ଜିମ୍ ଆରିଙ୍ଗ୍‌ଟନ୍ ଦୁନିଆର ବୟସ୍କ ବଡି ବିଲ୍ଡର

ଅନେକଙ୍କ ଧାରଣା ୨୦ରୁ ୪୦ ବର୍ଷ ବୟସ୍କ ଲୋକମାନେ ହିଁ ଆଗକୁ ବଢିପାରନ୍ତି ଓ ସଫଳତା ହାସଲ କରିପାରନ୍ତି । ୪୦ ଡ଼େଇଁଲା ପରେ ଲୋକେ ବାର୍ଦ୍ଧକ୍ୟ ଆଡ଼କୁ ଗତି କରନ୍ତି । କିନ୍ତୁ ଏ ଧାରଣା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ । ୪୦ ବର୍ଷ ନୁହେଁ, ବରଂ ୬୦ ପରେ ହିଁ ଜୀବନରେ କିଛି ସଫଳତା ପାଇବାକୁ ଅନେକ ଉଦ୍ୟମ ଆରମ୍ଭ କରୁଥିବା ଦେଖିବାକୁ ମିଳେ । ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ଜିମ୍ ଆରିଙ୍ଗ୍‌ଟନ୍‌, ଯିଏ ଦୁନିଆର ସବୁଠୁ ବୟସ୍କ ବଡି ବିଲ୍ଡର ମାନ୍ୟତା ପାଇଛନ୍ତି । ପରିଣତ ବୟସରେ ବି ଢେର ସପଳତା ପାଇଥିବା ଜିମ୍ ଆରିଙ୍ଗଟନଙ୍କ ବୟସ ୯୦ ବର୍ଷ । କାଲିଫର୍ନିଆର ଭେନିସ ବାସିନ୍ଦା ଜିମ୍ ପିଲାଦିନରୁ ବଡ଼ି ବିଲ୍ଡିଂ ପ୍ରତି ଆଗ୍ରହୀ ଥିଲେ । ତେଣୁ ୧୩ ବର୍ଷ ବୟସରୁ ବଡି ବିଲଡିଂ ଦୁନିଆରେ ପ୍ରବେଶ କରିଥିଲେ । ଥରେ ସେ ଏକ ଔଷଧ ଦୋକାନକୁ ଯାଇ ସେଠାରେ ଏକ ବଡି ବିଲଡିଂ ମାଗାଜିନର ପୋଷ୍ଟର ଦେଖିଥିଲେ । ଏହି ପୋଷ୍ଟର ତାଙ୍କୁ ବଡ଼ି ବିଲ୍ଡିଂ ଦୁନିଆ ପ୍ରତି ଆକର୍ଷିତ କରିଥିଲା । ସେବେଠାରୁ ସେ ସ୍ଥିର କଲେ ଯେ, ନିଜେ ମଧ୍ୟ ବଡ଼ି ବିଲ୍ଡି କରିବେ । ଏହି ଆଗ୍ରହ କାରଣରୁ ସେ ନିଜ ବାପାଙ୍କ ସହଯୋଗରେ ତାଲିମ ଆରମ୍ଭ କଲେ । ଧୀରେ ଧୀରେ ତାଙ୍କ ଆଗ୍ରହ ବଢିବା ସହ ସଫଳତା ମଧ୍ୟ ମିଳିଲା । ଆଉ ସେବେଠାରୁ ନିଜ ଜୀବନର ସବୁ ଆଗ୍ରହକୁ ବଡ଼ି ବିଲ୍ଡିଂ ଦୁନିଆ ଭିତରେ ସୀମିତ ରଖିଥିଲେ । ବୃଦ୍ଧାବସ୍ଥାରେ ବ୍ୟାୟାମର ଉପାୟ କ’ଣ ସେ ନେଇ କୁହନ୍ତି, ଏହି ବୟସରେ ଶରୀର ଅଧିକ ଦୁର୍ବଳ ହୋଇଯାଏ । ସେଥିପାଇଁ ତାଲିମ ଦେବା ବେଳେ ଆପଣଙ୍କୁ ବହୁତ ଧ୍ୟାନ ଦେବାକୁ ପଡ଼ିବ । ଜିମ୍ ମିଷ୍ଟର ଆମେରିକା ହେବାକୁ ଚାହୁଁଥିଲେ, କିନ୍ତୁ ବୟସ ବଢ଼ିଥିବାରୁ ତାଙ୍କର ସ୍ୱପ୍ନ ପୂରଣ ହେବ ନାହିଁ ବୋଲି ଭାବୁଥିଲେ । କିନ୍ତୁ ସେ ହାର ନ ମାନି ବଡି ବିଲଡିଂ କରିବା ଜାରି ରଖିଥିଲେ । ୨୦୧୮ରେ ୮୫ ବର୍ଷ ବୟସରେ, ସେ ସର୍ବ ପୁରାତନ ସକ୍ରିୟ ବଡି ବିଲଡର ଆଖ୍ୟା ପାଇଥିଲେ । ଏଥିଲାଗି ସେ ନିଜ ନାଁକୁ ଜିମ୍ ଗିନିଜ୍ ୱାର୍ଲଡ ରେକର୍ଡରେ ସାମିଲ କରିପାରିଛନ୍ତି । ସେ ୮୦ ବର୍ଷରୁ ଅଧିକ ବଡି ବିଲଡିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.