୩୭,୫୦୯କେଜି ଗଂଜେଇ ଜବତ ସହ ୩୬୪ଜଣ ଅଭିଯୁକ୍ତ ଗିରଫ
ଅବକାରୀ ମାମଲାରେ ୨୯୧୦ଟି କେଶ୍ ପଂଜୀକୃତ ସହ ୬୧୪ଜଣ ଅଭିଯୁକ୍ତ ଗିରଫ
ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ଆଦିବାସୀ ଅଧ୍ୟୁଷିତ ଅଂଚଳ ତଥା ମାଓ ପ୍ରବଣ ରାୟଗଡା ଜିଲ୍ଳାର ଦୁର୍ଗମ ଅଂଚଳରେ ଗଂଜେଇ ଏବଂ ଚୋରା ମଦ କାରାବାର ଭଳି ବେଆଇନ୍ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାରେ ଗତ ୫ବର୍ଷ ମଧ୍ୟରେ ବେଶ୍ ସଫଳତା ପାଇଛି ରାୟଗଡା ଜିଲ୍ଳା ଓଡିଶା ପୋଲିସ । ରାୟଗଡା ଜିଲ୍ଳାର ଆରକ୍ଷୀ ଅଧୀକ୍ଷକ ଭାବେ ବିବେକାନନ୍ଦ ଶର୍ମା ଦାୟିତ୍ୱ ନେବା ପରେ ଜିଲ୍ଳାରେ ବୃଦ୍ଧି ପାଉଥିବା ଗଂଜେଇ ଚୋରା ଚାଲାଣ ଏବଂ ଅବକାରୀ ମାମଲାକୁ ନିୟନ୍ତ୍ରଣ କରାଯାଇପାରିଛି ।
ଏ ନେଇ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶର୍ମା ଗତ ୫ବର୍ଷରେ ଜିଲ୍ଳାର ବିଭିନ୍ନ ଥାନା ଅଂଚଳରେ ଗଂଜେଇ ଚୋରା ଚାଲାଣ ଏବଂ ଅବକାରୀ ମାମଲାର ତଥ୍ୟ ପ୍ରଦାନ କରିଛନ୍ତି । ଏସ.ପି.ଶ୍ରୀ ଶର୍ମର୍ାଙ୍କ ଠାରୁ ମିଳିଥିବା ତଥ୍ୟ ପ୍ରକାରେ ଚଳିତ ମାର୍ଚ୍ଚ ମାସ ୨୦ ତାରିଖ ପର୍ଯ୍ୟନ୍ତ ୧୬ଟି କେଶ୍ ଜିଲ୍ଳାର ବିଭିନ୍ନ ଥାନାରେ ରୁଜୁ ହୋଇଥିବା ବେଳେ ୧୩୩୨.୨୭୦କେଜି ଗଂଜେଇ ଜବତ କରାଯାଇଛି । ଏଥିରେ ୩୪ଜଣ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ୩ଟି ଚାରି ଚକିଆ ଗାଡି,ଗୋଟିଏ ଟ୍ରକ,୧୧ଟି ମୋଟର ସାଇକେଲ ସହ ୧୩,୩୨୦ଟଙ୍କା ଜବତ କରାଯାଇଛି ।
ସେହିପରି ଗତ ୨୦୧୮ବର୍ଷରେ ଜିଲ୍ଳାର ବିିଭିନ୍ନ ଥାନାରେ ୨୭ଟି ଏନଡିପିଏସ ମାମଲା ରୁଜୁ ହୋଇଥିବା ବେଳେ ୫୦,୮୮୦ଟଙ୍କା ସହ ୧୬୩୬.୬୨କେଜି ଗଂଜେଇ ଜବତ କରାଯାଇଥିଲା । ୨୦୧୯ରେ ୪୧ଟି କେଶ୍ ରୁଜୁ ହୋଇଥିବା ବେଳେ ୧୬,୦୯୦ ଟଙ୍କା ସହ ୧୮୨୩.୧୧କେଜି ଗଂଜେଇ ଜବତ କରାଯାଇଥିଲା । ସେହିପରି ୨୦୨୨ ବର୍ଷରେ ୪୭ଟି କେଶ ସହ ୧,୪୨,୩୯୦ ଟଙ୍କା ଜବତ ହୋଇଥିବା ବେଳେ ୬୭୯୯.୯୦୪କେଜି ଗଂଜେଇ ଜବତ କରାଯାଇଥିଲା । ୨୦୨୧ରେ ୮୦ଟି ଏନଡିପିଏସ ମାମଲା ରୁଜୁ ହୋଇଥିବା ବେଳେ ୩୮ଲକ୍ଷ ୬୪ହଜାର ୫୧୫ଟଙ୍କା ସହ ୧୬୯୦୪.୭୭କେଜି ଗଂଜେଇ ଜବତ ହୋଇଥିଲା ଏବଂ ୨୦୨୨ବର୍ଷରେ ୨ଲକ୍ଷ ୯୪ହଜାର ୯୭୦ଟଙ୍କା ସହ ୧୦୩୪୪.୬୮୭କେଜି ଗଂଜେଇ ଜବତ ହୋଇଥିଲା । ଗତ ୫ବର୍ଷରେ ମୋଟ ୪କୋଟି ୩୬ଲକ୍ଷ ୮୮୬୪ଟଙ୍କା ସହ ୩୭,୫୦୯କେଜି ଗଂଜେଇ ଜବତ ହୋଇଥିଲା । ଏଥିରେ ୩୬୪ଜଣ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।
୫ବର୍ଷରେ ୬୦ଟି ଚାରି ଚକିଆ ଯାନ,୩୪ଟି ଟ୍ରକ ସହ ୬୬ଟି ମୋଟର ସାଇକେଲ୍ ଜବତ କରାଯାଇଛି ବୋଲି ଏସ.ପି.ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି । ସେହିପରି ଜିଲ୍ଳାର ବିଭିନ୍ନ ଥାନାରେ ଗତ ୨୦୧୮ବର୍ଷରୁ ୨୦୨୨ ପର୍ଯ୍ୟନ୍ତ ୫ବର୍ଷ ମଧ୍ୟରେ ୨୯୧୦ଟି ଅବକାରୀ ମାମଲା ରୁଜୁ ହୋଇଥିବା ବେଳେ ୬୧୪ଜଣ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ୫ବର୍ଷରେ ୩୨, ୮୭୬ଲିଟର ଚୋରା ଦେଶୀ ରନ୍ଧା ମଦ,୩୪୨୭ଲିଟର ଦେଶୀ ମଦ, ୬୫୨ଲିଟର ତାଡି, ୫୯୩୧.୯୭୫ଲିଟର ବିଦେଶୀ ମଦ ଜବତ ହୋଇଥିବା ବେଳେ ୧୭୧.୮୦ କ୍ୱିଂଟାଲ ମହୁଲ ଫୁଲ ଜବତ କରାଯାଇଥିଲା । ସେହିପରି ୨୦୧୯ବର୍ଷରେ ଗୋଟିଏ ସିଙ୍ଗଲ ବେରଲ ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ୯୩୭.୭୮କେଜି ଗୁଡ ସହ ୫୦କେଜି ଆମୋନିୟମ୍ ସଲଫେଟ ଏବଂ ୧୦୦କେଜି ଚିନି ଜବତ କରାଯାଇଥିଲା । ଏହି ୫ବର୍ଷ ମଧ୍ୟରେ ୧୧୮ଟି ଗାଡି ଜବତ ହୋଇଥିବା ବେଳେ ୮ଟି ସାଇକେଲ ଜବତ ହୋଇଥିବା ଏସ.ପି.ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି ।
ଏଥିସହିତ ଚଳିତ ବର୍ଷ ଜିଲ୍ଳାର ପଦ୍ମପୁର, ଗୁଡାରୀ, ଗୁଣପୁର, ବିଷମକଟକ, ଚନ୍ଦ୍ରପୁର, ମୁନିଗୁଡା, ପୁଟାସିଂ ଥାନାରେ ରୁଜୁ ହୋଇଥିବା ୪୦ଟି ଏନଡିପିଏସ ମାମଲାରେ ଜବତ ହୋଇଥିବା ୬୦୨୧କେଜି ୭୩୮ଗ୍ରାମର ଗଂଜେଇକୁ ଜିଲ୍ଳାର ଇମ୍ଫା କାରଖାନାରେ ଜାଳି ପୋଡି ନଷ୍ଟ କରିଦିଆଯାଇଛି । ଆଉ ଏହାକୁ ନଷ୍ଟ କରିବା ସମୟରେ ଡ୍ରଗ୍ସ ଡିସପୋଜାଲ କମିଟି ସହ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଜିଲ୍ଳା ଅବକାରୀ ଅଧୀକ୍ଷକ ଅଭିରାମ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ରାୟଗଡା ଜିଲ୍ଳାରୁ ଗଂଜେଇ ମାଫିଆଙ୍କ କବଜାରୁ ମୁକ୍ତ କରିବା ଏବଂ ବେଆଇନ୍ ଅବକାରୀ କାରାବାରରୁ ମୁକ୍ତ କରିବା ପାଇଁ ଜିଲ୍ଳା ପୋଲିସର ଧରପଗଡ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଏସ.ପି.ବିବେକାନନ୍ଦ ଶର୍ମା ପ୍ରକାଶ କରିଛନ୍ତି ।