ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ଦୀର୍ଘ ଦିନ ଧରି ରହି ଆସିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ୨୦୨୩ ଆରମ୍ଭରୁ ଏହି ତାଲିକାରୁ ବାହାରି ଯାଇଛନ୍ତି । ହେଲେ ଏବେ ପୁଣି ଏହି ତାଲିକାରେ ସାମିଲ ହେବାକୁ ଯାଉଛନ୍ତି ମୁକେଶ ଅମ୍ବାନୀ । ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କ ସମ୍ପତ୍ତି ମୂଲ୍ୟ ୨ ଅରବ ଡଲାରରୁ ଅଧିକ ବୃଦ୍ଧି ହୋଇଛି । ଏଥିସହିତ ତାଙ୍କର ନେଟୱର୍ଥ ୯୦ ଅରବ ଡଲାରରୁ ଅଧିକ ଥିବା ଜଣାଯାଇଛି । ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ନେଟ ୱର୍ଥ ୨.୩୫ ଅରବ ଡଲାର ଅର୍ଥାତ ୧୯ ହଜାର କୋଟିରୁ ଅଧିକ ବୃଦ୍ଧି ହୋଇଛି । ଏହି ବୃଦ୍ଧି ପରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୯୦.୬ ଅରବ ଡଲାରରେ ପହଞ୍ଚିଛି । ତେଣୁ ମୁକେଶ ଟପ ଟେନ ତାଲିକାରେ ସାମିଲ ହେବାର ସମ୍ଭାବନା ବୃଦ୍ଧି ପାଇଛି । ଟପ ଟେନ ତାଲିକାରେ ନଜର ପକାଇଲେ ଦେଖିବା, ମୁକେଶ ଅମ୍ବାନୀଙ୍କର ୧୩ ନମ୍ବରରେ ରହିଛନ୍ତି । ଟପ ଟେନରେ ସାମିଲ ହେବା ପାଇଁ ତାଙ୍କ ଉପରେ ଆଉ ତିନି ଜଣ ଅଛନ୍ତି । ଏହି ତିନି ଜଣ ହେଲେ ଫ୍ରାନକଏଜ ବେଟେନକଟ ଯାହାଙ୍କ ସମ୍ପତ୍ତି ମୂଲ୍ୟ ୯୨.୬ ଅରବ ଡଲାର, କାରଲୋସ ସ୍ଲିମ ଯାହାଙ୍କ ସମ୍ପତ୍ତିର ମୂଲ୍ୟ ୯୭.୨ ଅରବ ଡଲାର ଏବଂ ସର୍ଗେଇ ବ୍ରିନ ଯାହାର ସମ୍ପତ୍ତ ମୂଲ୍ୟ ୯୭ ଅରବ ଡଲାର ରହିଛି । ମୁକେଶଙ୍କ ସହ ଗୌତମ ଅଦାନୀଙ୍କ ସମ୍ପତ୍ତିର ମଧ୍ୟ ବୃଦ୍ଧି ପାଇଛି । ଅଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଅଦାନୀଙ୍କ ସମ୍ପତ୍ତିର ମୂଲ୍ୟ ୨୪ ଘଣ୍ଟାରେ ୪.୮୯ ମିଲିଅନ ଡଲାର ଉପରକୁ ଉଠିଛି । ଏଥିସହିତ ତାଙ୍କ ସମ୍ପତ୍ତିର ମୂଲ୍ୟ ୬୦.୩ ଅରବ ଡଲାରରେ ପହଞ୍ଚିଛି । ଗୌତମ ଅଦାନୀ ଏବେ ତାଲିକାର ୨୧ ନମ୍ବରରେ ଅଛନ୍ତି । ତେବେ ସମ୍ପତ୍ତି ହରାଇବାରେ ମଧ୍ୟ ଚଳତବର୍ଷ ଗୌତମ ଅଦାନୀ ତାଲିକାର ପ୍ରଥମରେ ରହିଛନ୍ତି ।ତାଙ୍କ ସମ୍ପତ୍ତିର ମୂଲ୍ୟ ଏବେ ୬୦.୨ ଅରବ ଡଲାର ରହିଛି ।