ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ରେ ଆଜି ଦ୍ୱିତୀୟ ଦିନ ପୁଣି ରଥଯାତ୍ରା ଅନୁଷ୍ଠିତ ହୋଇଛି। ଗତକାଲି ରଥଟଣା ହେବାପରେ ଭକ୍ତ ସାଲବେଗ ବିଜୟ ପଣ୍ଡାଙ୍କ ଆତିଥେୟ ଗ୍ରହଣ କରି ପଞ୍ଚାୟତ ବଜାର ଗୃହ ନିକଟରେ ରାତ୍ରି ରହଣୀ କରିଥିଲେ ତିନି ଠାକୁର । ସନ୍ଧ୍ୟାରେ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗତକାଲି ପବିତ୍ର ଘୋଷ ଯାତ୍ରା ମଙ୍ଗଳବାର ସକାଳ ୬ ଘଣ୍ଟା ସମୟରେ ମଙ୍ଗଳ ଆଳତୀ ସାଙ୍ଗକୁ ଶ୍ରୀ ଜୀଉ ମାନଙ୍କ ସମସ୍ତ ରୀତି ନୀତି ଆରମ୍ଭ ହୋଇଯାଇଥିଲା । ଦିନ ତମାମ ପୂଜାପାଠ ପରେ ଅପରାହ୍ନ ୫ ଟା ବେଳେ ତିନି ବିଗ୍ରହ ପହଣ୍ଡି ବିଜେ କରିଥିଲେ ।
ଆଜି ଦ୍ୱିତୀୟ ଦିବସ ରଥଯାତ୍ରା ସନ୍ଧ୍ୟା ୬ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଥିଲା । ରଥ ନବୋଦୟ ଛକରେ ପହଁଚିବା ପରେ ତିନି ଠାକୁରଙ୍କୁ ଦୁର୍ଗା ମଣ୍ଡପ ସମ୍ମୁଖସ୍ଥ ମାଉସୀ ମା ମନ୍ଦିର ଯାଏଁ ପହଣ୍ଡି ବିଜେ କରିଥିଲେ। ମାଉସୀ ବନିତା ମିଶ୍ର ଓ ମଉସା ବସନ୍ତ ମହାପାତ୍ର ତିନି ଠାକୁରଙ୍କୁ ଭୋଗ ରାଗ ଦେଇ ପାଛୋଟି ନେଇଥିଲେ । ଆଜି ମଧ୍ୟ ପାଗ ଅନୁକୂଳ ରହିବାରୁ ପ୍ରବଳ ଭକ୍ତ ସମାଗମ ହୋଇଥିଲା । ନର୍ଲାର ବରିଷ୍ଠ ନାଗରିକ ସତ୍ୟ ନାରାୟଣ ପାତ୍ର ଓ ତପିନ୍ଦ୍ର ଗଉଡିଆ ଛେରା ପହରା କରିଥିଲେ । ପଣ୍ଡା ଅଜୟ ନନ୍ଦ ସୁଦର୍ଶନ ବିଗ୍ରହ କୁ ଧରି ସବା ଆଗରେ ଚଲିଥିବା ବେଳେ, ତାଙ୍କ ପରେ ଶ୍ରୀ ଦିବ୍ୟ ପତି ଗରୁଡ ବିଗ୍ରହକୁ ବିଗ୍ରହ ଧରିଥିଲେ । ମନ୍ମୟ ଚାନ୍ଦ, ଗୌତ୍ତମ ଚିନ୍ଦା, ମଧୁସୁଦନ ପାଢୀ, ସଞ୍ଜୟ ପଣ୍ଡା, ସୁଶାନ୍ତ ଚାନ୍ଦ, ପ୍ରଭୋବ ଚାନ୍ଦ, ମହେଶ ଚାନ୍ଦ, ସୁରେନ୍ଦ୍ର ଚାନ୍ଦ, ସୁଧର୍ମା ପଣ୍ଡା, ବିଶି ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରଶାନ୍ତ ପଣ୍ଡା, ହୃଷିକେଶ ପାତ୍ର ପ୍ରମୁଖ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ରଥଯାଏଁ ନେଇ ଆସିଥିଲେ ।
ମହିଳା ଭକ୍ତମାନେ ତିନି ଠାକୁରଙ୍କ ପହଣ୍ଡି ରେ ନିଜକୁ ସାମିଲ କରିଥିବା ଦେଖିବାକୁ ମିଳିଥିଲା । ପ୍ରଭୁଙ୍କ ଆସନ ପରିପାଟି କଥା ଶମ୍ଭୁ ଜଡ଼ା ବୁଝିଥିବା ବେଳେ ମହିଳା ଭକ୍ତ ମାନେ ଠାକୁର ମାନଙ୍କୁ ଚାମର କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯୁବ ସ୍ୱେଚ୍ଛାସେବୀ ଚୁଳମଣି ଗଉଡିଆ, ବିମଲ କୁମାର କେଡିଆ, ନରସିଂହ ନାଏକ ପ୍ରମୁଖ ଠାକୁର ମାନଙ୍କ ପହଣ୍ଡି ରେ ସହଯୋଗ କରିଥିଲେ । କର୍ତ୍ତା ଚିରଞ୍ଜିବୀ ଗଉଡିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମୁଖ୍ୟ ପୂଜକ ନାରାୟଣ ପଣ୍ଡା, ସହକାରୀ ସୁଦାମ ପଣ୍ଡା, ମଧୁ ପାଢ଼ୀ,ସଞ୍ଜୟ ପଣ୍ଡା ପ୍ରମୁଖ ରଥ ଉପରେ ପୂଜନ ଦାଇତ୍ୱ ନିର୍ବାହନ କରିଥିଲେ । ପ୍ରବଳ ଭକ୍ତ ସମାଗମ ଓ ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ନର୍ଲା ସହର ।