ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାରର ବାଲେଶ୍ଵର ପକ୍ଷରୁ ପ୍ରଥମ ଅଧ୍ୟାୟ ଗୀତାମୃତ କଥାଯଜ୍ଞ ଆଲୋଚନାର ଆଭାସୀ କାର୍ଯ୍ୟକ୍ରମ ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ଅଧ୍ୟକ୍ଷତାରେ, ବୈଜ୍ଞାନିକ ଅଧିକାରୀ ଅରୁଣ କୁମାର ମହାପାତ୍ରଙ୍କ ପୌରହିତ୍ୟରେ , ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିନୋଦିନୀ ଦାଶ ଓମକାର ନାଦଧ୍ବନି ଦେଇ ସମସ୍ତଙ୍କୁ ସୁସ୍ଵାଗତ ଓ ଅଭିନନ୍ଦନ କରିଥିଲେ । ପ୍ରଫୁଲ୍ଲ କୁମାର ଦାସ ସୁନ୍ଦର ଭାବରେ ସୁଲଳିତ ସ୍ବରରେ ଗୀତାମୃତ ପାରାୟଣ କରିଥିବା ବେଳେ ପଣ୍ଡିତ ପ୍ରବାଚକ ଅନାଦି ଚରଣ ମାହାଳି ଖୁବ୍ ସୁନ୍ଦର ଭାବରେ ବିଭିନ୍ନ ଉଦାହରଣ ମାଧ୍ୟମରେ ତାତ୍ତ୍ବିକ ଓ ତଥ୍ୟପୂର୍ଣ୍ଣ ଆଲୋଚନା କରିଥିଲେ । ପଣ୍ଡିତଙ୍କର ବର୍ଣ୍ଣନା ଖୁବ ଉଚ୍ଚକୋଟୀର ଥିଲା । ମହାଭାରତ ପର୍ବ, କୁରୁ ପାଣ୍ଡବ କଥା, ଧୃତରାଷ୍ଟ୍ରଙ୍କ ପୁତ୍ର ମହାମାନୀ ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ ନାନା ପ୍ରକାର କଷଣ ଦେଇ ମଧ୍ୟ ଯୁଧିଷ୍ଠିର ଆଦି ପୁତ୍ରଗଣ ସହ୍ୟ କରି ମଧ୍ୟ ଅତିଶୟ ହେବାରୁ ପାଞ୍ଚପଡା ପାଇଁ ଶ୍ରୀକୃଷ୍ଣ ଅନୁରୋଧ କରିବାରୁ ଯୁଦ୍ଧର ଆହ୍ଵାନ ଦେଲେ ଦୁର୍ଯ୍ୟୋଧନ । ଆରମ୍ଭ ଯୁଦ୍ଧ କୁରୁକ୍ଷେତ୍ରରେ, ତା’ ପୂର୍ବରୁ ବ୍ୟାସଦେବ ସଞ୍ଜୟଙ୍କୁ ଦିବ୍ୟଦୃଷ୍ଟି ପ୍ରଦାନ କରିଥିଲେ ଯୁଦ୍ଧର ସମସ୍ତ ବିବରଣୀ ଧୃତରାଷ୍ଟ୍ରଙ୍କୁ ଜଣେଇବେ ବୋଲି । ଧୃତରାଷ୍ଟ୍ର ପଚାରି ଚାଲିଛନ୍ତି ଏବଂ ସଞ୍ଜୟ ସମସ୍ତ ବିବରଣୀ ପ୍ରଦାନ କରିଛନ୍ତି । ଅର୍ଜୁନ କାହିଁକି ବିଷାଦଗ୍ରସ୍ତ ହୋଇଛନ୍ତି ।ଆତ୍ମୀୟ ସ୍ବଜନ ମାନଙ୍କୁ ନିହତ ନ କରିବା ପାଇଁ ବାରମ୍ବାର ଅର୍ଜୁନ କହି ଚାଲିଛନ୍ତି । ଏମାନଙ୍କୁ ମାରି ରାଜ୍ୟସୁଖ ଭୋଗ ଅନାବଶ୍ୟକ ବୋଲି ପ୍ରକାଶ କରିଛନ୍ତି । ସ୍ବଜନଙ୍କୁ ମାରି କିପରି ସୁଖୀ ହେବୁ ବୋଲି କହିଛନ୍ତି । କୌରବମାନେ ଲୋଭ ହେତୁ ବିବେକ ହରାଇ କୁଳନାଶ ଦୋଷ ଓ ମିତ୍ର ଦ୍ରୋହ ପାପ କଥା ଜାଣି ପାରୁ ନାହାନ୍ତି, କିନ୍ତୁ ଆମେ ଏସବୁ ଜାଣି କାହିଁକି ଏ ପାପକର୍ମରୁ ନିବୃତ୍ତ ନ ହେବା ବୋଲି ଅର୍ଜୁନ ପଚାରିଛନ୍ତି କୃଷ୍ଣଙ୍କୁ । ଶେଷରେ ଯୁଦ୍ଧ କ୍ଷେତ୍ରରେ ଶୋକାକୁଳ ମନରେ ଧନୁଶର ତ୍ୟାଗ କରି ରଥ ଉପରେ ବସି ପଡିଛନ୍ତି ବୋଲି ସଞ୍ଜୟ ଧୃତରାଷ୍ଟ୍ରଙ୍କ ପାଖରେ କହିଛନ୍ତି । ଏହିଭଳି ଭାବରେ ପଣ୍ଡିତ ଅନାଦି ଚରଣ ମାହାଳି ଶେଷ ୨୭ ଟି ଶ୍ଲୋକର ବିଷଦ୍ ଆଲୋଚନା କରିଥିଲେ ।ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୪୨ ରୁ ଉର୍ଦ୍ଧ୍ବ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇଥିଲେ । ରାଜ୍ୟ ସଂଯୋଜିକା ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ରତିନାରାୟଣ ରାଉତ ଶାନ୍ତିପାଠ କରିଥିଲେ । କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କ ଅନୁମତି କ୍ରମେ ସଭାସାଙ୍ଗ ହୋଇଥିଲା ।