କେବେ ଅନ୍ତଃ ହେବ ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳବାସୀଙ୍କ ଦୁଃଖ?

ବିକାଶ ନାମରେ ଚାଲିଛି ଦୁର୍ନୀତିର ଖେଳ

ପଥ ଉନ୍ମୁକ୍ତରେ ବାଧକ ସାଜିଛି ଅଧପନ୍ତରିଆ ଗୋଲାଗାଡ ପୋଲ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ସାଧାରଣତଃ ଉତ୍ତମ ଗମନାଗମନ ବ୍ୟବସ୍ଥା ହିଁ ଅଞ୍ଚଳର ବିକାଶକୁ ତ୍ବରାନ୍ବିତ କରିଥାଏ। କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଇନ୍ଦ୍ରାବତୀ ଜଳଭଣ୍ଡାର ଜଳବନ୍ଦୀ ଭାବେ ବସବାସ କରୁଥିବା ପୋଡାପଦର ଗ୍ରାମ ପଞ୍ଚାୟତର ୧୬ ଏବଂ ମାଳିଗାଁ ପଞ୍ଚାୟତର ଗୋଟିଏ ଏମିତି ୧୭ ଖଣ୍ଡ ଗ୍ରାମବାସୀଙ୍କ ଜୀବନ ଏବେ ଅଭିଶପ୍ତ ମୟ। ଅସହାୟ ତଥା ଅନ୍ଧକାର ମୟ ଅବସ୍ଥାରେ ଏଠିକାର ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଭବିଷ୍ୟତ। ପୋଡାପଦର ପଞ୍ଚାୟତ ଅଧିନର ଲିଟିମସ୍କା, ଭୁରଭୁରି ଟେମରା, ଘୃଟୃଖାଲ, ସରାପାସ, ତେନ୍ତୁଳିପଦର, କାରୁବାଡି, ତଳପୁଙ୍ଗା, କଲାଟି, ଉପର ପୁଙ୍ଗା, ତଳଝିରି, ଉପରଝିରି, କୁଟୃପାଟ, ଗୁଞ୍ଜମାଳି, ଉପର ଗୁଞ୍ଜମାଳି, ଢେପଟେମରା ଏବଂ ମାଳିଗାଁ ପଞ୍ଚାୟତର କେ.ଚେପଟାଘାଟ ଏସବୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ଅଞ୍ଚଳ ଭାବେ ରହି ଆସିଛି।ମାଳିଗାଁ ପଞ୍ଚାୟତର ଡି.ଚେପଟାଘାଟ ଠାରୁ ପୋଡାପଦର ପଞ୍ଚାୟତକୁ ସଂଯୋଗ କରିବାକୁ ଯାଇ ଗୋଲାଗାଡ ନଦୀ ଉପରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଚାଲିଅଛି। ନିର୍ମାଣ ସମୟର ଅବଧି ଶେଷ ହୋଇସାରିଛି।

୬କୋଟି ୬୪ଲକ୍ଷ ବ୍ୟୟ ଅଟକଳରେ ହେବାକୁଥିବା ପୋଲ ୨୧/୦୮/୨୦୨୦ ମସିହାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଯାହା ୨୦ ଫେବୃଆରୀ ୨୦୨୨ରେ ସମ୍ପୂର୍ଣ୍ଣ ହେବା ନେଇ ଚୁକ୍ତି ହୋଇଥିଲା। କିନ୍ତୁ ପ୍ରାୟ ୩୦ ପ୍ରତିଶତ କାମ ହୋଇଥିବା ବେଳେ ଠିକାଦାରଙ୍କ ଅବହେଳା ନା ବିଭାଗୀୟ ଯନ୍ତ୍ରୀ ଅବା ଅଧିକାରୀଙ୍କ ଅବହେଳା ଯୋଗୁଁ ଏତିକିରେ ନିର୍ମାଣ କାର୍ଯ୍ୟ ଅଟକିବା ବାସ୍ତବରେ ବିଡମ୍ବନାର ବିଷୟ। କେବେ ଏହି ପୋଲଟି ନିର୍ମାଣ ହେବ ଏବଂ ଏହି ଜଳବନ୍ଦୀ ଅଞ୍ଚଳକୁ ଗମନାଗମନର ପଥ ଉନ୍ମୁକ୍ତ ହେବ ଏହାର ଉତ୍ତର ନା ପ୍ରଶାସନ ନା ଜନପ୍ରତିନିଧି କାହା ପାଖରେ ମଧ୍ୟ ନାହିଁ।ଯଦି ଏହି ପୋଲ ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଥିଲେ ଜଳବନ୍ଦୀ ଜୀବନରୁ ମୁକ୍ତ ହୋଇପାରିଥାଆନ୍ତେ ପୋଡାପଦର ପଞ୍ଚାୟତ ଅଧିବାସୀ। ସମ୍ଭବତଃ ଅଞ୍ଚଳ ପାଇଁ ବିକାଶର ବାଟ ଉନ୍ମୁକ୍ତ ହୋଇଥାଆନ୍ତା। ଗୋଲାଗାଡ ନଦୀରେ ଏକ ଫାଇବର୍ ଭାସମାନ ଡଙ୍ଗାର ଅସ୍ଥାୟୀ ବ୍ୟବସ୍ଥା ହୋଇଛି। ଯାହା ପାରି ହୋଇ ଯିବାକୁ ଏକ ଦଉଡିର ସାହାଯ୍ୟ ନେବାକୁ ପଡିଥାଏ। ଗୋଲାଗାଡ ନଦୀକୁ ପାରି ହୋଇ ବିକାଶ ପହଞ୍ଚିବା କଷ୍ଟ ହୋଇଥିଲେ ମଧ୍ୟ ଅଞ୍ଚଳର ଉନ୍ନତି ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି ଟଙ୍କା ଖର୍ଚ୍ଚ ହେଉଛି। ସରକାର ଏହି ଅଞ୍ଚଳର ବିକାଶ ପାଇଁ ତତ୍ପରତା ଦର୍ଶାଇ ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ ଏବଂ ପାନୀୟଜଳ ଯୋଜନା ଗୁଡିକ ପାଇଁ କୋଟି କୋଟି ଟଙ୍କା ଦେଇଛନ୍ତି। କିନ୍ତୁ ସମସ୍ତ ଯୋଜନାକୁ ପ୍ରତିଘାତ କରିଛି ଗୋଲାଗାଡ ନଦୀ ଉପରେ ନିର୍ମାଣ ହେଉଥିବା ପୋଲ। ଉଚିତ ତଦାରଖର ଅବହେଳା ଯୋଗୁଁ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଗୁଡିକରେ ବ୍ୟାପକ ଅନିୟମିତତାର ଆଶଙ୍କା ରହିଛି। ଏଥିସହିତ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ମଧ୍ୟ ନଜର୍କୁ ଆସୁଛି।

ଅନ୍ୟପକ୍ଷରେ ୨୦୧୭-୧୮ ମସିହାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ପ୍ରାୟ ୨ କୋଟି ଟଙ୍କାର ଅନୁଦାନରେ କେ.ଚେପଟାଘାଟ ଏବଂ ତେନ୍ତୁଳିପଦର ରାସ୍ତା ମଧ୍ୟରେ ଥିବା ସାନ ନାଳା ଉପରେ ପୋଲ ନିର୍ମାଣ ହୋଇଥିଲା। ବର୍ତ୍ତମାନ ତାହା ମଧ୍ୟ ବିପଦପୂର୍ଣ୍ଣ ଅବସ୍ଥାରେ। ପୋଲ ଅବସ୍ଥା ଠିକ୍ ରହିଥିବା ବେଳେ ଏହାର ସୁରକ୍ଷା ବାଡ ଭୁଷୁଡି ଯାଇଥିବା ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ମୋଟ ଉପରେ କହିବାକୁ ଗଲେ ଅଞ୍ଚଳ ପାଇଁ ଆଉ ଏକ ସ୍ବାଧୀନତାର ଅପେକ୍ଷା କରିବାକୁ ପଡିବ କି ବୋଲି ଅଞ୍ଚଳ ବାସୀଙ୍କ ପକ୍ଷରୁ ପ୍ରଶ୍ନ ଉଠୁଛି। ସରକାର କେବେ ଅଞ୍ଚଳ ବାସୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବେ ତାହା ଦେଖିବା ବାକି ରହିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.