ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ବାଲେଶ୍ଵରର ବାହାନଗା ଟ୍ରେନ ଟ୍ରାଜେଡିରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ମିଳିବ କ୍ଷତିପୂରଣ I ବିନା ଟିକଟରେ ଯାଇ ଦୁର୍ଘଟଣାରେ ତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ସରକାର କ୍ଷତିପୂରଣ ଦେବେ । କେଉଁ ଯାତ୍ରୀ ବିନା ଟିକେଟରେ ଯାତ୍ରା କରୁଥାନ୍ତି ସେମାନଙ୍କୁ କ୍ଷତିପୂରଣ ମିଳିବ କି ନାହିଁ ପ୍ରଶ୍ନ ଉଠିଥିଲା । ବିନା ଟିକେଟରେ ଯାତ୍ରା କରୁଥିବା ମୃତକଙ୍କ ପରିବାରକୁ ମଧ୍ୟ କ୍ଷତିପୂରଣ ମିଳିବ ବୋଲି ରେଳ ମନ୍ତ୍ରଣାଳୟ ଘୋଷଣା କରିଛି । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଏବଂ ସାଧାରଣ ଆହତଙ୍କୁ ୫୦ ହଜାର ଟଙ୍କା ଦିଆଯିବ ବୋଲି ରେଳ ମନ୍ତ୍ରଣାଳୟ ପ୍ରକାଶ କରିଥିଲା । ସେହି ନିୟମ ବିନା ଟିକେଟରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଲାଗୁ ହେବ ।ଯଦି କେହି ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀ ମୃତ୍ୟୁ ମୁଖରେ ପଡିଥାନ୍ତି, ସେମାନଙ୍କ ପରିବାରକୁ ମଧ୍ୟ ଏହି ସମାନ କ୍ଷତିପୂରଣ ମିଳିବ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହା କରାଯିବ ବୋଲି ଅଧିକାରୀମାନେ କହିଛନ୍ତି । ରେଳ ମୁଖପାତ୍ର ଅମିତାଭ ଶର୍ମା କହିଛନ୍ତି ଯେ ଯାତ୍ରୀଙ୍କ ଟିକେଟ୍ ଥାଉ କି ନଥାଉ, ସେମାନଙ୍କୁ କ୍ଷତିପୂରଣ ଦିଆଯିବ ।





