ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ବନାଞ୍ଚଳ ଅଧିନସ୍ଥ ତୁଳସୀପୁର ଗ୍ରାମ ନିକଟବର୍ତ୍ତୀ ଏକ କାଜୁ ଜଙ୍ଗଲ ଓ ଆମ୍ବ ତୋଟା ମଧ୍ୟରୁ ବିପୁଳ ପରିମାଣର କାଠ ଜବତ କରିଛି ସ୍ଥାନୀୟ ବନବିଭାଗ। ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ ଖଲ୍ଲିକୋଟ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ରେଞ୍ଜ ଅଫିସର ସିଦ୍ଧାର୍ଥ ଶଙ୍କର ସାହୁଙ୍କ ତତ୍ୱାବଧାନରେ ଅଚାନକ ତୁଳସୀପୁର ନିକଟସ୍ଥ ଏକ କାଜୁ ଜଙ୍ଗଲ ଓ ଆମ୍ବ ତୋଟାରେ ବିକ୍ରି ପାଇଁ ଗଛିତ ହୋଇଥିବା ସାଗୁଆନ, ଗମ୍ଭାରୀ, ଆମ୍ବ ଓ ପଣସ ଭଳି ବହୁ ମୂଲ୍ୟବାନ କାଠକୁ ଜବତ କରି ୧୧ ଗୋଟି ଟ୍ରାକ୍ଟର ଯୋଗେ ଖଲ୍ଲିକୋଟ ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିବା ଜଣାପଡିଛି। ଉକ୍ତ ଚଢ଼ାଉରେ ଖଲ୍ଲିକୋଟ, ଦିଗପହଣ୍ଡି, ସମାନତାପଲ୍ଲୀ ବନ ବିଭାଗର ସମସ୍ତ କର୍ମଚାରୀଙ୍କ ସମେତ ବନପାଳ ପ୍ରଶାନ୍ତ କୁମାର କାର୍ଜି, ରାଜେଶ୍ୱର ବେହେରା, ବୁଲୁ ଜେନା, ସାଗର ବେହେରା, ବାପି ପଳାଇ, ବସନ୍ତ ପ୍ରଧାନ, ପଦ୍ମ ଚରଣ ଦାସ ପ୍ରମୁଖ ଜଙ୍ଗଲ ବିଭାଗ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ। ମୋଟା ୨୫୦ ଘନ ଫୁଟ କାଠ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।