ଆଦର୍ଶ ଶିକ୍ଷକ ମଦନ ମୋହନ ରଥଙ୍କ ଅବସର ଗ୍ରହଣ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ପ୍ରମାଦ ସେଲମା): ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟ ସିଂଖମନର ହିନ୍ଦୀ ଶିକ୍ଷକ ମଦନ ମୋହନ ରଥ ଗତ ଜୁନ ୩୦ ତାରିଖରେ ୨୯ ବର୍ଷ ଶିକ୍ଷାଦାନ କରି ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ସ୍କୁଲର ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍କୁଲ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ସ୍କୁଲର ପ୍ରତିଷ୍ଠାତା ମହନ୍ତ ମହାରାଜ ବ୍ରଜମୋହନ ଶରଣଦେବ, ଶିକ୍ଷାବିତ ଜଗଦାନନ୍ଦ ଛୁରିଆ, ସ୍କୁଲର ପୁରାତନ ଛାତ୍ର ତଥା ଅଧ୍ୟାପକ ରତିକାନ୍ତ ନାଏକ, ଶିକ୍ଷକ ଗୋପାଳଜୀ ଚୌଧୁରୀ ପ୍ରମୁଖ ମଞ୍ଚାସୀନ ହୋଇ ଶ୍ରୀ ରଥଙ୍କ ଅବସରକାଳୀନ ଜୀବନ ସୁଖମୟ ଓ ନିରାମୟ ହେଉ ବୋଲି କାମନା କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଗଣପତି କଳା ପରିଷଦ ଶିକାଛିଡା ତରଫରୁ ଶ୍ରୀ ରଥଙ୍କ ଶିକ୍ଷକୀୟ ଜୀବନ ତଥା ଛାତ୍ରଛାତ୍ରୀ, ସହକର୍ମୀଙ୍କ ପ୍ରତିଥିବା ସ୍ମୃତି ଅନୁଭୂତି ସମ୍ବଳିତ ଏକ ସ୍ମୃତି ପୁସ୍ତିକା “ଗୁରୁ ଗୌରବ ମଦନ ମୋହନ”କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଆଇନଜୀବୀ ଜୟରାମ ମିଶ୍ର, ଡାକ୍ତର ଅଶୋକ କୁମାର ସେଠି, କବି ରତ୍ନମୟ ତ୍ରିପାଠୀ, ଅବସରପ୍ରାପ୍ତ ଶିକ୍ଷକ ଗିରିଜା ଶଙ୍କର ରଥ, ସାମାଜିକ କର୍ମୀ ଅରୁଣ ଖୁଆସ, ଶିକ୍ଷକ ଲଲାଟ କେଶରୀ ପ୍ରଧାନ, ପୁରାତନ ଛାତ୍ରଛାତ୍ରୀମାନେ ଶ୍ରୀ ରଥଙ୍କ ପ୍ରତି ଥିବା ସହଯୋଗ, ସ୍ନେହ, ଭକ୍ତି ଓ ସମାଜସେବାର ସ୍ମୃତିଚାରଣ କରିଥିଲେ । ସଭା ପରିଚାଳନା କରିଥିଲେ ସଂସ୍କୃତ ଶିକ୍ଷକ ଅନୀଲ କୁମାର ସାହୁ, ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ବିଜ୍ଞାନ ଶିକ୍ଷକ କେଦାରନାଥ ସାହୁ । ଏହାପରେ ସିଂଖମନ ଗ୍ରାମବାସୀ, ସ୍ୱୟଂ ସହାୟକ ଦଳର ମହିଳା, ସ୍କୁଲ ଛାତ୍ରଛାତ୍ରୀ ଓ ସହକର୍ମୀମାନେ ସଂକୀର୍ତ୍ତନ କରି ଗ୍ରାମର ଶେଷ ପର୍ଯ୍ୟନ୍ତ ଏକ ଭବ୍ୟ ବିଦାୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ରମାକାନ୍ତ ନାଏକ, ନୃପରାଜ ବଗର୍ତ୍ତୀ, ସାଧନା ପଣ୍ଡା ଓ ସ୍କୁଲର କର୍ମଚାରୀମାନେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.