‘ଆକାମାବୈ’ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଉଦ୍‌ଯାପିତ: ବାଲିଘାଟର ପୂର୍ବସ୍ମୃତି ଫେରାଇ ଆଣିଲେ ବାଲେଶ୍ୱରର ଆର୍ଥିକ ସମୃଦ୍ଧି ସମ୍ଭବ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ‘ଆ. କା. ମା. ବୈ.’ ଭୋଇସାହି ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠାନର ସଭାପତି ଅଭିଜିତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀ ସମାରୋହରେ ବୋଇତ ବନ୍ଦାଣର ଐତିହାସିକ, ସାଂସ୍କୃତିକ ଓ ବାଣିଜ୍ୟିକ ମହତ୍ତ୍ୱ ଉପରେ ଆଲୋକପାତ କରାଯାଇଥିଲା। ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ମୁରଲୀଧର ନାୟକ ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସାଧାରଣ ସମ୍ପାଦକ ବିକାଶ ପାଢ଼ୀ କାର୍ଯ୍ୟକ୍ରମର ବିବରଣୀ ଦେଇଥିଲେ। ଅତିଥିମାନେ କହିଥିଲେ, ବୋଇତ ବନ୍ଦାଣ ଆମ ଗୌରବମୟ ପରମ୍ପରା, ସଂସ୍କୃତି ଓ ଐତିହ୍ୟର ଏକ ଧାର୍ମିକ ତଥା ଐତିହାସିକ ପରିଚୟ। ଏହା ପ୍ରାଚୀନ କଳିଙ୍ଗର ବାଣିଜ୍ୟିକ ସାହସ, ସ୍ୱାବଲମ୍ବନଶୀଳତା ଓ ବିଶ୍ୱ ସହିତ ସାଂସ୍କୃତିକ ସମ୍ପର୍କର ପ୍ରତୀକ। ବାଲେଶ୍ୱରର ପୁରାତନ ବାଲିଘାଟ ଓ ସାମୁଦ୍ରିକ ବାଣିଜ୍ୟର ସ୍ମୃତିକୁ ପୁନର୍ଜୀବିତ କରିପାରିଲେ ଜିଲ୍ଲାର ଆର୍ଥିକ କ୍ଷେତ୍ର ଅଧିକ ସୁଦୃଢ଼ ହୋଇପାରିବ ବୋଲି ସେମାନେ ମତ ଦେଇଥିଲେ। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ଅନୁଷ୍ଠାନର ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ଭାବେ ସୁଲଗ୍ନା ଗ୍ରୁପ୍‌ର ମୁଖ୍ୟ ଘନଶ୍ୟାମ ବିଶ୍ୱାଳ, ସମାଜସେବୀ ବିକ୍ରମ ପଣ୍ଡା, ଦିବ୍ୟଜ୍ୟୋତି ଦାସ ମହାପାତ୍ର, ସାମ୍ବାଦିକ ଲୋକନାଥ ପିରି, ଧୀରଜ ମହାନ୍ତି ଓ ସଂଜୀବ ଦାସ ଉପସ୍ଥିତ ଥିଲେ। ଉପଦେଷ୍ଟା କମଳଲୋଚନ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନରେ ଲକ୍ଷ୍ମୀଧର ସେଠୀ, ପ୍ରବୀର କୁମାର ଦାସ, ଗିରିଧାରୀ ବେହେରା, ମନୋଜ ଭୋଇ, ଜଗଦୀଶ ଆଚାର୍ଯ୍ୟ ଓ ବୀରେନ୍ଦ୍ର ସେଠୀ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଶକ୍ତି ମିଶ୍ର ଓ ତାଙ୍କ ଦଳ ପକ୍ଷରୁ ଏକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.