କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସୁପ୍ରିମକୋର୍ଟ ଗଲେ କେଜ୍ରିୱାଲ୍

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦିଲ୍ଲୀରେ ଅଧିକାରୀଙ୍କ ନିଯୁକ୍ତି ଓ ସ୍ଥାନାନ୍ତରଣକୁ ନେଇ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ । ଶୁକ୍ରବାର ଦିଲ୍ଲୀ ସରକାର ଅଧ୍ୟାଦେଶ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ଅସାମ୍ବିଧାନିକ ଏବଂ ଏହା ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇବା ଲାଗି ସର୍ବୋଚ୍ଚ ନ୍ୟାୟାଳୟରେ ଆପ୍ ନିବେଦନ କରିଛି । ଗତ ମାସରେ କେନ୍ଦ୍ର ସରକାର ଦିଲ୍ଲୀରେ ଗୁପ୍ ଏ ଅଧିକାରୀଙ୍କୁ ନିୟନ୍ତ୍ରଣ ନେଇ ଅଧ୍ୟାଦେଶ ଆଣିଥିଲେ । ଯାହାକୁ ଦିଲ୍ଲୀର କେଜ୍ରିୱାଲ୍ ସରକାର ବିରୋଧ କରୁଛି । ଦୀର୍ଘ ବର୍ଷ ଧରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଓ ଦିଲ୍ଲୀ ଉପରାଜ୍ୟପାଳଙ୍କ ମଧ୍ୟରେ କ୍ଷମତାକୁ ନେଇ ଲାଗି ରହିଥିବା ଟଣାଓଟରା ପରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଦିଲ୍ଲୀ ସରକାର ହେଉଛନ୍ତି ଦିଲ୍ଲୀର ବସ୍ । ଆଉ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିର ଠିକ୍ ସପ୍ତାହ ପରେ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଥିଲେ । ଏହି ମାମଲାରେ କେଜ୍ରିୱାଲ୍ ସମର୍ଥନ ହାସଲ ପାଇଁ ବିଭିନ୍ନ ରାଜ୍ୟରେ ବିଜେପି ବିରୋଧୀ ଦଳ ଓ ନେତାଙ୍କୁ ଭେଟୁଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନସିପି ମୁଖ୍ୟ ଶରଦ ପାୱାର, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ସମେତ ଅନେକ ବିରୋଧୀ ନେତା ଆପକୁ ଅଧ୍ୟାଦେଶ ନେଇ ସମର୍ଥନ ଦେବେ ବୋଲି କହିଛନ୍ତି ।ଅଧ୍ୟାଦେଶକୁ ବିରୋଧ ଭିତରେ ଜୁଲାଇ ୩ ତାରିଖରେ ଆପ୍ ମୁଖ୍ୟାଳୟରେ କେଜ୍ରିୱାଲ୍ ଅଧ୍ୟାଦେଶ କପିକୁ ପୋଡ଼ିବେ । ଜୁଲାଇ ୫ରୁ ୧୩ ଯାଏ ଦିଲ୍ଲୀର ସମସ୍ତ ୭୦ ବିଧାନସଭା ଆସନରେ ଅଧ୍ୟାଦେଶ କପିକୁ ଜାଳିବେ ଆପ୍ ନେତା ଓ କର୍ମୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.