ଓଡ଼ିଆ ବାର୍ତ୍ତା/ ବାଙ୍ଗାଲୋର: ସାଉଥ ଏସିଆନ ଫୁଟବଲ ଫେଡେରେଶନ ଚାମ୍ପିୟନଶିପରେ ଭାରତ ଏକ ରୋମାଂଚକର ମୁକାବିଲାରେ କୁଏଟକୁ ପେନାଲ୍ଟି ଶୁଟଆଉଟରେ ପରାସ୍ତ କରି ଚାମ୍ପିୟନ ହୋଇଛି । ଭାରତ ୯ମ ଥର ଏହି ଟାଇଟଲ ହାସଲ କରିଛି । ନିର୍ଦ୍ଧାରିତ ଓ ଅତିରିକ୍ତ ସମୟରେ ମ୍ୟାଚର ଫଳାଫଳ ୧-୧ରେ ରହିଥିଲା । ପେନାଲ୍ଟି ଶୁଟଆଉଟରେ ଭାରତ ୫-୪ରେ ବାଜି ମାରିଥିଲା । ଭାରତୀୟ ବିଜୟରେ ଗୋଲକିପର ଗୁରପ୍ରୀତ ସିଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହି ମ୍ୟାଚକୁ ଷ୍ଟାଡିୟମରେ ୨୬ହଜାର ଦର୍ଶକ ଉପଭୋଗ କରୁଥିଲେ । ଭାରତ ଜିତିବା ପରେ ସମସ୍ତ ଦର୍ଶକ ଏକ ସ୍ୱରରେ ବନ୍ଦେ ମାତରଂ ଗାନ କରିଥିଲେ । ଯାହା କି ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲା । ସୁନୀଲ ଛେତ୍ରୀ ଏବଂ ଅନ୍ୟ ଖେଳାଳିମାନେ ମଧ୍ୟ ଏହାକୁ ଗାନ କରିଥିଲେ ।
ଇଂଟରକଂଟିନେଟାଂଲ କପ ପରେ ଭାରତ ସାଫ ଜିତି ଦର୍ଶକଙ୍କ ମନରେ ବିଶ୍ୱାସ ଭରିବାରେ ସଫଳ ହୋଇଛି । ଭାରତ ଏହା ପୂର୍ବରୁ ୧୯୯୩, ୯୭,୯୯, ୨୦୦୫, ୨୦୦୯, ୨୦୧୧, ୨୦୧୫ ଓ ୨୦୨୧ରେ ଚାମ୍ପିୟନ ହୋଇଥିଲା । ପେନାଲ୍ଟି ଶୁଟ ଆଉଟରେ ଭାରତର ଉଦାନ୍ତା ସିଂ ଓ କୁଏଟର ମହମ୍ମଦ ଅବଦୁଲ୍ଲା ଗୋଲ ସ୍କୋର କରିବାରେ ବିଫଳ ହୋଇଥିଲେ । ଫଳାଫଳ ୪-୪ ସ୍ଥିତିରେ ରହିଥିଲା । ସଡନ ଡେଥରେ ଭାରତ ପକ୍ଷରୁ ମହେଶ ସିଂ ଗୋଲ ଦେଇଥିବା ବେଳେ କୁଏଟର ଖାଲିଦଙ୍କ ଶଟକୁ ଗୁରପ୍ରୀତ ରୋକି ଦେଇଥିଲେ । ଫଳରେ ଭାରତ ବିଜୟୀ ହୋଇଥିଲା ।