ଏକକାଳୀନ ନିର୍ବାଚନ: କିଛି ବିଚାର

ଦେଶରେ ୨୦୨୯ ବେଳକୁ ଲାଗୁ ହୋଇପାରେ ଏକକ ନିର୍ବାଚନ ବ୍ୟବସ୍ଥା। ଅର୍ଥାତ ଏକାଥରକେ ଲୋକସଭା, ନିର୍ବାଚନ ସହ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ହେବ। ୱାନ୍ ନେସନ, ୱାନ ଇଲେକ୍ସନ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି। ରାମନାଥ କୋବିନ୍ଦ କମିଟି ପ୍ରସ୍ତାବକୁ କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଛି। ସଂସଦର ଶୀତ ଅଧିବେଶନରେ ବିଲ୍ ଆଗତ କରିବେ ସରକାର। ଆଉ ତାହା ଆଇନରେ ପରିଣତ ହେଲେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଲାଗୁହେବ। ଏବଂ ଲୋକସଭା ସହ ସବୁ ବିଧାନସଭାର ନିର୍ବାଚନ ଏକ ସମୟରେ ହେବ। ତେବେ ଏକକ ନିର୍ବାଚନ ପାଇଁ ସମ୍ବିଧାନରେ ସଂଶୋଧନ କରିବାକୁ ହେବ। ଏବଂ ଲୋକସଭା କାର୍ଯ୍ୟକାଳ ବଢ଼ାଯାଇପାରେ ଅବା କମାଯାଇପାରେ। ଏହାସହ କିଛି ବିଧାନସଭାର କାର୍ଯ୍ୟକାଳ ବଢ଼ିପାରେ, କିଛି କମିପାରେ। ତେବେ ସ୍ବତନ୍ତ୍ର ଏବଂ ନିରପେକ୍ଷ ନିର୍ବାଚନ ହେଉଛି ଗଣତନ୍ତ୍ରର ଅଭିନ୍ନି ଅଙ୍ଗ। ଠିକ୍ ସେହିଭଳି ପ୍ରଶାସନର ନିରନ୍ତରତା ଓ ସ୍ଥିରତା ହେଉଛି ଗଣତନ୍ତ୍ରର ଲକ୍ଷ୍ୟ। ଏହି ଲକ୍ଷ୍ୟକୁ ହାସଲ କରିବା ଦିଗରେ ମୁକ୍ତ ଓ ଅବାଧ ନିର୍ବାଚନ ହେଉଛି ଏକାନ୍ତ ଅପରିହାର୍ଯ୍ୟ। ଦୁର୍ଭାଗ୍ୟର କଥା ବର୍ତ୍ତମାନ ଦେଶର ଗଣତନ୍ତ୍ର କହିଲେ କେବଳ ନିର୍ବାଚନକୁ ବୁଝାଉଛି। ବିଭିନ୍ନ ସମୟରେ ଦେଶସାରା କେଉଁଠି ନା କେଉଁଠି ନିର୍ବାଚନ ପ୍ରକ୍ରିୟା ଲାଗି ରହୁଛି। ଯାହାଫଳରେ ରାଜନୈତିକ ଦଳମାନେ ନିର୍ବାଚନୀ ମୁଡରୁ ବାହାରକୁ ବାହାରି ପାରୁନାହାନ୍ତି। ସେ ଦୃଷ୍ଟିରୁ ପ୍ରଶାସନରେ ସ୍ଥିରତା ରହୁନି କି ଗଣତାନ୍ତ୍ରର ସୁଫଳ ଲୋକେ ପାଇପାରୁ ନାହାଁନ୍ତି।
ଏହି ପରିପ୍ରେକ୍ଷୀରେ ଦେଶରେ ଆରମ୍ଭ ହୋଇଥିବା ଏକକାଳୀନ ନିର୍ବାଚନ ଚର୍ଚ୍ଚା ବର୍ତ୍ତମାନ ସମୟୋପଯୋଗୀ ମନେହୁଏ। ଏକକାଳୀନ ନିର୍ବାଚନ ହେବାଦ୍ବାରା ନିର୍ବାଚନରେ ବ୍ୟାପକ କଳାଟଙ୍କା ଓ ଦୁର୍ନୀତିରେ ରୋକ୍ ଲଗାଯାଇ ପାରିବ। ଏହା ବ୍ୟତୀତ ବାରମ୍ବାର ନିର୍ବାଚନ ହେବାଦ୍ବାରା ସରକାରଙ୍କ ଉପରେ ଆର୍ଥିକ ଓ ପରିଚାଳନାଗତ ବୋଝ ପଡ଼ିଥାଏ। ଗୋଟିଏ ନିର୍ବାଚନ ପରିଚାଳନାରେ ଯେତିକି ମାନବସମ୍ବଳ ଓ ଅର୍ଥ ବ୍ୟୟ କରାଯାଏ ସେହି ଏକା ବ୍ୟୟରେ ବା ସାମାନ୍ୟ ଅଧିକ ବ୍ୟୟରେ ଏକାଧିକ ନିର୍ବାଚନ କରିବା ସମ୍ଭବ ହୋଇପାରୁଥିବାରୁ ଏହା ସରକାରଙ୍କ ବୋଝ କମ୍ କରିଥାଏ। ଯାହାଦ୍ବାରା ନିର୍ବାଚନ କାର୍ଯ୍ୟରେ ଅଯଥାରେ ବ୍ୟସ୍ତ ରହୁଥିବା ସରକାରୀ କର୍ମଚାରୀମାନେ ନିଜ ନିଜର ସ୍ବଭାବିକ କାର୍ଯ୍ୟ କରିବାର ସୂଯୋଗ ପାଇଥାନ୍ତି ଓ ଲୋକଙ୍କ ଲାଗି କାମ କରିବାରେ ପ୍ରଶାସନ ଅଧିକ ସମର୍ଥ ହୋଇ ପାରିଥାଏ। ସେହିଭଳି ଏକକାଳୀନ ନିର୍ବାଚନ ଦ୍ବାରା ଦେଶ ସବୁବେଳେ ସ୍ଥିର ଓ ସୁଦୃଢ଼ ସରକାର ଏବଂ ପ୍ରଶାସନ ପାଇଥାଏ। ତେବେ ଏକକାଳୀନ ନିର୍ବାଚନ ହେଉଛି ଦେଶର ସମ୍ବିଧାନ ଓ ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ। ସେହିଭଳି ଏକକାଳୀନ ନିର୍ବାଚନରେ ନିଶ୍ଚିତଭାବେ କେତେକ ବାସ୍ତବ ଅସୁବିଧା ରହିଛି। ଉଦାହରଣସ୍ବରୂପ ସାରାଦେଶରେ ଲୋକସଭା ନିର୍ବାଚନ ଓ ରାଜ୍ୟମାନଙ୍କରରେ ନିର୍ବାଚନ ଏକକାଳୀନ ହେବା ପରେ ଯଦି ଲୋକସଭାରେ ସଂଖ୍ୟା ଗରିଷ୍ଠତା ନ ଆସିଲା, ବା ନିର୍ବାଚନ ପରବର୍ତ୍ତୀ ମେଣ୍ଟ ଦ୍ବାରା ଗଠିତ ସରକାର ଭାଙ୍ଗିଗଲା ତେବେ ପୁନଶ୍ଚ ନିର୍ବାଚନ ଅବଶମ୍ଭାବୀ ହୋଇ ପଡିବ। ଏହି ସମୟରେ ରାଜ୍ୟମାନଙ୍କରେ ବିଧାନସଭା ନିର୍ବାଚନ ପୁଣି ହେବ କି? ଯଦି ନହେବ ପରବର୍ତ୍ତୀ ନିର୍ବାଚନ ପୁଣି ଏକ ସମୟରେ କିଭଳି ହେବ? ବିଶେଷକରି ମେଣ୍ଟ ସରକାରଗୁଡିକ କେଉଁ ମୁହୂର୍ତ୍ତରେ ଭାଙ୍ଗିବେ ଓ ରାଜ୍ୟରେ ବା ଦେଶରେ କେତେବେଳେ ଯେ ଅସ୍ଥିରତା ସୃଷ୍ଟି ହେବ ତାହା କହିହେଉ ନଥିବାରୁ ଏକକାଳୀନ ନିର୍ବାଚନ ଲାଗି ଏହା ଏକ ପ୍ରମୁଖ ସମସ୍ୟା ଭାବେ ଉଭାହେବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.