ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ) : ସ୍ଥାନୀୟ ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ଛାତ୍ରଛାତ୍ରୀଙ୍କୁ ନେଇ ଏକ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ସୁନିତା ଉଇଲିୟମ, ବରିଷ୍ଠ ଶିକ୍ଷୟିତ୍ରୀ ସୁନିତା କୃପ, ପୁଷ୍ପିତା ପଟ୍ଟନାୟକ, ହୀରାମଣି ବେମାଲ ପ୍ରମୁଖଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ମାନେ ଜନଜାତି ସାଧନ କେନ୍ଦ୍ର ପରିଦର୍ଶନ କରିଥିଲେ। ଛାତ୍ରଛାତ୍ରୀମାନେ ଜନଜାତି ସାଧନ କେନ୍ଦ୍ର ବୁଲିବା ସମୟରେ ବାହାରେ ଥିବା କଳାହାଣ୍ଡି ସଂସ୍କୃତିର ପରମ୍ପରା ଓ ରୀତିନୀତି ବିଷୟରେ ଉପସ୍ଥାପିତ ମୂର୍ତ୍ତିକଳା ଦେଖିଥିଲେ। ତାପରେ ସାଧନ ଗୃହ ମଧ୍ୟରେ ଥିବାବିଭିନ୍ନ ପ୍ରକାରର ଜନଜାତି ସାମଗ୍ରୀ ଦେଖିଥିଲେ। ଏହି ସମୟରେ କେନ୍ଦ୍ରର ଗାଇଡ଼ ଡିଲେଶ୍ୱର ରଣା ସମସ୍ତ ସାମଗ୍ରୀ ଉପରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଛାତ୍ରଛାତ୍ରୀମାନେ ବୁଲିବା ସହ ଲୋକଜ୍ଞାନ ଆଧାରିତ ଶିକ୍ଷା ଲାଭ କରିଥିଲେ। କେନ୍ଦ୍ରର ଇନଚାର୍ଜ ଯୁଗେଶ୍ୱର ମାଝୀ ଓ ଶିକ୍ଷକ ବେଣୁଧର ବିଶ୍ୱାଳ ଉପସ୍ଥିତ ଥିଲେ।