ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଗତ ସଂକ୍ରାନ୍ତି ପରଠାରୁ ଖଲ୍ଲିକୋଟ ବ୍ଲକରେ ୨୧ ଦିନିଆ ଓ ୧୩ ଦିନିଆ ଦଣ୍ଡ ଯାତ୍ରା ବିଭିନ୍ନ ଦଣ୍ଡ କାଳି ମନ୍ଦିରରୁ ବାହାରି ଥିବା ବେଳେ ଲୋକମାନେ ଅତ୍ୟନ୍ତ ପବିତ୍ରତାର ସହ ଦଣ୍ଡ ପାଳନ କରୁଥିବା ଦେଖିବାକୁ ମିଳୁଛି l ବ୍ଲକର ପ୍ରାୟ ପ୍ରତି ଗ୍ରାମ ସମେତ ଖଲ୍ଲିକୋଟ ସହରରେ ମାନସିକ ଦଣ୍ଡ ଧାରୀମାନେ ଦଣ୍ଡ ଯାତ୍ରା ମଞ୍ଚସ୍ଥ କରି ବ୍ରତ ପାଳନ କରୁଥିବା ବେଳେ ବ୍ଲକର ମଥୁରା ପଂଚାୟତର ସିଧାପଲ୍ଲୀ ଠାରେ ୧୧ ଗୋଟି ଦଣ୍ଡକୁ ନେଇ ଏକ ମେଳଣ ଅନୁଷ୍ଠିତ ହୋଇଥିବା ବେଳେ ଏହି ମେଳଣ ଦେଖିବା ପାଇଁ ହଜାର ହଜାର ଜନ ସମାଗମ ହୋଇଥିଲା l ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଉକ୍ତ ଦଣ୍ଡ ମେଳଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ l ଦଣ୍ଡ ନାଚରେ ଅଶ୍ଳୀଳତା କଥା ଆଲୋଚନା ହେଉଥିବା ବେଳେ ସ୍ଥାନୀୟ କଳାକାର ମାନେ ଏହାର ଦୃଢ ବିରୋଧ କରୁଛନ୍ତି l କଳାକାର ମାନେ ଦଣ୍ଡ ନାଚରେ କଳାକାର ସାଜି ନିଜର ଜୀବିକା ବଞ୍ଚାଇବା ପାଇଁ ଦଣ୍ଡ ନାଚ ପାଇଁ ଅପେକ୍ଷା କରିଥାନ୍ତି l ସେହିପରି କିନ୍ନର କଳାକାର ମାନେ ମଧ୍ୟ ଦଣ୍ଡ ନାଚରେ ଅଭିନୟ କରି ଦି ପଇସା ପାଇଥାନ୍ତି l ସରକାର ଯେଉଁ ଅଶ୍ଳୀଳତା କଥା କହୁଛନ୍ତି କଳାକାର ମାନେ ଏହାର ତୀବ୍ର ବିରୋଧ କରୁଥିବା ଦେଖିବାକୁ ମିଳୁଛି l