ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଡିଗ୍ରୀ କଲେଜରେ ସାଇବର ଠକେଇରୁ ସଚେତନତା ପାଇଁ ପୋଲିସ ତରଫରୁ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନର୍ଲା ଡ଼ିଏସପି ପ୍ରଦୋଷ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଅତିଥି ଭାବେ ନର୍ଲା ଡିଗ୍ରୀ କଲେଜର ଅଧ୍ୟକ୍ଷ ନାରାୟଣ ନାଏକ, ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ, ଅଧ୍ୟାପକ ସୁଶାନ୍ତ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ନର୍ଲା ଆଇଆଇସି ଗଙ୍ଗାଧର ମେହେର ସ୍ୱଗାତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରି ଦିନକୁ ଦିନ ସାଇବର କ୍ରାଇମ ବଢି ବଢି ଚାଲିଛି । ଏଥିରୁ କେମିତି ସୁରକ୍ଷିତ ରହିବା ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ବୋଲି କହିଥିଲେ । ଉପସ୍ଥିତ ଅତିଥି ବୃନ୍ଦ ମଧ୍ୟ ସାଇବର ଅପରାଧ ଓ ଅପରାଧୀ ମାନଙ୍କ ତତ୍ପରତା ବିଷୟରେ କହି ବର୍ତ୍ତମାନର ଯୁବପିଢୀ ସେମାନଙ୍କ ପ୍ରଲଭନରେ ନପଡିବା ପାଇଁ ମାର୍ଗଦର୍ଶନ ଦେଇଥିଲେ । ନର୍ଲା ଡିଗ୍ରୀ କଲେଜର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ଏହି ଶିବିରରେ ଉପସ୍ଥିତ ରହି ସାଇବର ଠକଙ୍କ କଳା କାରନାମା ଓ ସେଥିରୁ ସୁରକ୍ଷା ପାଇବାର ଉପାୟ ବିଷୟରେ ଜ୍ଞାନ ଆହରଣ କରିଥିଲେ । ରାଜ୍ୟ ସରକାରଙ୍କ ତରଫରୁ ଏକ ସ୍ୱତନ୍ତ୍ର ବସ ଓ ଗୋଟିଏ ରଥ ନର୍ଲା ଆସିଥିଲା । ସାଇବର ଥାନା ଅଧିକାରୀ ସ୍ନିଗ୍ଧାରାଣୀ ସୁନା ସାଇବର ଅପରାଧ ଓ ଏଥିରୁ ସୁରକ୍ଷା ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ । ଭୁବନେଶ୍ୱରରୁ ଆସିଥିବା ଛାତ୍ରୀ ମାମୁନି ବେହେରା ମଞ୍ଚ ସଂଯୋଜନା କରିଥିଲେ । ସାଇବର ଅପରାଧ ବିଷୟରେ ମନ ମଧ୍ୟରେ ରହିଥିବା ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଛାତ୍ରଛାତ୍ରୀ । ଏହାର ସମାଧାନର ବାଟ ମଧ୍ୟ ସୁନ୍ଦର ଭାବରେ ବୁଝାଇଥିଲେ ସାଇବର ଇନ୍ସପେକ୍ଟର ଶ୍ରୀମତୀ ସୁନା । ଏହାପରେ ସାଇବର ଅପରାଧ ସମସ୍ୟା ଉପରେ ଡିଗ୍ରୀ କଲେଜର ଛାତ୍ରଛାତ୍ରୀଙ୍କୁ ନେଇ କ୍ୱିଜ ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ନର୍ଲା ଆଇଆଇସି ଶ୍ରୀ ମେହେର ମତବ୍ୟକ୍ତ କରିଛନ୍ତି । ସନ୍ଧ୍ୟା ୫ ଘଣ୍ଟା ସମୟରେ ନର୍ଲା ଦୁର୍ଗା ମଣ୍ଡପ ପରିସରରେ ସାଇବର କ୍ରାଇମ ଓ ଏହାର ସୁରକ୍ଷା ନେଇ ଅଞ୍ଚଳର ଜନସାଧାରଣଙ୍କୁ ଏକ ସମ୍ମିଳନୀ ମାଧମରେ ସଚେତନତା କାର୍ଯ୍ୟକ୍ରମ ରହିଥିବା ନର୍ଲା ଆଇଆଇସି ଶ୍ରୀ ମେହେର ସୂଚନା ଦେଇଛନ୍ତି । ନର୍ଲା ଡିଗ୍ରୀ କଲେଜ କର୍ମଚାରୀ କିଶୋର ଚାନ୍ଦ, ରାଜନୀତି ବିଜ୍ଞାନ ଅଧ୍ୟାପକ ମୃତ୍ୟୁଞ୍ଜୟ ଚାନ୍ଦ, କ୍ରୀଡା ଶିକ୍ଷକ କ୍ଷିତିଶ ବଗର୍ତ୍ତୀ, ନର୍ଲା ପୋଲିସ ଷ୍ଟାଫ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ରାଜ୍ୟ ସରକାରଙ୍କ ଏଭଳି ସୃଜନାତ୍ମକ କାର୍ଯ୍ୟକ୍ରମକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି ।