ନର୍ଲା ପର୍ଯ୍ୟନ୍ତ ଲମ୍ବିଥାଇପାରେ ନକଲି ସାର୍ଟିଫିକେଟର ଚେର

କେବେ ବନ୍ଧାହେବେ ନକଲି ସାର୍ଟିଫିକେଟଧାରୀ ?

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନକଲି ସାର୍ଟିଫିକେଟକୁ ନେଇ ଏବେ ଚାଲିଛି ତନାଘନା । ବଲାଙ୍ଗୀର ଡାକ ବିଭାଗରେ ଚାକିରୀ ପାଇଥିବା କେଇଜଣ ନବ ନିଯୁକ୍ତ ଡାକ କର୍ମଚାରୀଙ୍କ ପ୍ରମାଣପତ୍ରକୁ ନେଇ ସନ୍ଦେହ ଉପୁଜିବା ପରେ ଆଳୁ ଖୋଳୁ ଖୋଳୁ ମହାଦେବ ପ୍ରକଟ ହେବାକୁ ବସିଲେଣି । ଏବେ ଧିରେ ଧିରେ ଏହାର ପର୍ଦ୍ଦାଫାସ ହେବାରେ ଲାଗିଛି । ଧିରେ ଧିରେ ନକଲି ସାର୍ଟିଫିକେଟର ଗୁମୁର ଖୋଲୁଥିବା ବେଳେ ଏହାର ଚେର ଏବେ ବଲାଙ୍ଗୀରର ପଡୋଶୀ ଜିଲ୍ଲା ଫୁଲବାଣୀ ଓ ଏହାପରେ କଳାହାଣ୍ଡି ଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡିଛି । ଏହା ଉପରେ ଏବେ ଅଧିକ ତଦନ୍ତ କରିବ କ୍ରାଇମବ୍ରାଞ୍ଚ ବୋଲି ଜଣାପଡିଛି । ନକଲି ସାର୍ଟିଫିକେଟର ମାଷ୍ଟର ମାଇଣ୍ଡ କୁହାଯାଉଥିବା ବଲାଙ୍ଗୀରର ମନୋଜ ମିଶ୍ରଙ୍କ କୋଚିଙ୍ଗ ସେଣ୍ଟର ଉପରେ ପୋଲିସ ଚଢାଉ କରିଛି । ଏଥିରୁ ଅନେକ ତଥ୍ୟ ପୋଲିସର ହସ୍ତଗତ ହୋଇଥିବା ଜଣାପଡିଛି । କେବଳ ଡାକ ବିଭାଗ ବୋଲି ନୁହଁ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ଗୁଡିଏ ବିଭାଗରେ ଏହି ନକଲି ସାର୍ଟିଫିକେଟଧାରୀ ମାନେ କୌଶଳ କ୍ରମେ ନକଲି ସାର୍ଟିଫିକେଟ ଦେଇ ଚାକିରୀ ହାତେଇ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ଦରମା ଖାଇସାରିଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Omkar Vasthu
Omkar Vasthu

 

ବଲାଙ୍ଗୀରର ପଡୋଶୀ ଜିଲ୍ଲା ଭାବରେ ବେଶ ପରିଚିତ କଳାହାଣ୍ଡି ଜିଲ୍ଲା ଏବଂ କଳାହାଣ୍ଡି ଜିଲ୍ଲାର ବଲାଙ୍ଗୀର ବୋର୍ଡର କୁହାଯାଉଥିବା ମ.ରାମପୁର ଓ ନର୍ଲା ବ୍ଲକ୍ ଅଞ୍ଚଳରେ ନକଲି ସାର୍ଟିଫିକେଟର ମାଷ୍ଟର ମାଇଣ୍ଡ ବଲାଙ୍ଗୀରର କୋଚିଙ୍ଗ ସେଣ୍ଟର ପରିଚାଳକ ମନୋଜ ମିଶ୍ରଙ୍କ ଅନେକ ଚେଲା ନକଲି ସାର୍ଟିଫିକେଟ ଦେଇ ଚାକିରୀ ହାତେଇଥିବା ଆଲୋଚନା ହେଉଛି । ବିଶେଷ କରି ଏହି ଦୁଇ ବ୍ଲକ ର ଶିକ୍ଷା ବିଭାଗରେ ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଚାକିରୀ କରୁଛନ୍ତି ଅନେକ ନକଲି ସାର୍ଟିଫିକେଟଧାରୀ । ଏମିତି ବି ଜଣେ ଜଣେ ନକଲି ସାର୍ଟିଫିକେଟଧାରୀ ପ୍ରାଥମିକ ଶିକ୍ଷକ ଅଛନ୍ତି ଯେଉଁ ମାନେ କି ସେହି ସମାନ ଶିକ୍ଷା ବର୍ଷ ମଧ୍ୟରେ ଏକା ସାଙ୍ଗରେ ଏମ୍ଫିଲ୍, ପିଏଚଡି ଓ ଏମଇଡି କରିଥିବାର ସାର୍ଟିଫିକେଟ ହାତେଇଥିବା ନର୍ଲାର ଶିକ୍ଷକ ମହଲରେ ଅନେକ ସମୟରେ ଆଲୋଚନା ହୁଏ ।

Pearl dental clinic
Near Ashish Medical Store, Bhawanipatna

 

ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୦୧୮ ମସିହା ଜୁନ ମାସରେ କଳାହାଣ୍ଡି ଜିଲ୍ଲା ଶିକ୍ଷକ ମାନଙ୍କ ସାର୍ଟିଫିକେଟ ଭେରିଫିକେସନ (ଯାଞ୍ଚ) ହୋଇଥିଲା । ହେଲେ ନର୍ଲା ଶିକ୍ଷା ବିଭାଗରେ ଉଚ୍ଚ ପଦସ୍ଥ ଅଧିକାରୀ ରହିଥିବା ତତ୍କାଳୀନ ଅଧିକାରୀ ଜଣକ ଜିଲ୍ଲା ଶିକ୍ଷା ବିଭାଗର କେଇଜଣ ଦୁର୍ନିତିଖୋର ଅଧିକାରୀଙ୍କୁ ହାତବାରିଶି କରି ନକଲି ସାର୍ଟିଫିକେଟଧାରୀ ଶିକ୍ଷକ ମାନଙ୍କ ଠାରୁ ଭଲ ରକମର ଚାନ୍ଦା ନେଇ ସେମାନଙ୍କୁ ଘଣ୍ଟ ଘୋଡେଇଥିବା ଶିକ୍ଷକ ମହଲରେ ଆଲୋଚନା ହୁଏ । ଶିକ୍ଷା ବିଭାଗର ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଥିଲେ ସାର୍ଟିଫିକେଟ ଯାଞ୍ଚ ପାଇଁ । ସାର୍ଟିଫିକେଟ ମଧ୍ୟ ଯାଞ୍ଚ ହେଲା । ହେଲେ ବିଭାଗକୁ ପ୍ରଦାନ କରାଯାଇଥିବା ସାର୍ଟିଫିକେଟ ଓ ଶିକ୍ଷକ ମାନଙ୍କ ପାଖରେ ରହିଥିବା ମୂଳ ସାର୍ଟିଫିକେଟକୁ କେବଳ ଟାଲି କରି ଧର୍ମକୁ ଆଖିଠାର ମାରି ସାର୍ଟିଫିକେଟ ଯାଞ୍ଚ ସାରି ଦେଇଥିଲେ ବିଭାଗୀୟ ଅଧିକାରୀ । ପ୍ରକୃତରେ ଯଦି ସାର୍ଟିଫିକେଟ ଯାଞ୍ଚ କରାଯାଉଛି ତାହେଲେ ସାର୍ଟିଫିକେଟ ଧାରୀଙ୍କ ସାର୍ଟିଫିକେଟରେ ରହିଥିବା ଏନରୋଲମେଣ୍ଟ ନମ୍ବର ପ୍ରକୃତ ସତ୍ୟ ନା ଏହା ନକଲି ଅଟେ । ତାହା ସାର୍ଟିଫିକେଟରେ ଉଲ୍ଲେଖ ରହିଥିବା ବୋର୍ଡ କିମ୍ବା ୟୁନିଭରସିଟିକୁ ସରକାରୀ ଭାବରେ ଚିଠି ମାଧ୍ୟମରେ ବୁଝିବା ଓ ତଦନ୍ତ ସାଙ୍ଗକୁ ଯାଞ୍ଚ କରିବା କଥା । ହେଲେ ସେସବୁ କରାନଯାଇ ହାତ ଗୁଞ୍ଜା ନେଇ ସାର୍ଟିଫିକେଟ ଯାଞ୍ଚ ସାରିଦେଇଥିଲେ ତତ୍କାଳୀନ ଶିକ୍ଷା ବିଭାଗର ଅଧିକାରୀ ମାନେ । ନର୍ଲା ଶିକ୍ଷା ବିଭାଗରେ ନକଲି ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ନକଲି ଶିକ୍ଷକ ମାନଙ୍କର “ଗଡ ଫାଦର” ଅବଶ୍ୟ ଏବେ ଆଉ ନର୍ଲା ଶିକ୍ଷା ବିଭାଗରେ ନାହାନ୍ତି । ନର୍ଲା ଶିକ୍ଷା ବିଭାଗର ତତ୍କାଳୀନ ଉକ୍ତ ଅଧିକାରୀ ଜଣକ ନକଲି ସାର୍ଟିଫିକେଟ ଧାରୀ ଶିକ୍ଷକ ମାନଙ୍କୁ ମୋ ହାତରେ ତମ ଚାକିରୀ ଅଛି । ମୁଁ ଚାହିଁଲେ ରହିବ ନହେଲେ ଚାରି ପାଞ୍ଜିରୁ ଯିବ କହି ବେଶ ମାଲ କମାଇଥିବା ଆଲୋଚନା ହୁଏ । ନକଲି ଶିକ୍ଷକ ମାନେ ଉକ୍ତ ଘଣ୍ଟୁଆଳ ଅଧିକାରୀଙ୍କ ପାଇଁ ଅନେକ ପ୍ରକାରର ସେବା ଯୋଗାଉଥିଲେ ବୋଲି ନର୍ଲା ଶିକ୍ଷକ ମହଲରେ ବେଶ ଆଲୋଚନା ହୁଏ । ଅବଶ୍ୟ ନର୍ଲା ବ୍ଲକ୍ ଅଞ୍ଚଳର କେଇଜଣ ଶିକ୍ଷକ ସାର୍ଟିଫିକେଟ ଯାଞ୍ଚ ନାଁ ଶୁଣିବା ପରେ ଚାକିରି ଛାଡି ଦେଇଥିଲେ । ବାହାର ଜିଲ୍ଲାରୁ ନର୍ଲାରେ ଶିକ୍ଷକ ଚାକିରୀ ପାଇଥିବା କିଛି ନକଲି ଶିକ୍ଷକ ସାର୍ଟିଫିକେଟ ଯାଞ୍ଚକୁ ଆଉ ଆସିନଥିଲେ କି ଆଉ ଶିକ୍ଷକତା ପାଇଁ ବିଦ୍ୟାଳୟ ଗୁଡିକୁ ମଧ୍ୟ ଯାଇନଥିଲେ । ଜିଲ୍ଲା ଶିକ୍ଷା ବିଭାଗର ବଡବାବୁ, ନର୍ଲା ଶିକ୍ଷା ବିଭାଗର ଅଧିକାରୀ ଓ ନର୍ଲାର ବହୁ ଅନୁଭବି ଶିକ୍ଷକ ମାନେ ଭଲ ଭାବରେ ଜାଣିଛନ୍ତି ଯେ ପ୍ରକୃତରେ ନର୍ଲାରେ ନକଲି ସାର୍ଟିଫିକେଟଧାରୀ ଶିକ୍ଷକ କେଉଁମାନେ । ହେଲେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ବର୍ଷିକିଆ ଚାନ୍ଦା ନେଇ ଏମାନଙ୍କୁ ସୁରକ୍ଷା ଦେଉଥିବାରୁ ପ୍ରକୃତ ରହସ୍ୟ ପଦାକୁ ଆସିପାରୁ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Udyog Nursery
Udyogi Nursery

 

ଏବେ ନକଲି ସାର୍ଟିଫିକେଟର ଚେର ବିଭିନ୍ନ ଜିଲ୍ଲାକୁ ଲମ୍ବିଥିବା ତଦନ୍ତରୁ ଜଣାପଡୁଥିବା ବେଳେ ନର୍ଲା ଶିକ୍ଷା ବିଭାଗ ଓ ଅନ୍ୟ ବିଭାଗ ଗୁଡିକରେ ମଧ୍ୟ ଅନେକ ନକଲି ସାର୍ଟିଫିକେଟଧାରୀ ରହିଛନ୍ତି ବୋଲି ନର୍ଲାର ବିଭିନ୍ନ ମହଲରେ ଆଲୋଚନା ହେଉଛି । ତନ୍ନ ତନ୍ନ କରି ସରକାରୀ ଭାବରେ ୟୁନିଭରସିଟି ଓ ବୋର୍ଡ ଅଫିସ କୁ ଚିଠି ମାଧ୍ୟମରେ ଏନରୋଲମେଣ୍ଟ ତଦନ୍ତ କରି ଚାକିରିଆଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଉ । ତେବେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ନର୍ଲାର ବୁଦ୍ଧିଜୀବୀ ମାନେ ଦାବୀ କରୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.