ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ସ୍ଥିତ ନିର୍ମଳଝରଠାରେ ଥିବା ପୂର୍ଣ୍ଣ କଳା କ୍ଷେତ୍ରଠାରେ ସାନ୍ତାଳୀ ଓ ଡଙ୍ଗରିଆ ଆଦିବାସୀଙ୍କ ଜୀବନଚର୍ଯ୍ୟାକୁ ନେଇ ଏକ ମୂରାଲ ଆର୍ଟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l କଳା କ୍ଷେତ୍ରର ନିର୍ଦ୍ଦେଶକ ତଥା ଯୁବ ଭାସ୍କର୍ଯ୍ୟ ଶିଳ୍ପୀ ସନ୍ତୋଷ କୁମାର ବେହେରାଙ୍କ ପ୍ରଯୋଜନାରେ ଆୟୋଜିତ କର୍ମଶାଳାରେ ଶ୍ରୀ ବେହେରା କଳାକାରମାନଙ୍କୁ ସାନ୍ତାଳୀ ଓ ଡଙ୍ଗରିଆ ଓ କେନ୍ଦୁପତ୍ର ତୋଳାଳୀମାନଙ୍କ ଜୀବନଶୈଳୀକୁ ବିଭିନ୍ନ ମୂରାଲ ଆର୍ଟର ପ୍ରୟୋଗାତ୍ମକ କୌଶଳ ଉପରେ ଆଧାରିତ ବିଷୟରେ ତାଲିମ ଦେଇଥିଲେ l କର୍ମଶାଳାରେ ଅନ୍ତେବାସୀଙ୍କ ମଧ୍ୟରେ ବହୁ ଭାସ୍କର୍ଯ୍ୟ ଶିଳ୍ପୀ ଅଣ ଶିଳ୍ପୀ ମାନଙ୍କୁ ଟେରାକୋଟା, ପିତଳ, ବ୍ରୋଞ୍ଜ, ଫାଇବର ଆର୍ଟ ଓ ପେଣ୍ଟିଙ୍ଗ ସମ୍ପର୍କରେ ତାଲିମ ଦିଆଯାଇଥିଲା l ଶିଳ୍ପୀ ସନ୍ତୋଷ କର୍ମଶାଳାରେ ଭାଗ ନେଇଥିବା ସମସାମୟିକ ଓ ପାରମ୍ପରିକ କଳାର ମିଶ୍ରଣରେ ବିଭିନ୍ନ ହସ୍ତକାମ ସମ୍ୱନ୍ଧରେ ତାଲିମ ପ୍ରଦାନ କରି ଆସୁଛନ୍ତି l ଏହି ଅନୁଷ୍ଠାନରେ ତାଲିମ ପାଇଁ ବହୁ ଶିଳ୍ପୀ ଓ ଅଣଶିଳ୍ପୀମାନେ ସ୍ୱାବଲମ୍ବୀ ହୋଇ ଜୀବିକା ଅର୍ଜନର ସୁବିଧା ପାଇଥିବା ବେଳେ ଆଗକୁ ଏହାକୁ ବ୍ୟାପକ କରି କଳାକୁ ଆଦୃତ କରି କର୍ମନିଯୁକ୍ତି ସୃଷ୍ଟି କରିବା ପାଇଁ ପ୍ରୟାସ କରିବେ ବୋଲି ପ୍ରକାଶ l କର୍ମଶାଳାରେ ଭାସ୍କର୍ଯ୍ୟ ଶିଳ୍ପୀ କେନ୍ଦ୍ରାପଡାର ଇନ୍ଟାଜ ଖାନ, ଦାଶରଥି ସାହୁ, ତ୍ରିନାଥ ଯାନୀ, ମଧୁଛନ୍ଦା ମିଶ୍ର, ହରିହର ବେହେରା, ହେମନ୍ତ ବେହେରାଙ୍କ ସମେତ ବହୁ ଶିଳ୍ପୀ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ l କର୍ମଶାଳାଟି ଆଗାମୀ ମେ ୨ ତାରିଖ ପର୍ଯ୍ୟନ୍ତ ଚାଲିବ l ମାଟିକୁ ଅହମଦାବାଦରୁ ଅଣାଯାଇ ସେହି ମାଟିକୁ ପାଗ କରି ବିଭିନ୍ନ ଆଦିବାସୀ କଳାର ଭାସ୍କର୍ଯ୍ୟକୁ ନିର୍ମାଣ କରିବା ପରେ ଏକ ଫାଇବର ଲେପ ଦିଆଯାଇ ମୂରାଲ ଆର୍ଟରେ ପରିଣତ କରାଯାଇଥାଏ l ଏହି ମୂରାଲ ଆର୍ଟକୁ ବଡ ବଡ ପାଞ୍ଚ ତାରକା ହୋଟେଲ ଓ ରେସ୍ତୋରାଁ ଓ ପାର୍କ ସମେତ ବହୁତଳ ପ୍ରସାଦରେ ଖଚିତ କରାଯାଇ ସୌନ୍ଦର୍ଯ୍ୟକରଣ କରାଯାଏ l