ମାସ୍କ ଓ ସାମାଜିକ ଦୂରତା ନିୟମ ଉଂଲଘନ ହେଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ -ଜିଲ୍ଳାପାଳ
ରାୟଗଡ: ଆନ୍ଧ୍ର ପ୍ରଦେଶର ବିଜୟନଗରମ୍ ଓ ଶ୍ରୀକାକୁଲମ ପଡୋଶୀ ଜିଲ୍ଳା ସହ ରହିଛି ରାୟଗଡ ଜିଲ୍ଳାର ଦୃଢ ସଂପର୍କ । ଫଳରେ ସ୍ୱାସ୍ଥ୍ୟ ହେଉ ଅଥବା ବ୍ୟବସାୟ କ୍ଷେତ୍ରରେ ଉଭୟ ଜିଲ୍ଳାକୁ ରାୟଗଡରୁ ଜନସାଧାରଣ ଯାତାୟାତ କରୁଥିବା ବେଳେ ଉକ୍ତ ଦୁଇ ଜିଲ୍ଳାରୁ ମଧ୍ୟ ଲୋକେ ଆସିଥାନ୍ତି । ତେବେ ଆନ୍ଧ୍ରର ଏହି ଦୁଇଟି ଜିଲ୍ଳାରେ ବତର୍ମାନ କରୋନା ସଂକ୍ରମଣ ସର୍ବାଧିକ ରହୁଥିବାରୁ ତାଙ୍କ ସଂସ୍ପର୍ଶରେ ଆସୁଥିବା ଲୋକେ ରାୟଗଡ ଜିଲ୍ଳାକୁ ପ୍ରବେଶ କରୁଥିବାରୁ ଜିଲ୍ଳାରେ ମଧ୍ୟ ପଜିଟିଭ୍ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ତେଣୁ ଯଥାସମ୍ଭବ ଅଯଥା ଗହଳି ସ୍ଥାନକୁ ନ ଯିବା ସହ ମାସ୍କ ପରିଧାନ ଓ ସାମାଜିକ ଦୂରତା ନିୟମକୁ କଡାକଡି ଭାବେ ପାଳନ କରିବା ଏବଂ ଲକ୍ଷଣ ଦେଖାଗଲେ ତୁରନ୍ତ ୧୦୪ କିମ୍ବା ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ କରି ବୃଦ୍ଧି ପାଉଥିବା ସଂକ୍ରମଣକୁ ବ୍ୟାହାତ କରିବା ପାଇଁ ସତର୍କ ଓ ସଚେତନ ରୁହନ୍ତୁ ବୋଲି ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଜିଲ୍ଳାବାସୀଙ୍କୁ ନିବେଦନ କରିଛନ୍ତି । ଏଥିସହ କେନ୍ଦ୍ର ସରକାର ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଥିବା ବେଳେ ରାଜ୍ୟ ସରକାର ମଧ୍ୟ କୋଭିଡ କଟକଣା କୋହଳ ଦିଗରେ ପ୍ରୟାସ କରୁଛନ୍ତି ଏବଂ ଜିଲ୍ଳା ପ୍ରଶାସନ ମଧ୍ୟ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ବିଶେଷ କରି ଜିଲ୍ଳାରେ ଥିବା ବ୍ୟବସାୟୀ ଓ ଗ୍ରାହକମାନେ ସରକାରୀ ଗାଇଡଲାଇନକୁ କଡାକଡା ଭାବେ ପାଳନ ନ କଲେ ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଳାପାଳ ଶ୍ରୀ ବେହେରା ତାଗିଦ କରିଛନ୍ତି । ବ୍ୟବସାୟୀମାନେ ସାମାଜିକ ଦୂରତା ବଜାୟ ରଖିବା ସହ ଗ୍ରାହକମାନଙ୍କୁ ମାସ୍କ ପିନ୍ଧିଲେ ହିଁ ସାମଗ୍ରୀ ପ୍ରଦାନ କରିବେ ନଚେତ ଉଭୟ ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ଜୋରିମାନା ସହ ଦଣ୍ଡିତ କରାଯିବ ଏବଂ ସବୁଦିନ ପାଇଁ ଦୋକାନ ସିଲ ମଧ୍ୟ ହୋଇପାରେ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।
ଜିଲ୍ଳାରେ ଗତ ଦୁଇ ଦିନରେ ପଜିଟିଭ୍ ସଂଖ୍ୟା ୯୦୦ରୁ ଉର୍ଦ୍ଧ ରହିଥିବା ବେଳେ ରବିବାର ଦିନ ଏହା ୧୦୪କୁ ଖସିଛି । ପ୍ରଶାସନ ତରଫରୁ ପଜିଟିଭ୍ ସଂଖ୍ୟା ନେଇ ଭୟଭୀତ ନ ହୋଇ ସତର୍କ ଓ ସଚେତନ ରହିବା ପାଇଁ ନିୟମିତ ଭାବେ ନିବେଦନ କରାଯାଉଛି । ରବିବାର ୧୦୪ ଜଣ ପଜିଟିଭ୍ ଚିହ୍ନଟଙ୍କ ମଧ୍ୟରେ ୬୨ ଜଣ ପୁରୁଷ ଓ ୪୨ ଜଣ ମହିଳା ଆକ୍ରାନ୍ତ ରହିଛନ୍ତି । ବର୍ତମାନ ଜିଲ୍ଳାରେ ୧୮.୧୦ ପ୍ରତିଶତ ପଜିଟିଭ୍ ହାରରେ ୪୭୬୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୦.୪୬ ପ୍ରତିଶତ ମୃତ୍ୟୁ ହାରରେ ୨୨ ଜଣଙ୍କ ଜୀବନ ଯାଇଛି । ସେହିପରି ୬୧.୭୫ ପ୍ରତିଶତ ସୁସ୍ଥତା ହାରରେ ୨୯୪୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୭.୭୯ ପ୍ରତିଶତ ସକ୍ରିୟ ହାରରେ ୧୮୦୨ ଜଣ ଚିକିତ୍ସିତ ହେଉଛନ୍ତି । ରବିବାର ଚିହ୍ନଟଙ୍କ ମଧ୍ୟରେ ୩୧ଜଣ ଟିଏମସି କେନ୍ଦ୍ରରୁ ଓ ୭୩ଜଣ ହୋମ କ୍ୱାରେନଟାଇନରୁ ଚିହ୍ନଟ ହୋଇଥିବା ନେଇ ଜିଲ୍ଳାପାଳ ଶ୍ରୀ ବେହେରା ସୂଚନା ପ୍ରଦାନ କରିଛନ୍ତି । ସେହିପରି ୧୦୪ଜଣ ପଜିଟିଭ୍ଙ୍କ ମଧ୍ୟରେ କାଶିପୁର ବ୍ଳକରୁ ୩୩, ରାୟଗଡ ପୈାରାଂଚଳରୁ ୨୫ ଓ ଗ୍ରାମାଂଚଳରୁ ୧୩, ବିଷମକଟକରୁ ୧୧ ଚିହ୍ନଟ ହୋଇଥିବା ବେଳେ କଲ୍ୟାଣସିଂହପୁର ବ୍ଳକରୁ ୯, ମୁନିଗୁଡାରୁ ୫, ଚନ୍ଦ୍ରପୁର ଓ ଗୁଡାରୀରୁ ୩ ଜଣ ଲେଖାଁଏ ୬ ଜଣ ଓ ରାମନାଗୁଡା ଏବଂ ଗୁଣପୁର ଗ୍ରାମାଂଚଳରୁ ଜଣେ ଲେଖାଁଏ ୨ ଜଣ ମୋଟ ୧୦୪ ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨୦ ଜଣ କରୋନା ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ କଂଟାକ୍ଟ ଟ୍ରେସିଂରୁ ୨୬ ଜଣ,ଆଇଏଲଆଇ/ସାରି ଲକ୍ଷଣ ଥିବା ୮୧ ଜଣ ଚିହ୍ନଟ ହୋଇଛନ୍ତି । ବତର୍ମାନ ସୁଦ୍ଧା ଜିଲ୍ଳାରେ ୫୩୮ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ବେଳେ ୩୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୧୭୭ ଜଣ ଚିକିତ୍ସିତ ହେଉଛନ୍ତି । ଜିଲ୍ଳାରେ ୮୦ ପ୍ରତିଶତ ହୋମ କ୍ୱାରେନଟାଇନରେ ଏବଂ ବଳକା ୨୦ ପ୍ରତିଶତ ବିଭିନ୍ନ କୋଭିଡ କେୟାର କେନ୍ଦ୍ର ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ନେଇ ଜିଲ୍ଳାପାଳ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in