ବିଦ୍ୟୁତ ବିଭାଗର ଅପାରଗତାକୁ ନେଇ ଉଠିଲା ପ୍ରଶ୍ନବାଚୀ
କ୍ଷତିପୂରଣ ଦେବା ପାଇଁ ସାଧାରଣରେ ଦାବୀ
ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନାର ଟିକ୍ରାପଡାର ବଡ଼ବାହାଲ ଠାରେ ରବିବାର ବିଦ୍ୟୁତ ସଂସ୍ପର୍ଶରେ ଆସି ୬ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି | ଏଥିରେ ବିଦ୍ୟୁତ ବିଭାଗର ଅପାରଗତା ଯୋଗୁଁ ଏଭଳି ୬ ଗୋଟି ବଳଦର ଜୀବନ ହାନୀ ଘଟିଲା ବୋଲି ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପ୍ରକାଶ ଯେ, ଟିକ୍ରାପଡା ଗାଁର କୀର୍ତ୍ତି ବାଗଙ୍କ ୨ଟି ବଳଦ ଓ ଟିକ୍ରାପଡା ନିକଟସ୍ଥ ଅନ୍ତର୍ଲା ଗାଁର ଭାସ୍କର ସାହୁଙ୍କ ୨ଟି ଗାଈ, ଘାସିରାମ ଭାଟିଙ୍କ ୧ଟି ବଳଦ, କନ୍ଧ ସୁନାନୀଙ୍କ ୧ଟି ବଳଦ ଆଜି ସକାଳେ ବଡ଼ ବାହାଲକୁ ଚାରିବାକୁ ଆସିଥିଲେ | ତେବେ ଗୋରୁ ସବୁ ଝଡ଼ତୋଫାନ ଯୋଗୁଁ ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୬ ଗୋଟି ବଳଦର ମୃତ୍ୟୁବରଣ ହୋଇଥିବା ଜଣାଯାଇଛି | ଯାହାକୁ ନେଇ ବିଦ୍ୟୁତ ବିଭାଗ ଖାମଖିଆଲି ଅବହେଳା ଯୋଗୁଁ ୬ ଟି ଗୋରୁଙ୍କ ମୃତ୍ୟୁ ଘଟଣାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି | ଏ ନେଇ ସଇଁତଲା ବିଦ୍ୟୁତ ବିଭାଗ ଏସଡ଼ିଓ ଅଂଶୁମାନ ସାହୁଙ୍କୁ ପଚାରିବାରୁ ଝଡ଼ତୋଫାନ ଯୋଗୁଁ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା l ଏହାର ତଦନ୍ତ କରାଯିବ ବୋଲି ପ୍ରକାଶ କରିଥିଲେ l ଏ ଘଟଣାକୁ ନେଇ ଭାସ୍କର ସାହୁ ଟିକ୍ରାପଡା ଫାଣ୍ଡିରେ ମଧ୍ୟ ଲିଖିତ ଅଭିଯୋଗ ଦେଇଛନ୍ତି l ଏଣୁ ବିଦ୍ୟୁତ ବିଭାଗର ଏଭଳି ଅପାରଗତା ଯୋଗୁଁ ଏହି ଅଭାବନୀୟ ଘଟଣା ଘଟିଗଲା l ତେଣୁ ଚାଷୀମାନଙ୍କ ପରିବାରଙ୍କୁ ଶୀଘ୍ର ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ପାଇଁ ସଇଁତଲା ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ହୃଷିକେଶ ରାଜପଲିଆ ଦାବୀ କରିଛନ୍ତି l