୬ ବର୍ଷରୁ ୧୫ବର୍ଷ ପର୍ଯ୍ୟନ୍ତ ପୂରଣ କରି ବିଦ୍ୟାଳୟଗୁଡିକରେ ପଡି ରହିଛନ୍ତି ଶିକ୍ଷକ
ସରକାରଙ୍କ ନିର୍ଦ୍ଦେଶ ପରେ ବଦଳି ପାଇଁ ତାଲିକା ପ୍ରସ୍ତୁତ କରୁଛି ରାୟଗଡା ଜିଲ୍ଳା ମଙ୍ଗଳ ବିଭାଗ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ଶିକ୍ଷକମାନେ ଗୋଟିଏ ବିଦ୍ୟାଳୟରେ ୬ବର୍ଷ ପୂରଣ କରିଥିଲେ ବାଧ୍ୟରେ ବଦଳି ହେବା ପାଇଁ ଓଡିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ସରକାରୀ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏହି ନିର୍ଦ୍ଦେଶକୁ ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଳା ମଙ୍ଗଳ ବିଭାଗରେ କାର୍ଯ୍ୟକାରୀ କରାଯାଉ ନ ଥିବା ପରିଲିକ୍ଷିତ ହୋଇଛି । ଜିଲ୍ଳାର କାଶିପୁର, ଚନ୍ଦ୍ରପୁର, ମୁନିଗୁଡା, ଗୁଡାରୀ, ରାମନାଗୁଡା, କଲ୍ୟାଣସିଂହପୁର, ରାୟଗଡା, କୋଲନରା, ବିଷମକଟକ,ଗୁଣପୁର ଓ ପଦ୍ମପୁର ଭଳି ୧୧ଗୋଟି ବ୍ଳକରେ କଲ୍ୟାଣ ବିଭାଗ ଅଧିନସ୍ଥ ୧୪୮ଗୋଟି ବିଦ୍ୟାଳୟରେ ଶହେରୁ ଉର୍ଦ୍ଧ ଶିକ୍ଷକମାନେ ଗୋଟିଏ ବିଦ୍ୟାଳୟରେ ୧୦ରୁ ୧୫ବର୍ଷ ମଧ୍ୟରେ କାର୍ଯ୍ୟ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ବଦଳି କରିବା ପାଇଁ ବିଭାଗ ତଥା ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଜିଲ୍ଳାର ଉପାନ୍ତ ଅଂଚଳର ବିଦ୍ୟାଳୟରେ ଥିବା ଶତାଧିକ ଶିକ୍ଷକଶିକ୍ଷୟତ୍ରୀମାନେ ସେମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ସହ ନିଜ ପରିବାର ତଥା ତାଙ୍କ ଉପରେ ନିର୍ଭର କରି ଚଳୁଥିବା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଭଳି ଅନ୍ୟାନ୍ୟ ସମସ୍ୟା କ୍ଷେତ୍ରକୁ ନେଇ ବଦଳି ପାଇଁ ଆବେଦନ କରିଥିଲେ ମଧ୍ୟ ଜିଲ୍ଳା ମଙ୍ଗଳ ବିଭାଗ ତଥା ପ୍ରଶାସନ ଏ ଦିଗରେ କର୍ଣ୍ଣପାତ କରୁ ନ ଥିବା ଶିକ୍ଷକ ମହଲରୁ ଜଣାପଡିଛି । ଚଳିତ ବର୍ଷ ବିଭାଗୀୟ ପତ୍ର ସଂଖ୍ୟା ୫୮୬୪/୨୨/୦୩/୨୩ ଅନୁଯାୟୀ ୬ବର୍ଷରୁ ଉର୍ଦ୍ଧ ପୂରଣ କରିସାରିଥିବା ଗୋଟିଏ ବିଦ୍ୟାଳୟରୁ ଅନ୍ୟତ୍ର ବଦଳି ପାଇଁ କଡାକଡି ନିର୍ଦ୍ଦେଶ ଆସିବା ପରେ ଜିଲ୍ଳା ମଙ୍ଗଳ ବିଭାଗ ଅଧିନସ୍ଥ ୧୪୮ଗୋଟି ବିଦ୍ୟାଳୟରୁ ତାଲିକା ମଗାଯାଇଥିବା ଜଣାପଡିଛି । ଜିଳ୍ଳାରେ କଲ୍ୟାଣ ବିଭାଗ ଅଧିନରେ ୪୪ଗୋଟି ଉଚ୍ଚ ବିଦ୍ୟାଳୟ,୫୮ଗୋଟି ସେବାଶ୍ରମ,୨ଟି ଆବାସିକ ଆଶ୍ରମ ବିଦ୍ୟାଳୟ,୩୪ଗୋଟି ଆଶ୍ରମ ବିଦ୍ୟାଳୟ,୭ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ୩ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ରହିଛି । ଏହି ବିଦ୍ୟାଳୟ ଗୁଡିକରେ ୬୦ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନେ ଅଧ୍ୟୟନରତ ରହିଛନ୍ତି । ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟରେ ୧୫ ବର୍ଷରୁ ଉର୍ଦ୍ଧ ଧରି ଶିକ୍ଷକ ମୀନ ବ୍ରେଡକା,ଏସ.ରାମୋଜି ରାଓ,ଗୁଡୁବାଲି ଆଶ୍ରମ ବିଦ୍ୟାଳୟର ଶିକ୍ଷକ ରାମଚନ୍ଦ୍ର ପାଢୀ,ନେହୁରୁପଙ୍ଗା ଆଶ୍ରମ ବିଦ୍ୟାଳୟର ଶିକ୍ଷକ ଜଗନ୍ନାଥ ବାଗଙ୍କ ଭଳି ଶତାଧିକ ୍ଶିକ୍ଷକଶିକ୍ଷୟତ୍ରୀମାନେ ଦୀର୍ଘ ବର୍ଷ କାର୍ଯ୍ୟ କରି ଆସୁଥିବା ବେଳେ ଏମାନଙ୍କ ବଦଳି ଆବେଦନକୁ ଆଜି ଯାଏଁ ବିଭାଗ ପକ୍ଷରୁ କୈାଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଫଳରେ ଜିଲ୍ଳାର ଅନେକ ଉପାନ୍ତ ଅଂଚଳରେ ଥିବା ଶିକ୍ଷକଶିକ୍ଷୟତ୍ରୀମାନେ ଦୀର୍ଘ ବର୍ଷ ଧରି ବଦଳି ନ ହୋଇ ଗୋଟିଏ ବିଦ୍ୟାଳୟରେ ୧୦ରୁ ଉର୍ଦ୍ଧ ବର୍ଷ କାର୍ଯ୍ୟ କରି ଆସୁଛନ୍ତି । ବିଶେଷ କରି ସହରାଂଚଳ ନିକଟରେ ତଥା ରାସ୍ତା କଡରେ ଥିବା ଯାତାୟାତ ପାଇଁ ସୁବିଧା ହେଉଥିବା ବିଦ୍ୟାଳୟଗୁଡିକୁ ୬ବର୍ଷରୁ କମ ପୂରଣ କରିଥିବା ଶିକ୍ଷକଶିକ୍ଷୟତ୍ରୀମାନଙ୍କୁ ଡେପୁଟେସନ୍ ତଥା ବଦଳି କରି ଦିଆଯାଉଥିବା ବେଳେ ଉପାନ୍ତ ଅଂଚଳର ଶିକ୍ଷକଶିକ୍ଷୟତ୍ରୀମାନଙ୍କୁ ଉପେକ୍ଷା କରାଯାଉଥିବା ଶିକ୍ଷକ ମହଲରେ ଚର୍ଚ୍ଚା ଜୋର ଧରିଛି । ଜିଲ୍ଳା ଶିକ୍ଷା ବିଭାଗରେ ପ୍ରତି ୩ବର୍ଷରେ ବଦଳି ପ୍ରକିୟାକୁ ନିୟମିତ ଭାବେ ପୂରଣ କରାଯାଉଥିବା ବେଳେ ଜିଲ୍ଳା ମଙ୍ଗଳ ବିଭାଗରେ କିନ୍ତୁ ବ୍ୟତିକ୍ରମ ଦେଖାଦେଇଛି । ତେବେ ଏ ନେଇ ଜିଲ୍ଳା ମଙ୍ଗଳ ଅଧିକାରୀଙ୍କୁ ୬ବର୍ଷରୁ ଉର୍ଦ୍ଧ ପୂରଣ କରିଥିବା ଶିକ୍ଷକଶିକ୍ଷୟତ୍ର୍ୀମାନଙ୍କ ବଦଳି ସଂପର୍କରେ ଜିଲ୍ଳା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପତିଙ୍କୁ ପଚାରି ବୁଝିବାରୁ ସରକାରଙ୍କ ମାର୍ଗ ଦର୍ଶିକା ନିର୍ଦ୍ଦେଶାନୁସାରେ ଆସନ୍ତା ଜୁନ୍ ୧୫ ମଧ୍ୟରେ ଜିଲ୍ଳାର ସମସ୍ତ ବିଦ୍ୟାଳୟରୁ ତାଲିକା ମଗାଯାଇଛି ଏବଂ ତାଲିକା ମିଳିବା ପରେ ବଦଳି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଶ୍ରୀ ଶତପଥି ପ୍ରକାଶ କରିଛନ୍ତି ।