ଧାର୍ମିକ ପୃଷ୍ଟଭୂମି, କୃଷି ସଂସ୍କୃତି ଓ ଭାଇଚାରା ସୃଷ୍ଟିର ଅନନ୍ୟ ନିଦର୍ଶନ
ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ଠାରେ ବସ୍ତରେନ ମାଉଲି ଦେବୀଙ୍କ ବାର୍ଷିକ ମଣ୍ଡେଇ ଓ ଆଷାଢ଼କେନା ଯାତ୍ରା ଶୁକ୍ରବାର ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ଏହି ଯାତ୍ରା ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡା଼ ଯାତ୍ରାର ପରବର୍ତ୍ତୀ ଶୁକ୍ରବାର ପାଳିତ ହୋଇଥାଏ । ଦେବୀ ବସ୍ତରେନ ମାଉଲୀଙ୍କ ମଣ୍ଡେଇ ଯାତ୍ରାର କଣ୍ଟା ଦୋଳିରେ ଝୁଲିବା ଦୃଶ୍ୟ ସହ ନିଜ ନିଜର ମାନସିକ ପୂରଣ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥାଏ । କୃଷି ଭିତ୍ତିକ ଏହି ମଣ୍ଡେଇ ଓ ଆଷାଢ଼କେନା ଯାତ୍ରା ସମ୍ପନ୍ନ ନହେବା ପର୍ଯ୍ୟନ୍ତ ଗ୍ରାମରେ ଧାନ ରୁଆ ଓ ବେଉଷଣ କାର୍ଯ୍ୟ ଆରମ୍ଭ ହୋଇନଥାଏ । ବିଶ୍ୱାସ ରହିଛି ଏହି ଯାତ୍ରା ପାଳନ କଲେ ଭଲ ବର୍ଷା ହେବା ସହ ଚାଷ ମଧ୍ୟ ଭଲ ଅମଳ ଉତ୍ପାଦନ ହୋଇଥାଏ । ଯାତ୍ରାରେ ପ୍ରଥମେ ପ୍ରଥମେ ଗାଁର ଗୋନ୍ତିଆ ଓ ପୂଜକଙ୍କ ଘରୁ ଦେବୀଙ୍କ ଲାଠି, କାଳିସୀ ସହ ପାରମ୍ପରିକ ବାଜା ବଜାଇ ବିରାଟ ପଟୁଆରାରେ ଏକ ଶୋଭାଯାତ୍ରାରେ ବାହାରି ଦେବୀଙ୍କ ପୀଠକୁ ପହଞ୍ଚିବା ପରେ ଆମପାଣିର ଆରାଧ୍ୟ ଦେବତା ପ୍ରଭୁ ବୁଢାରଜା, ସମେତ ଆଖ ପାଖର ଗ୍ରାମରୁ ଆସିଥିବା ଦେବାଦେବୀଙ୍କ ଲାଠି କାଳିସୀ ଦେବୀ ପୀଠ ରେ ପହଞ୍ଚିଥିଲେ ।
ଦେବୀ ବସ୍ତରେନ ମାଉଳୀଙ୍କ ବାର୍ଷିକ ମଣ୍ଡେଇ ଓ ଆଷାଢ଼ କେନା ଯାତ୍ରା ପଡୋଶୀ ଛତିଶଗଡର ଦନ୍ତେବାଡା ସହିତ ଜଡ଼ିତ ହୋଇରହିଛି । ସେହିପରି ଭାବେ ଆଷାଢ଼କେନା ଯାତ୍ରା ପାରମ୍ପରିକ ରୀତିନୀତି ଅନୁସାରେ ଆଦିବାସୀ ସମ୍ପ୍ରଦାୟର ପୂଜକ ଓ ଅନ୍ୟାନ୍ୟ ସେବାକାରୀଙ୍କ ଦ୍ଵାରା ସମ୍ପନ୍ନ ହୋଇଥାଏ । ବୈଜ୍ଞାନିକ ସିଦ୍ଧାନ୍ତ ଅନୁସାରେ ପରିକ୍ରମା କରିବା ଦ୍ବାରା ଅନ୍ତର୍ନିହିତ ଶକ୍ତି ଓ ଉର୍ଜା ବଢ଼ିଥାଏ, ଯାହା ମନୁଷ୍ୟକୁ ସକରାତ୍ମକ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଏ । ଆଗକୁ ଚାଷ ବାସ ଯୋର ସୋରରେ ଚାଲିବ । ଏହା ପୂର୍ବରୁ ଚାଷୀର ଉର୍ଜା ବଢ଼ାଇବା ପାଇଁ ଏହି ଯାତ୍ରାର ପରିକଳ୍ପନା କରାଯାଇ ପାରିଥାଏ ବୋଲି ଅନୁମାନ କରାଯାଏ। ଦେବା ଦେବୀମାନେ ପୀଠକୁ ଫେରିଆସି କଣ୍ଟା ଦୋଳିରେ ଝୁଲିଥାନ୍ତି । ଏହାପରେ ମାନସିକଧାରୀ ଭକ୍ତମାନେ ପୂର୍ବରୁ କରିଥିବା ମାନସିକ ପୁରଣ ହେତୁ ଦେବୀଙ୍କ ନିକଟରେ ରକ୍ତ ଭୋଗରେ ବଳୀ ଆକାରରେ ବୋଦା, କୁକୁଡା, ପାରା ଓ ଶୁକ୍ଲ ଭୋଗରେ ନଡିଆ, କଦଳୀ, ଗଜା ମୁଆଁ ଇତ୍ୟାଦି ନବୈଦ୍ୟ ରୁପରେ ଅର୍ପଣ କରିଥିଲେ । କୁହାଯାଏ ଯେତେବେଳେ ଏଠି ନାଗବଂଶୀ ରାଜମାନେ ଶାସନ କରୁଥିଲେ ସେହି ସମୟରେ ନାଗବଂଶୀ ରାଣୀ ଏଠି ସତୀ ହୋଇଥିଲେ ଏବଂ ତାଙ୍କର ଗୋଟିଏ ସତୀ ଚଉଁରା ରହିଥିଲା। ସେହି ସତୀ ଚଉଁରା ଉପରେ ଦେବୀ ବସ୍ତରେନ୍ ମାଉଲିଙ୍କ ପ୍ରତିମୃର୍ତ୍ତି ସ୍ଥାପନ ହୋଇଥିବା ଜନ ସୃତିରୁ ଜଣାଯାଏ । ଏହି ଦେବୀଙ୍କୁ ଦନ୍ତେବାଡାରୁ ଅଣାଯାଇଥିଲା ଏବଂ କାହିଁ କେତେ ଆବାହମାନ କାଳରୁ ଦେବୀଙ୍କ ପୂଜା କରା ଯାଉଥିବାବେଳେ ଦେବୀଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ରହିଛି ବୋଲି ଗ୍ରାମବାସୀ କୁହନ୍ତି । ଦେବୀଙ୍କ ପାଖରେ ଯାହା ମନସ୍କାମନା କରାଯାଏ ତାହା ପୂର୍ଣ୍ଣ ହୋଇଥାଏ, ଏବଂ ଏହି ଯାତ୍ରା ପାଳନ କଲେ ଭଲ ବର୍ଷା ହେବା ସହ ଚାଷ ମଧ୍ୟ ଭଲ ଉତ୍ପାଦନ ହେଇଥାଏ ବୋଲି ବିଶ୍ୱାସ ରହିଛି । କେଉଁ ଏକ ଆବାହମାନ କାଳରୁ ଚଳି ଆସୁଥିବା ଏହି ଆଷାଢ଼ କେନା ଯାତ୍ରା କେବଳ ଧାର୍ମିକ ପୃଷ୍ଠଭୂମି କିମ୍ବା କୃଷି ସଂସ୍କୃତି ମଧ୍ୟରେ ନିଜକୁ ସାମିତ ରଖି ନାହିଁ । ଏହି ଯାତ୍ରା ଅଞ୍ଚଳରେ ଭାଇଚାରା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ନିଭାଇଥାଏ। ତେଣୁ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତେ ଏହି ପର୍ବ ସହିତ ଜଡ଼ିତ ହୋଇ ପ୍ରକୃତିର ଉପାସନାରେ ନିମର୍ଜ୍ଜିତ ହୋଇ ଯାଇଥାନ୍ତି ।