଲମ, ଟକର୍ଲା ପ୍ରଭୃତି ଅଞ୍ଚଳରେ ବହୁଳ ପରିମାଣରେ ଚାଷୀ ଏହି ହାଇବ୍ରିଡ ସଜନା ଚାଷ କରୁଥିବା ବେଳେ ଅଳ୍ପ ବହୁତରେ ନର୍ଲା ଓ କେସିଙ୍ଗା ବ୍ଲକ ଅଞ୍ଚଳର ସମସ୍ତ ଗାଁ ରେ ଏହି ସଜନା ଚାଷ ଘରେ ଘରେ ବାଡି ବଗିଚାରେ କରୁଥିବା ଦେଖିବାକୁ ମିଳୁଛି । ବ୍ୟବସାୟୀ ମାନେ ଘର ଘରକୁ ଆସି ନିଜେ ସଜନା ଗଛର ଶାଖା ଗୁଡିକୁ କାଟି ସଜନା ସଂଗ୍ରହ କରି କିଲୋ ପ୍ରତି ୮୦ ଟଙ୍କା ଲେଖା ମୂଲ୍ୟରେ କିଣି ନେଉଥିବା ଦେଖିବାକୁ ମିଳୁଛି । ସଜନା ସଂଗ୍ରହ କରି ସଜନା ଗଛର ଶାଖା ଗୁଡିକ କାଟି ଦେବାପରେ ଚାଷୀ ସେହି କଟା ଯାଇଥିବା ସଜନାର ଶାଖା ଡାଳକୁ ଗାତ ଖୋଳି ଗାତରେ ସାର ପିଡିଆ ଦେଇ ସଜନା ଶାଖାକୁ ଲଗେଇ ସେଥିରେ ପାଣି ଦେଇଥାନ୍ତି । ସପ୍ତାହକ ମଧ୍ୟରେ ସଜନା ଗଛର ପୋତାଯାଇଥିବା ଶାଖାରୁ ଡାଳ କଅଁଳି ଥାଏ । ଡିସେମ୍ବର ମଧ୍ୟ ଭାଗରୁ ସଜନା ଗଛରେ ଫୁଲ ଆସି ଫଳ ଧରିଥାଏ । ଜାନୁୟାରୀ ଦ୍ୱିତୀୟ ସପ୍ତାହରୁ ଅପରିପକ୍ୱ, କଷି ସଜନା ଛୁଇଁ ସଂଗୃହିତ ହୋଇ ଛତିଶଗଡ ରାୟପୁରକୁ ସପ୍ଲାଏ କରିଥାନ୍ତି ଅଞ୍ଚଳର ବ୍ୟବସାୟୀମାନେ । ରାୟପୁରରେ ଏହା ୧୮୦ ରୁ ୨୦୦ ଟଙ୍କାରେ ବିକ୍ରୟ ହେଉଥିବା ଜଣାପଡିଛି । ନର୍ଲା ଅଞ୍ଚଳର ଉପରୋକ୍ତ ଗ୍ରାମ ଗୁଡିକର ଚାଷୀଙ୍କ ବାଡି ବଗିଚା ଏପରିକି ଜମି ହୁଡା ସବୁରେ ଶହ ଶହ ସଜନା ଗଛ ଚାଷ ହୋଇଥାଏ । ଜଣେ ଜଣେ ଚାଷୀ ସଜନା ଛୁଇଁ ବିକ୍ରୟ କରି ୫୦,୦୦୦ ରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଉଥିବା ଜଣାପଡିଛି । ଏଥିରେ ଚାଷୀ, ସ୍ଥାନୀୟ ବ୍ୟବସାୟୀ ମାନେ ସଜନା ସିଜନରେ ଭଲ ଦୁଇ ପଇସା ରୋଜଗାର କରୁଥିବା ଦେଖିବାକୁ ମିଳୁଛି ।
ସଜନା ଗଛ ହୋଇଯିବା ପରେ ଏଥିରେ ସାର କିମ୍ବା କୌଣସି ପ୍ରକାରର କୀଟନାଶକ ଔଷଧ ଚାଷୀଙ୍କୁ ଦେବାକୁ ପଡିନଥାଏ । କେବଳ ଗଛ ଛୋଟଥିବା ବେଳେ ଉଈ ଢାଳିବାର ଆଶଙ୍କା ରହିଥାଏ । ଏଣୁ ଉଈ ଔଷଧ ମଧ୍ୟ ଅନେକ ସମୟରେ ପ୍ରୟୋଗ କରିଥାନ୍ତି ଚାଷୀ । ଚାଷୀଙ୍କୁ ସଜନା ଚାଷ ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡିନଥାଏ ବୋଲି ଚାଷୀ ମାନେ ମତବ୍ୟକ୍ତ କରିଛନ୍ତି । ଏହା ତ ଗଲା ଅପରିପକ୍ୱ, କଷି ସଜନା ବିକ୍ରୟ ପ୍ରସଙ୍ଗ । ଏହାବାଦ ସଜନା ପରିପକ୍ୱ ହେବାପରେ ଏହା କିଲୋପ୍ରତି ୧୦୦ ରୁ ୧୨୦ ଟଙ୍କାରେ ବିକ୍ରୟ ହୋଇଥାଏ ବଜାରରେ । ସ୍ଥାନୀୟ ଲୋକେ ଏହାକୁ ତରକାରୀ ଓ ଭଜା ଭାବରେ ଗ୍ରହଣ କରିଥାନ୍ତି । ସଜନାର ଔଷଧିୟ ଗୁଣ ମଧ୍ୟ ରହୁଥିବାରୁ ପରିବା ଭାବରେ ଅଞ୍ଚଳ ବାସୀଙ୍କ ନିକଟରେ ବେଶ ଚାହିଦା ରହିଥିବା ଦେଖିବାକୁ ମିଳେ । ଏଣୁ ସଜନା ଚାଷ ଏକ ଲାଭ ଦାୟକ ବ୍ୟବସାୟ ବୋଲି ଚାଷୀମାନେ ମତବ୍ୟକ୍ତ କରିଛନ୍ତି ।