ଓଡ଼ିଆ ବାର୍ତ୍ତା/ ସୁରଟ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଗତ ମାନହାନୀ ମକଦ୍ଦମାର ବିଚାର କରି ସୁରଟ କୋର୍ଟ ଦେଇଥିବା ରାୟକୁ ଆଜି ଉପର କୋର୍ଟରେ ଚାଲେଞ୍ଜ କରିବେ ରାହୁଲ । ୧୧ ଦିନ ପରେ ଏହି ନ୍ୟାୟିକ ଲଢେଇ ପାଇଁ ଆଜି ରାହୁଲ ସୁରଟରେ ପହଞ୍ଚିଛନ୍ତି । ସେ କୋର୍ଟରେ ବେଲ ପାଇଁ ମଧ୍ୟ ଆବେଦନ କରିବେ । ସୁରଟ ଯିବା ପୂର୍ବରୁ କଂଗ୍ରେସ ନେତା ତଥା ଭଉଣୀ ପ୍ରିୟଙ୍କା ଗାନ୍ଧୀ ରାହୁଲଙ୍କୁ ଭେଟିବା ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି । ପ୍ରିୟଙ୍କା ମଧ୍ୟ ରାହୁଲଙ୍କ ସହ ସୁରଟ ଯିବେ ।ମିଳିଥିବା ଖବର ଅନୁଯାୟୀ, ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଯଥା ରାଜସ୍ଥାନର ଅଶୋକ ଗେହଲଟ. ଛତିଶଗଡର ଭୁପେଶ ବଘେଲ, ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂହ ସୁଖୁ ମଧ୍ୟ ରାହୁଲଙ୍କ ସହ କୋର୍ଟ ଯିବାର କାର୍ଯକ୍ରମ ରହିଛି । ନିଉଜ ଏଜେନ୍ସି ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଆଜି ରାହୁଲ ସୁରଟ କୋର୍ଟ ଦେଇଥିବା ରାୟ ବିରୋଧରେ ଆବେଦନ କରିବା ପରେ ଆଜି ସେସନ କୋର୍ଟରେ ଶୁଣାଣି ହୋଇପାରେ । ସୂଚନାଥାଉ କି, ସବୁ ଚୋରଙ୍କ ସାଙ୍ଗିଆ କାହିଁକି ମୋଦି ବୋଲି ରାହୁଲଙ୍କ ଏକ ବୟାନ ଦେଇ ତାଙ୍କ ସାଂସଦ ପଦ ହରାଇଛନ୍ତି। ଏହି ବୟାନ ପାଇଁ ରାହୁଲଙ୍କୁ ସୁରଟ କୋର୍ଟ ମାର୍ଚ୍ଚ ୨୩ରେ ଦୋଷୀ ସାବ୍ୟସ୍ତ କରିଥିଲେ । ଆଉ ଠିକ୍ ଦିନକ ପରେ ଚାଲି ଯାଇଥିଲା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ । ସୁରଟ କୋର୍ଟଙ୍କ ରାୟର ୧୧ ଦିନ ପରେ ରାହୁଲଙ୍କ ଲିଗାଲ୍ ଟିମ୍ ମାର୍ଚ୍ଚ ୩ ସୋମବାର କୋର୍ଟ ଯିବେ ବୋଲି ଗତକାଲି ସୂଚନା ଦେଇଥିଲେ । ରାହୁଲ ଗାନ୍ଧୀଙ୍କୁ କୋର୍ଟ ଜେଲ୍ ଦଣ୍ଡାଦେଶ ସହ ୧୫ ହଜାର ଟଙ୍କା ଜରିମାନା କରିଥିଲେ । ହେଲେ କିଛି ସମୟ ପରେ କୋର୍ଟ ରାହୁଲଙ୍କୁ ଜାମିନ୍ ଦେବା ସହ ଦଣ୍ଡାଦେଶକୁ ୩୦ ଦିନ ଯାଏ ସ୍ଥଗିତ ରଖିଥିଲେ । ଅର୍ଥାତ୍ ଏହି ସମୟ ମଧ୍ୟରେ ରାହୁଲ ଗାନ୍ଧୀଙ୍କୁ ଗିରଫ କରାଯାଇ ପାରିବ ନାହିଁ ଏବଂ ସେ ରାୟକୁ ଉପରେ କୋର୍ଟରେ ଚ୍ୟାଲେଞ୍ଜ କରି ପାରିବେ ।