ଗୋଟିଏ ପଟେ ଚାଲିଛି ‘ମୋ-ଘର’ ଆବେଦନ, ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ ପ୍ରକ୍ରିୟା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ): ଦୀର୍ଘଦିନର ପ୍ରତୀକ୍ଷା ପରେ ରାଜ୍ୟର ଲକ୍ଷାଧିକ ଗରିବଙ୍କ ଆବାସ ସ୍ବପ୍ନ ପୂରଣ ହେବାକୁ ଯାଉଛି। ଗତକାଲି ଠାରୁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଯୋଜନା ‘ମୋ-ଘର’ ଲାଗି ଆବେଦନ ଗ୍ରହଣ କରାଯିବାକୁ ରହିଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ। ଏ ସଂକ୍ରାନ୍ତରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସବୁ ଜିଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପତ୍ର ଲେଖି ସରକାରଙ୍କ ସ୍ବତନ୍ତ୍ର ପ୍ରଣାଳୀ ସମ୍ପର୍କରେ ଅବଗତ କରାଯାଇଛି। ବିଭାଗୀୟ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦେଶକ ଅରିନ୍ଦମ ଡାକୁଆ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ପ୍ରତ୍ୟେକ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କ ଲାଗି ଜଣେ ଲେଖାଏଁ ସମର୍ପିତ ବ୍ଲକ କର୍ମଚାରୀ(ଡେଡିକେଟେଡ ବ୍ଲକ ଷ୍ଟାଫ୍) ଯୋଡି ରହିବେ। ଯେଉଁ କର୍ମଚାରୀ ହିତାଧିକାରୀଙ୍କ ଦାୟିତ୍ବ ନେବେ ତାଙ୍କର ଦୂରଭାଷ ନମ୍ବର କାର୍ଯ୍ୟାଦେଶରେ ଉଲ୍ଲେଖ ରହିବ। ଏହାପୂର୍ବରୁ ସମ୍ଭାବ୍ୟ ହିତାଧିକାରୀ ତାଲିକା ପ୍ରକାଶ କରାଯିବ। ଏହାକୁ ନେଇ ଯେଉଁଠାରେ ଦ୍ବନ୍ଦ୍ବ ଉପୁଜିବ ତାକୁ ଯାଞ୍ଚ କରାଯିବ। ଚୂଡାନ୍ତ ରିପୋର୍ଟରେ ବ୍ଲକ କର୍ମଚାରୀଙ୍କୁ ସଂଲଗ୍ନ କରାଯାଇ ‘ଜିଓ ଟ୍ୟାଗିଂ’ କରାଯିବ। ଆମ ଘର ମୋବାଇଲ ଆପରେ ବ୍ଲକ କର୍ମଚାରୀ ଏହାକୁ ସଂଲଗ୍ନ କରିବେ।ସମୟାନୁସାରେ ‘ଆମ-ଘର’ ମୋବାଇଲ ଆପରେ ହିତାଧିକାରୀଙ୍କ ଦୂରଭାଷ ନମ୍ବର ‘ଅପଡେଟ୍’ କରାଯିବ। ଘର କାର୍ଯ୍ୟାଦେଶ ଦେବା ବେଳେ କର୍ମଚାରୀ ସଂପୃକ୍ତ ହିତାଧିକାରୀଙ୍କ ଜମିର ପଟ୍ଟା ଓ ଆଧାର କାର୍ଡ ସଂଗ୍ରହ କରି ଆପରେ ‘ଅପଲୋଡ’ କରିବେ। ଆବଶ୍ୟକସ୍ଥଳେ ହିତାଧିକାରୀଙ୍କ ତାଙ୍କର କାର୍ଯ୍ୟାଦେଶ ଦୂରସଞ୍ଚାର କିମ୍ବା ମୋ-ସେବା କେନ୍ଦ୍ର ଜରିଆରେ ପାଇପାରିବେ। କାର୍ଯ୍ୟାଦେଶ ଲାଗି କୌଣସି ପ୍ରକାର ଶିବିର ଆୟୋଜନ କରାଯିବ ନାହିଁ କି ହାତାହାତି ଦିଆଯିବ ନାହିଁ। ହିତାଧିକାରୀ ଚାହିଁଲେ ବ୍ଲକ କର୍ମଚାରୀଙ୍କଠାରୁ ମୋବାଇଲ ଜରିଆରେ ମାଗି ପାରିବେ। ଯେଉଁଠାରେ ହିତାଧିକାରୀ ମୋବାଇଲ କିମ୍ବା ମୋ-ସେବା କେନ୍ଦ୍ର ଜରିଆରେ ପାଇବାରେ ସମସ୍ୟା ଉପୁଜିବ ସେ କ୍ଷେତ୍ରରେ ବ୍ଲକ କର୍ମଚାରୀ ତାଙ୍କ ଦୁଆରେ ପହଞ୍ଚାଇବେ।ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ‘ମୋ ଘର’ ଯୋଜନାରେ ସୁବିଧା ପାଇବା ପାଇଁ ଗତକାଲି (ଶୁକ୍ରବାର)ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି। ଏ ସମ୍ପର୍କରେ ବିସ୍ତୃତ ସୂଚନା www.rhodisha.gov.in/mogharaରେ ଉପଲବ୍ଧ କରାଯାଇଛି। ଏହି ଯୋଜନାରେ କଚ୍ଚା ଘରକୁ ପକ୍କା ଘରରେ ପରିବର୍ତ୍ତନ କରିବା, ନୂଆଘର ନିର୍ମାଣ କିମ୍ବା ଗୃହର ସମ୍ପ୍ରସାରଣ କରାଯାଇପାରିବ। ହିତାଧିକାରୀ ୧ଲକ୍ଷରୁ ସର୍ବାଧିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏହି ଯୋଜନାରେ ବ୍ୟାଙ୍କ ଋଣ ପାଇପାରିବେ। ରାଜ୍ୟ ସରକାର ଏଥିପାଇଁ ୩୦ରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ରିଆତି ବିଭିନ୍ନ ବର୍ଗଙ୍କ ଲାଗି ପ୍ରଦାନ କରିବେ। ସେହିଭଳି ପ୍ରଥମ ବର୍ଷକୁ ବାଦ୍‌ ଦେଇ ୧୦ ବର୍ଷ ମଧ୍ୟରେ ହିତାଧିକାରୀ ଏହି ଋଣ ବ୍ୟାଙ୍କକୁ ପରିଶୋଧ କରିବେ। ତେବେ ଏହି ଯୋଜନାର ସୁଫଳ ପାଇବା ଲାଗି ଏଥିପାଇଁ ପରିବାରର ମାସିକ ଆୟ ୨୫ ହଜାର ଟଙ୍କାରୁ ଅଧିକ ହୋଇ ନଥିବା ଦରକାର। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ‘ଆମ-ଘର ମୋବାଇଲ ଆପ୍’କୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟ ସରକାର ଗରିବଙ୍କ ପାଇଁ କ୍ୟାବିନେଟରେ ‘ମୋ-ଘର’ ଯୋଜନା କାର୍ଯ୍ୟକାରୀ କଲେ। ଏବେ ବିଭାଗ ପକ୍ଷରୁ ଆମ-ଘର ଆପ୍ କାର୍ଯ୍ୟକାରୀ କରାଗଲା। ଏହା ପଛରେ ବିଭାଗର କି ରହସ୍ୟ ରହିଛି ତାହା ବୁଝି ହେଉ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାନୁଯାୟୀ, ଗତ ଜାନୁଆରୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ମତିରେ ୯ଲକ୍ଷ ୫୯ହଜାର ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ ପାଇଁ ସ୍ଥିର ହୋଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତି ଚୂଡ଼ାନ୍ତ ନେଇ ଦୀର୍ଘଦିନ କସରତ ପରେ ଏହି ସଂଖ୍ୟା ବାହାରିଥିଲା। ଏଥିରେ ଉପକୂଳ ଜିଲାର ୧ଲକ୍ଷରୁ ଊର୍ଦ୍ଧ୍ବ ‘ଫଣି’ ବାତ୍ୟା ପ୍ରପୀଡ଼ିତ ଅଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ୯.୫୯ଲକ୍ଷ ହିତାଧିକାରୀଙ୍କୁ ବାଦ୍ ଦେଲେ ପଶ୍ଚିମ ଓଡ଼ିଶା ସହିତ ଫଣି ପ୍ରପୀଡ଼ିତ ୧୦ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ବଳକା ରହୁଛନ୍ତି। ସେମାନଙ୍କୁ ‘ମୋ-ଘର’ ଯୋଜନାରେ ସାମିଲ କରାଯିବା ପାଇଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ରହିଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.